ଆବୁଧାବି,୧୬/୦୯: ଚଳିତ ଏସିଆ କପ୍ର ଗ୍ରୁପ୍ ବି’ରେ ମଙ୍ଗଳବାର ଆଫଗାନିସ୍ତାନ ଓ ବାଂଲାଦେଶ ପରସ୍ପରକୁ ଭେଟିବେ । ପ୍ରଥମ ମ୍ୟାଚ୍ରେ ହଂକଂକୁ ହରାଇଥିବା ଆଫଗାନିସ୍ତାନ ବିଜୟ ସହ ପଏଣ୍ଟ ତାଲିକାର ଶୀର୍ଷକୁ ଉଠିବାକୁ ପ୍ରୟାସ କରିବ । ବାଂଲାଦେଶ ପାଇଁ ବିଜୟ ଜରୁରି । ୨ଟି ମ୍ୟାଚ ଖେଳି ଗୋଟିଏ ବିଜୟ ସହ ୨ ପଏଣ୍ଟ ହାସଲ କରିଥିବା ବାଂଲାଦେଶ ଆଜି ପରାଜିତ ହେଲେ ସୁପର-୪ ଦୌଡ଼ରୁ ବାଦ ପଡ଼ିବ ।
ଆଫଗାନିସ୍ତାନ ଚମତ୍କାର ଫର୍ମରେ ରହିଛି । ରସିଦ ଖାନ, ନୂର ଅହମ୍ମଦ, ଆଲା ଗଜନଫର, ମୁଜିବ ଉର ରେହମାନ ଓ ମହମ୍ମଦ ନବିଙ୍କୁ ନେଇ ଗଠିତ ସ୍ପିନ ବାହିନୀ ଅନ୍ୟ ସବୁ ଦଳଙ୍କ ନିଦ ହଜାଇ ଦେଇଛନ୍ତି । ପେସ୍ ବୋଲିଂ ଅଲରାଉଣ୍ଡର ଅଜମତୁଲ୍ଲା ଓମାରଜାଇ ମଧ୍ୟ ଫର୍ମ ଫେରି ପାଇଛନ୍ତି । ଗତ ହଂକଂ ବିପକ୍ଷ ମ୍ୟାଚ୍ରେ ସେ ୨୦ଟି ବଲ୍ରୁ ଅର୍ଦ୍ଧଶତକ ଅର୍ଜନ କରିଥିଲେ ।
ବାଂଲାଦେଶ ଏକ ସନ୍ତୁଳିତ ତଥା ଅଭିଜ୍ଞ ଦଳ ହୋଇଥିଲେ ହେଁ ଆଫଗାନିସ୍ତାନର ବୋଲିଂ ବିଭାଗକୁ ନେଇ ଚିନ୍ତାରେ ରହିବା ସ୍ୱାଭାବିକ । ଟସ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରୁଥିବାରୁ ସବୁ ବିଭାଗରେ ଉନ୍ନତି କରିବା ଜରୁରି । ପ୍ରଥମେ ବ୍ୟାଟିଂ ମିଳିଲେ ବିଶାଳ ସ୍କୋର କରିବା ବାଂଲାଦେଶର ମୁଖ୍ୟ କାର୍ଯ୍ୟ ହେବ । ଠିକ୍ ସେହିପରି ବୋଲିଂ ମିଳିଲେ ଆଫଗାନିସ୍ତାନକୁ କମ ରନ ମଧ୍ୟରେ ଅଟକାଇବାକୁ ପଡ଼ିବ । ବାଂଲାଦେଶକୁ ଫିଲ୍ଡିଂରେ ମଧ୍ୟ ଉନ୍ନତି ଆଣିବାକୁ ହେବ । ଆବୁଧାବି ପିଚ ସ୍ପିନରଙ୍କୁ ବେଶ ସହାୟତା କରୁଥିଲେ ହେଁ ବ୍ୟାଟିଂ ପାଇଁ ଅନୁକୂଳ । ଏଠାରେ ବଡ଼ ସ୍କୋର ସମ୍ଭବ ହୋଇପାରିବ । ତଥାପି ବୋଲରମାନେ ମ୍ୟାଚ୍ ଫଳାଫଳ ନିର୍ଦ୍ଧାରଣ କରିବେ । ଟସ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିତ ।
ସମ୍ଭାବ୍ୟ ଦଳ
ଆଫଗାନିସ୍ତାନ: ସେଦିକୁଲ୍ଲା ଅଟଳ, ରହମନୁଲ୍ଲା ଗୁରବାଜ, ଇବ୍ରାହିମ ଜାଡ୍ରାନ, ମହମ୍ମଦ ନବି, ଗୁଲବଦିନ ନାଏବ, ଅଜମତୁଲ୍ଲା ଓମାରଜାଇ, କରିମ ଜନତ, ରସିଦ ଖାନ (ଅଧିନାୟକ), ନୂର ଅହମ୍ମଦ, ଆଲା ଗଜନଫର, ଫଜଲହକ ଫାରୁକି ।
ବାଂଲାଦେଶ: ତନଜିଦ ହାସାନ, ପରଭେଜ ହୋସେନ ଇମୋନ, ଲିଟନ ଦାସ (ଅଧିନାୟକ), ତୋହିଦ ହୃଦୟ, ସମିମ ହୋସେନ, ଜାକର ଅଲି, ମେହଦି ହାସାନ, ତନଜିମ ହାସାନ ସାକିବ, ରିସଦ ହୋସେନ, ଟସ୍କିନ ଅହମ୍ମଦ, ମୁସ୍ତାଫିଜୁର ରେହମାନ ।