ଭୁବନେଶ୍ୱର,୧୯/୧୧: ଯାହା ଅଭିଯୋଗ ଉଠିଥିଲା, ସତ ହେଲା । ପାଖାପାଖି ୧୪୦ ଡିସିମିଲ ସରକାରୀ ଜାଗା ମାଡି ବସି ଛିଡ଼ା ହୋଇଛି ଶ୍ରୀ ବୈକୁଣ୍ଠ ଧାମ ଆଶ୍ରମ । ପାଖାପାଖି  ୮ କୋଟି ଟଙ୍କା ମୂଲ୍ୟର ଜମିରେ ଗଢ଼ାଯାଇଛି ବେଆଇନ୍‌ ମଣ୍ଡପ, କୋଠା ଆଉ ରୋଷଶାଳା । ସରକାରୀ ଜାଗାକୁ କବ୍‌ଜା କରି ଧର୍ମ ନାଁରେ ଭାଣ୍ଡାମୀ ଚାଲିଛି ।  

ସାଧାରଣ ପ୍ରଶାସନ ବିଭାଗ,  ବିଡିଏ ଓ ଭୁବନେଶ୍ୱର ତହସିଲର  ମିଳିତ ଯାଞ୍ଚ ପରେ ଏଭଳି ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି । ସୋମବାର  ପୂର୍ବାହ୍ଣରେ ସାଧାରଣ ପ୍ରଶାସନ  ବିଭାଗର ସହ-ନିର୍ଦ୍ଦେଶକ ଅମୀୟ  ଦାସଙ୍କ ନେତୃତ୍ୱରେ ଏକ ୮ ଜଣିଆ  ମିଳିତ ଟିମ୍‌ ଘଟଣାସ୍ଥଳକୁ ଯାଇଥିଲା । ଜୟଦେବ ବାଟିକା-ମଣିପାଲ ହସ୍ପିଟାଲ  ରାସ୍ତାକଡ଼ରୁ ମାପଚୁପ ଆରମ୍ଭ ହୋଇଥିଲା । ପାଖାପାଖି ୨ ଘଣ୍ଟାର ମାପଚୁପ ପରେ ସ୍ୱତନ୍ତ୍ର ମିଳିତ ଦଳ ଆଶ୍ରମ ଛାଡିଥିଲା ।  

ବିଭାଗୀୟ ଅତିରିକ୍ତ ସଚିବ ମାନସ ରଞ୍ଜନ ସାମଲ କହିଛନ୍ତି,  ଘାଟିକିଆ ମୌଜାର ଖାତା ନଂ ୨୩୩୯  (ଜିଏଡି)ର ପ୍ଲଟ୍‌ ନଂ ୯୦୩୭ ଓ ୯୦୩୮ ‘ପତିତ’ କିସମର ଜମି  ଉପରେ ଏହି ଆଶ୍ରମ ଗଢ଼ାଯାଇଛି ।  ଆଶ୍ରମଟି ୧୪୦ ଡିସିମିଲ୍‌ ଯାଏଁ  ବ୍ୟାପିଛି । ଜୟଦେବ ବାଟିକା ସାମ୍ନା  ବିସ୍ତୀର୍ଣ୍ଣ ‘ପତିତ’ କିସମ ଜାଗା  ସାଧାରଣ ପ୍ରଶାସନ ବିଭାଗ ଅଧୀନରେ  ଥିଲା । କିନ୍ତୁ ୨୦୧୫ ମସିହାରେ ବସ୍ତି  ପୁନଃ ଉନ୍ନୟନ ଉଦ୍ଦେଶ୍ୟରେ ଘାଟିକିଆ  ମୌଜାର ୨୨ ଏକର ଜାଗ ବିଡିଏକୁ ହସ୍ତାନ୍ତର କରାଯାଇଥିଲା । ଏହି ଯୋଜନାରେ ଆଶ୍ରମର  ୧୪୦ ଡିସିମିଲ ଜାଗା ମଧ୍ୟ ଆସୁଛି । ସରଜମିନ୍‌ ଯାଞ୍ଚ ପରେ  ଆଶ୍ରମକୁ ଭାଙ୍ଗିବାକୁ ବିଡିଏକୁ ଚିଠି କରାଯାଇଛି । ସେପଟେ ଆଇନ୍‌  ମୁତାବକ ଆଶ୍ରମକୁ ଭାଙ୍ଗିବା ପାଇଁ ପ୍ରକ୍ରିୟା ଆରମ୍ଭ ହେବ ବୋଲି  ବିଡିଏ ସୂଚନା ଦେଇଛି । 

ଆଶ୍ରମର ବାବା ପଣ୍ଡିତ କାଶୀନାଥ ମିଶ୍ର ଓ ତାଙ୍କ ପୁଅ  କିଛି ଦିନ ପୂର୍ବରୁ ଉଭାନ ହୋଇ ଯାଇଥିଲେ । କିନ୍ତୁ ଭକ୍ତମାନେ  ଆଶ୍ରମରେ ଟହଲ ମାରୁଥିଲେ । ବେଆଇନ ସରକାରୀ ଜମିରେ  ଆଶ୍ରମ ଚାଲୁଥିବା ଜାଣିବା ପରେ ସ୍ଥାନୀୟ ବାସିନ୍ଦା ଗତକାଲି  ଆଶ୍ରମରେ ଧସେଇ ପଶିଥିଲେ। ଭକ୍ତମାନେ ମନଇଚ୍ଛା ଗାଳିଗୁଲଜ  କରିଥିଲେ । ଆଜିର ଚିତ୍ର ସମ୍ପୂର୍ଣ୍ଣ ଅଲଗା ଥିଲା । ଆଶ୍ରମରେ ଜଣେ  ବି ଭକ୍ତଙ୍କ ଦେଖା ମିଳିନଥିଲା । ଅଧିକାଂଶ କୋଠରୀରେ ତାଲା  ଝୁଲିଥିଲା । ଏମିତିକି ଟ୍ରଷ୍ଟି ସଭାପତି ପାଣ୍ଡବ କୁମାର ପରିଡ଼ା ମଧ୍ୟ  ନଥିଲେ । ଜଣେ ସବ୍‌ଇନ୍ସପେକ୍ଟରଙ୍କ ନେତୃତ୍ୱରେ ୨ ସେକ୍ସନ  ପୁଲିସ ବାହିନୀ ଆଶ୍ରମକୁ ଜଗି ରହିଛନ୍ତି ।  

ସେପଟେ ଆଶ୍ରମର ବାବାଙ୍କ ଗୁମର ଧୀରେ ଧୀରେ  ଖୋଲିବାରେ ଲାଗିଛି । କୋଳଥିଆ ଅଞ୍ଚଳର ଜଣେ ଇଞ୍ଜିନିୟରିଂ  ଛାତ୍ରୀ ତାନଭି କହିଛନ୍ତି ଯେ ଘରୋଇ ସମସ୍ୟା ଯୋଗୁ କିଛି ମାସ  ତଳେ ସେ ବାପା-ମାଆଙ୍କ ସହ ଆଶ୍ରମ ଯାଇଥିଲେ । ସେତେବେଳେ  ସେ କୁନି ସାରଥୀ ବାବାଙ୍କୁ ଅତି ପାଖରୁ ଦେଖିଥିଲେ । ତାଙ୍କ ବୟସ  ୧୮ରୁ ଅଧିକ ବର୍ଷ ହେବ । ସେ ବେକରେ ଫୁଲ ମାଳ ପକାଇଥିଲେ ।  ଧୋତି ବି ପିନ୍ଧିଥିଲେ । ଆଉ ତାଙ୍କ ସାମ୍ନାରେ ଶତାଧିକ ଭକ୍ତ ବସି  ଭଜନ କୀର୍ତ୍ତନ କରୁଥିଲେ । ବାବା ଗୋଟି ଗୋଟି କରି ସମସ୍ୟା  ଶୁଣୁଥିଲେ । ପିଲା ଛୁଆ ହେଉନଥିବା କିଛି ମହିଳା ମଧ୍ୟ ବାବାଙ୍କ  ଶରଣ ନେଇଥିଲେ । ଲକ୍ଷାଧିକ ଟଙ୍କା ବଦଳରେ ବାବା ଓ ଆଶ୍ରମର  ସଦସ୍ୟମାନେ ଭକ୍ତମାନଙ୍କୁ କିଛି ଚେର ମୂଳି ଧରାଉଥିଲେ ।  ଏମିତିକି କିଛି ବିଦେଶୀ ଭକ୍ତ ମଧ୍ୟ ଆଶ୍ରମରେ ଥିଲେ । ପରେ  କିଛି ସହପାଠୀଙ୍କ ଜରିଆରେ ତାନ୍‌ଭି ଜାଣିବାକୁ ପାଇଲେ, କୁନି  ସାରଥୀ ବାବା କୁଆଡ଼େ କେଟିଏମ୍‌ ବାଇକରେ ଯୁବତୀମାନଙ୍କୁ  ବୁଲାଉଛନ୍ତି । ନାମୀ କାଫେ ଓ କ୍ଲବ୍‌ରେ ତାଙ୍କର ଅଧିକାଂଶ ସମୟ  ବିତୁଛି । ଏହାପରେ ସେ ଆଶ୍ରମ ଯିବା ବନ୍ଦ କରିଦେଇଛନ୍ତି ।  

ଧର୍ମ ନାଁରେ ଆଶ୍ରମରେ ଭାଣ୍ଡାମୀ ଅଭିଯୋଗ ଆଣି ନିଖିଳ  ଓଡି଼ଶା ସ୍ୱେଚ୍ଛାସେବୀ ମହାସଂଘର ସଦସ୍ୟମାନେ ସୋମବାର  ଆଶ୍ରମରେ ହଙ୍ଗାମା କରିଥିଲେ । ଆଶ୍ରମ ଫାଟକରେ ସେମାନେ  ଗୋବର ବଦଳରେ କାଦୁଅ ଓ ପଙ୍କ ବୋଳିଥିଲେ । ମହାସଂଘ  ସଭାପତି ସୁଜାତା ପଶାୟତ କହିଛନ୍ତି, ପବିତ୍ର ସ୍ଥାନରେ ଗୋବର  ଲେପାଯାଏ । କିନ୍ତୁ ଏଠି ଧର୍ମ ଓ ପ୍ରବଚନ ନାଁରେ ରିତିମତ ପ୍ରହସନ  ଚାଲିଥିଲା । ହିନ୍ଦୁ ଧର୍ମ ପ୍ରତି ଏଭଳି କୁତ୍ସିତ ବ୍ୟବହାର ଆମେ  ଆଦୌ ସହିବୁନି । ଆଗାମୀ ଦିନରେ ଆଶ୍ରମକୁ ଭଙ୍ଗା ନଗଲେ,  ଅନିର୍ଦ୍ଦିଷ୍ଟ କାଳ ଯାଏଁ ଧାରଣାରେ ବସିବୁ ।