ଫିରିଙ୍ଗିଆ, ୨୬/୩ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକରେ ବର୍ତ୍ତମାନ ଅଧିକାଂଶ ବିଦ୍ୟାଳୟ ଅବ୍ୟବସ୍ଥା ଦେଇ ଗତି କରୁଛି । କେଉଁଠି ବିଦ୍ୟାଳୟ କୋଠରୀ ନ ଥିବାରୁ ଛାତ୍ରଛାତ୍ରୀ ପାଠ ପଢି ପାରୁନଥିବାବେଳେ କେଉଁଠି ବିଦ୍ୟାଳୟରେ ପାଣି ନ ଥିବାରୁ ହଷ୍ଟେଲରେ ରହୁଥିବା ଅନ୍ତେବାସୀ ପାଣି ଟୋପାଏ ନ ପାଇ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ଅନେକ ବିଦ୍ୟାଳୟ ରହିଛି ଛାତ୍ରଛାତ୍ରୀଙ୍କ ଶିକ୍ଷାଦାନ ପାଇଁ ଆବଶ୍ୟକୀୟ ଶିକ୍ଷକ ଶିକ୍ଷୟିତ୍ରୀ ନ ଥିବାରୁ ବିଦ୍ୟାଳୟରେ ଶିକ୍ଷାଦାନ ପ୍ରଭାବିତ ହେବା ସହ ଛାତ୍ରଛାତ୍ରୀ ପାଠ ପଢ଼ାରୁ ବଞ୍ଚିତ ହୋଇ କେବଳ ମଧ୍ୟାହ୍ନ ଭୋଜନରେ ସନ୍ତୁଷ୍ଟ ହେଉଛନ୍ତି । କେଉଁଠି କମ୍ ଶିକ୍ଷକ ଯୋଗୁଁ ଶିକ୍ଷକମାନଙ୍କ ବିଭିନ୍ନ ତାଲିମ ଓ କାଗଜପତ୍ରରେ ମାସ ମାସ କାଟୁଥିବା ବେଳେ ପାଠପଢେଇବାକୁ ମଧ୍ୟ ସମୟ ମିଳି ପାରୁନାହଁ । ଯାହାକୁ ନେଇ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଉଛି l

ଏଭଳି ଏକ ବିଦ୍ୟାଳୟ ଦେଖିବାକୁ ମିଳିଛି ଫିରିଙ୍ଗିଆ ବ୍ଲକ ବାଲନ୍ଦାପଡା ପଞ୍ଚାୟତ ବଉପଙ୍ଗା ପ୍ରାଥମିକ ବିଦ୍ୟାଳୟରେ । ଏଠାରେ ମୋଟ୍ ୮୦ଜଣ ପିଲା ବିଦ୍ୟାଳୟ ଶିକ୍ଷା ବିଭାଗ ଦ୍ୱାରା ପରିଚାଳିତ ହୋଇଥିବାବେଳେ ଅନ୍ତେବାସୀ ଭାବେ ରହି ୪୦ଜଣ ଛାତ୍ରୀ ପାଠ ପଢୁଛନ୍ତି l ବିଦ୍ୟାଳୟରେ ମିନତୀ ସାହୁ ନାମକ ଶିକ୍ଷୟିତ୍ରୀ ପ୍ରଧାନ ଶିକ୍ଷୟିତ୍ରୀ ଅଛନ୍ତି ଏବଂ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ମିଶାଇ ତିନି ଜଣ ଶିକ୍ଷକ ଥିବାବେଳେ ଗତ ଏପ୍ରିଲ ମାସରେ ଜଣେ ଶିକ୍ଷକ ଅବସର ନେଇଥିବାରୁ ବର୍ତ୍ତମାନ ପ୍ରଧାନଶିକ୍ଷୟିତ୍ରୀଙ୍କ ସହ ମାତ୍ର ଜଣେ ଶିକ୍ଷକ ଅଛନ୍ତି l ଦୁଇ ବର୍ଷ ପୂର୍ବରୁ ବିଦ୍ୟାଳୟର ପାଚେରୀ ଭାଙ୍ଗି ନଷ୍ଟ ହୋଇଯାଇଛି l ୫ଟି କୋଠରୀରୁ ଦୁଇଟି ନଷ୍ଟ ହୋଇଥିବାବେଳେ ମାତ୍ର ୩ଟି କୋଠରୀରେ ୮୦ଜଣ ଛାତ୍ରଛାତ୍ରୀ ବହୁ କଷ୍ଟରେ ପାଠ ପଢୁଛନ୍ତି l ବିଦ୍ୟାଳୟରେ ପାଣି ପାଇଁ ସୋଲାର ବ୍ୟବସ୍ଥା ଅଛି, କିନ୍ତୁ ଠିକରେ ପାଣି ଉଠୁ ନ ଥିବାରୁ ପାଣି ପାଇଁ ଅସୁବିଧାର ସମ୍ମୁଖୀନ ହେଉଥିବାବେଳେ ଖରା ଦିନେ ସମସ୍ୟା କହିଲେ ନ ସରେ l

ବିଦ୍ୟାଳୟରେ ରୋଷେଇ ପାଇଁ ପାଣି ମିଳୁ ନ ଥିବାରୁ ବହୁ ଦୂରରୁ ବଡ଼ କଷ୍ଟରେ ପାଣି ଆଣି ରୋଷେଇ କରୁଥିବା ଦେଖିବାକୁ ମିଳିଛି l ତେବେ ପୂର୍ବରୁ ସରପଞ୍ଚ, ବିଡ଼ିଓ ଓ ଆଦିବାସୀ ଉନ୍ନୟନ ସଂସ୍ଥା ଫୁଲବାଣୀକୁ ବାରମ୍ବାର ଲିଖିତ ଭାବେ ଜଣାଇଥିଲେ ମଧ୍ୟ କୌଣସି ସମାଧାନ ହୋଇପାରିନଥିବା କହିଛନ୍ତି ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ମାନେ l ଅନ୍ୟପଟେ ତୁରନ୍ତ ପାଣି ସମସ୍ୟାର ସମାଧାନ ସହ ବିଦ୍ୟାଳୟର ଭଙ୍ଗା ପାଚେରୀ ମରାମତି ଏବଂ ଶ୍ରେଣୀ କୋଠରୀ ମରାମତି ସହ ଶିକ୍ଷକ ଯୋଗାଇଦେବାକୁ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟଙ୍କ ସହ ଗ୍ରାମବାସୀ ଦାବି କରିଛନ୍ତି l ଏହି ଘଟଣାକୁ ନେଇ ଫିରିଙ୍ଗିଆ ଗୋଷ୍ଠୀ ଶିକ୍ଷା ଅଧିକାରୀ ଆଲୋକ କୁମାର ପ୍ରଧାନଙ୍କୁ ପଚାରିବାରୁ ବିଦ୍ୟାଳୟର ଶିକ୍ଷକ ସମସ୍ୟା ନେଇ ମୋ ପାଖକୁ ଅଭିଯୋଗ ଆସିଛି । କିନ୍ତୁ ପାଣି ସମସ୍ୟା ନେଇ ଅଭିଯୋଗ ଆସି ନାହିଁ । କିଭଳି ପାଣି ସମସ୍ୟାର ସମାଧାନ ହୋଇପାରିବ ସେ ନେଇ ଲିଖିତ ଭାବେ ବିଭାଗୀୟ ଅଧିକାରୀଙ୍କୁ ଜଣାଇବେ ବୋଲି କହିଛନ୍ତି l