- ବାଂଲାଦେଶରେ ଭାରତ ବିରୋଧୀ ପ୍ରତିବାଦ
- ଭାରତର କାର୍ଯ୍ୟାନୁଷ୍ଠାନରେ ବିଚଳିତ ବାଂଲାଦେଶ
- ଭାରତ ପାଇଁ ଭିସା ସେବା ଉପରେ ରୋକ୍
- ଉସ୍ମାନ ହାଦିଙ୍କ ମୃତ୍ୟୁ ପରେ ବାଂଲାଦେଶରେ ହିଂସା ବ୍ୟାପକ
ନୂଆଦିଲ୍ଲୀ : ସଦ୍ୟ ଉତ୍ତେଜନା ପରେ ଭାରତର କାର୍ଯ୍ୟାନୁଷ୍ଠାନରେ ବାଂଲାଦେଶ ବିଚଳିତ ହୋଇ ଉଠିଛି। ଭାରତ ଦ୍ୱାରା ବାଂଲାଦେଶର ଚିଟ୍ଟାଗଙ୍ଗ ସ୍ଥିତ ଭାରତୀୟ ଭିସା ଆବେଦନ କେନ୍ଦ୍ରରେ ଭିସା ସେବା ସ୍ଥଗିତ କରି ଦିଆ ଯିବା ପରେ , ଏବେ ବାଂଲାଦେଶ ମଧ୍ୟ ଭାରତ ପାଇଁ ଭିସା ସେବା ଉପରେ ରୋକ୍ ଲଗାଇଛି। ଅଧିକାରୀମାନେ ସୋମବାର କହିଛନ୍ତି ଯେ, ନୂଆ ଦିଲ୍ଲୀରେ ବାଂଲାଦେଶ ହାଇ କମିଶନରେ କାନ୍ସୁଲର ସେବା ଓ ଭିସା ଜାରି କରିବାର ପ୍ରକ୍ରିୟାକୁ ଆଗାମୀ ଆଦେଶ ଯାଏ ସ୍ଥଗିତ ରଖା ଯାଇଛି।
କହି ରଖୁଛୁ ଯେ, ଛାତ୍ର ନେତା ଉସ୍ମାନ ହାଦିଙ୍କ ମୃତ୍ୟୁ ପରେ ବାଂଲାଦେଶରେ ହିଂସା ବ୍ୟାପକ ରୂପ ନେଇଛି। ଏହି ସମୟରେ ହୋଇଥିବା ଭାରତ ବିରୋଧୀ ପ୍ରଦର୍ଶନ ଗୁଡ଼ିକ ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଶୀର୍ଷରେ ପହଞ୍ଚିଛି। ସୋମବାର ବାଂଲାଦେଶ ମିଶନ ଭିସା ସେବା ସ୍ଥଗିତ କରାଯିବା ନେଇ ସୂଚନା ଦେଇଛି। ବାଂଲାଦେଶ ମିଶନ କହିଛି, ଜରୁରି ପରିସ୍ଥିତି ଯୋଗୁଁ , ନୂଆଦିଲ୍ଲୀରେ ବାଂଲାଦେଶ ହାଇକମିଶନର ସମସ୍ତ କନସୁଲାର ଏବଂ ଭିସା ସେବାକୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଅସ୍ଥାୟୀ ଭାବରେ ସ୍ଥଗିତ ରଖାଯାଇଛି।
ଏହାସହ ମଧ୍ୟ ପଢନ୍ତୁ : ବାଂଲାଦେଶରେ ଉଗ୍ରରୂପ ନେଇଛି ହିଂସା : ନ୍ୟାସନାଲ ସିଟିଜନ ପାର୍ଟିର ନେତାଙ୍କୁ କରାଯାଇଛି ଗୁଳି
ଏହା ପୂର୍ବରୁ ଭାରତ ରବିବାର ଭାରତ ବାଂଲାଦେଶର ଦକ୍ଷିଣ-ପୂର୍ବ ସହର ଚିଟ୍ଟାଗଙ୍ଗରେ ଥିବା ଭାରତୀୟ ଭିସା କେନ୍ଦ୍ରରେ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଭିସା ସେବାକୁ ସ୍ଥଗିତ ରଖିଥିଲା। ଏଠାରେ ଥିବା ସହାୟକ ଉଚ୍ଚାୟୋଗ (AHCI) ବାହାରେ ବହୁ ସଂଖ୍ୟକ ଲୋକ ଏକତ୍ରିତ ହେବା ପରେ ଭାରତ ଏହି ପଦକ୍ଷେପ ନେଇଥିଲା।
ସୂତ୍ରାନୁସାରେ, ବିରୋଧ ପ୍ରଦର୍ଶନକାରୀମାନେ ବାଂଲାଦେଶର ରାଜଶାହୀରେ ଥିବା ଭାରତୀୟ ଭିସା ଆବେଦନ କେନ୍ଦ୍ରରେ 'ରକ୍ତପାତ' କରିବାକୁ ଧମକ ଦେଇଥିଲେ। ଏହି ସମୟରେ, ପ୍ରତିବାଦକାରୀମାନେ ଖଣ୍ଡା ଏବଂ ଅସ୍ତ୍ରଶସ୍ତ୍ର ଉଠାଇବା ନେଇ ମଧ୍ୟ କହି ଥିଲେ। ଗୁରୁବାର, ଚିଟ୍ଟାଗଙ୍ଗରେ ସହାୟକ ଭାରତୀୟ ଉଚ୍ଚାୟୁକ୍ତଙ୍କ ବାସଭବନ ଉପରେ ପଥର ମାଡ଼ ହେବାର ଏକ ଘଟଣା ମଧ୍ୟ ଘଟିଥିଲା। ଭାରତୀୟ ଭିସା ଆବେଦନ କେନ୍ଦ୍ର (IVAC) ଏକ ବିବୃତ୍ତିରେ କହିଛି ଯେ, ଚିଟ୍ଟାଗଙ୍ଗରେ ଭାରତୀୟ ସହାୟକ ଉଚ୍ଚାୟୋଗରେ ନିକଟରେ ଘଟିଥିବା ଘଟଣା କାରଣରୁ IVACରେ ସେବା ସ୍ଥଗିତ କରି ଦିଆ ଯାଇଛି।
ଆଇଭିଏସି ଅନୁସାରେ, ସହରରେ ଭାରତୀୟ ଭିସା ସମ୍ୱନ୍ଧୀୟ ସବୁ ସେବା ୨୧ ଡିସେମ୍ବରରୁ ପରବର୍ତ୍ତୀ ସୂଚନା ଯାଏ ବନ୍ଦ ରହିବ। ବିବୃତ୍ତିରେ କୁହାଯାଇଛି ଯେ,ସୁରକ୍ଷା ସ୍ଥିତିର ସମୀକ୍ଷା ପରେ ଭିସା ଆବେଦନ କେନ୍ଦ୍ରକୁ ପୁନଃ ଖୋଲିବା ସମ୍ପର୍କରେ ପରବର୍ତ୍ତୀ ଘୋଷଣା କରାଯିବ।