ନୂଆଦିଲ୍ଲୀ,୩।୧୦: ବାଂଲାଦେଶର ଅନ୍ତରୀଣ ସରକାର ମୁଖ୍ୟ ମହମ୍ମଦ ୟୁନୁସ୍ ତାଙ୍କ ଦେଶରେ ସଂଖ୍ୟାଲଘୁ, ବିଶେଷକରି ହିନ୍ଦୁମାନଙ୍କ ବିରୁଦ୍ଧରେ ହିଂସା ଅଭିଯୋଗକୁ ସମ୍ପୂର୍ଣ୍ଣ ଭାବରେ ଖଣ୍ଡନ କରିଛନ୍ତି। ୟୁନୁସ୍ କହିଛନ୍ତି, ତାଙ୍କ ଦେଶରେ ହିନ୍ଦୁ ଏବଂ ମନ୍ଦିରକୁ ଟାର୍ଗେଟ କରିବାରେ କୌଣସି ସତ୍ୟତା ନାହିଁ। ସେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଚିନ୍ତାକୁ ସୂଚନାର ଅଭାବ ବୋଲି କହିଛନ୍ତି। ଏହା ସହ ୟୁନୁସ୍ କହିଛନ୍ତି , ଭାରତରେ ପ୍ରସାରିତ ହେଉଥିବା ଏପରି ରିପୋର୍ଟ ସମ୍ପୂର୍ଣ୍ଣ ମିଥ୍ୟା ଉପରେ ଆଧାରିତ।
ୟୁନୁସ୍ ସାମ୍ବାଦିକ ମହଦି ହାସନଙ୍କ ସହିତ ଏକ ସାକ୍ଷାତକାରରେ ଏହି ମନ୍ତବ୍ୟ ଦେଇଛନ୍ତି। ୟୁନୁସ୍ କହିଛନ୍ତି ଯେ ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ଆକ୍ରମଣର ବାରମ୍ବାର ରିପୋର୍ଟ ଆସିଛି, କିନ୍ତୁ ବାସ୍ତବରେ ଏପରି କିଛି ଘଟିନାହିଁ। ଭାରତୀୟ ଗଣମାଧ୍ୟମ ମିଥ୍ୟା ଖବର ପ୍ରସାର କରୁଛି। ବାଂଲାଦେଶରେ କୌଣସି ହିନ୍ଦୁ ବିରୋଧୀ ହିଂସା ନାହିଁ।ୟୁନୁସ୍ ଏହା ମଧ୍ୟ କହିଛନ୍ତି ଯେ ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ ବାଂଲାଦେଶର ବାସ୍ତବତା ଜାଣନ୍ତି ନାହିଁ । ତେଣୁ ତାଙ୍କ ମନ୍ତବ୍ୟ ସତ ନୁହେଁ।
ୟୁନୁସ୍ ତାଙ୍କର ରାଜନୈତିକ ବିରୋଧ ଏବଂ ନିର୍ବାଚନ ପ୍ରକ୍ରିୟା ବିଷୟରେ ମଧ୍ୟ କହିଥିଲେ। ସେ କହିଛନ୍ତି ଯେ ତାଙ୍କ ଦେଶରେ ଅଧିକାଂଶ ଜନତା ଶୀଘ୍ର ନିର୍ବାଚନ ଚାହାଁନ୍ତି। ତେବେ ଆଉ କିଛି ଲୋକ ବିଶ୍ୱାସ କରନ୍ତି ଯେ ସ୍ଥିରତା ଏବଂ ସ୍ୱଚ୍ଛ ଶାସନକୁ ପ୍ରାଥମିକତା ଦିଆଯିବା ଉଚିତ। ଲୋକମାନେ ଚାହାଁନ୍ତି ସେ ଆଗାମୀ ପାଞ୍ଚରୁ ଦଶ ବର୍ଷ ପର୍ଯ୍ୟନ୍ତ ପଦବୀରେ ରୁହନ୍ତୁ। ସେ ଅନ୍ତରୀଣୀ ସରକାରଙ୍କ ୧୮ ମାସର କାର୍ଯ୍ୟକାଳକୁ ସମର୍ଥନ କରି କହିଛନ୍ତି ଯେ ଏହା ଦେଶକୁ ଦୁର୍ନୀତି ଏବଂ ଅସ୍ଥିରତାର ପୁରୁଣା ଚକ୍ରକୁ ଫେରିବାରୁ ରୋକିପାରିବ। ସେ କହିଛନ୍ତି, ତାଙ୍କର ପ୍ରାଥମିକତା ହେଉଛି ଦେଶରେ ସ୍ଥିରତା ବଜାୟ ରଖିବା ଏବଂ ସଂଖ୍ୟାଲଘୁଙ୍କ ସୁରକ୍ଷା ସୁନିଶ୍ଚିତ କରିବା, ମିଥ୍ୟା ଖବର ଏବଂ ଭୁଲ ସୂଚନାକୁ ତୁରନ୍ତ ଦୂର କରାଯିବା ଉଚିତ।