କରଞ୍ଜିଆ, ୨୭।୬ : କରଞ୍ଜିଆରେ ଡବଲ ମର୍ଡର । ମା’ ଓ ୮ ବର୍ଷର ଝିଅଙ୍କୁ ବେକ କାଟି ହତ୍ୟା। ମହୁଲଡିହା ଥାନା ଅନ୍ତର୍ଗତ ତରାମରା ଗ୍ରାମପଞ୍ଚାୟତ ଡକେଇପାଳ ଗ୍ରାମର ମୁକ୍ତାଝରୀ ସାହିରେ ଏହି ଘଟଣା ଘଟିଛି। ମୃତକମାନେ ହେଲେ ମା’ ସୀତାମଣି ଟୁଡୁ ଓ ଝିଅ ଜବାମଣି ଟୁଡୁ ।
ସୂଚନା ଅନୁଯାୟୀ ମୁକ୍ତାଝରୀ ସାହିର ଚୈତ୍ଯନ ଟୁଡୁ ଶନିବାର ପୂର୍ବାହ୍ନ ୧୦ଟା ବେଳେ କୋଦାଳକୁ ଧାର କରିବା ପାଇଁ ନିକଟସ୍ଥ କମାର ଶାଳକୁ ଯାଇଥିଲେ । ଅପରାହ୍ନ ପ୍ରାୟ ୨ଟାରେ ଫେରି ଘରର ସବୁ କବାଟ ବନ୍ଦ ଥିବା ଦେଖିଥିଲେ। ଡାକିଲେ ମଧ୍ଯ କେହି ଶୁଣିନଥିଲେ। ଶୋଇବା ଘର ଭିତର ପଟୁ ବନ୍ଦ ଥିଲା। ସିଡି ଲଗାଇ ସ୍କାଇ ଲାଇଟ ପଟେ ଉଠି ଦେଖିଥିଲେ ଯେ ସ୍ତ୍ରୀ ସୀତାମଣି ଟୁଡୁ ଏବଂ ନାବାଳିକା ଝିଅ ଜବାମଣି ଟୁଡୁ ତଳେ ମରି ପଡିଥିଲେ। ଭିତର ପଟୁ କବାଟ ଖୋଲି ଦେଖନ୍ତିତ ଝିଅର ବେକ ଧାରୁଆ ଅସ୍ତ୍ରରେ କଟାଯାଇଛି ଓ ସ୍ତ୍ରୀ ସୀତାର ମଧ୍ଯ ମୃତ୍ୟୁ ହୋଇଛି। ସେ ୨ ଜଣକଙ୍କ ମୃତଦେହ ଉପରେ ଲୁଗା ଢାଙ୍କି ଦେଇ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ମହୁଲଡିହା ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ତଦନ୍ତ ଆରମ୍ଭ କରିଛି। କରଞ୍ଜିଆ SDPO ନବକୃଷ୍ଣ ନାୟକ ଘଟଣା ସ୍ଥଳରେ ପହଁଞ୍ଚିଛନ୍ତି । ତେବେ ହତ୍ୟାକାଣ୍ଡର ରହସ୍ୟ ଜଣା ପଡ଼ିନଥିବା ବେଳେ ଆସନ୍ତାକାଲି ସାଇଣ୍ଟିଫିକ ଟିମ ଆସିଲା ପରେ ଶବ ବ୍ୟବଛେଦ ପାଇଁ ପଠାଯିବ ବୋଲି SDPO ନବକୃଷ୍ଣ ନାୟକଙ୍କ ସୂଚନା ଦେଇଛନ୍ତି ।
ଆହୁରି ପଢନ୍ତୁ : ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଲା ଦୁର୍ବୃତ୍ତ, ପୋଡି ହୋଇ ଯୁବତୀ ଗୁରୁତର