ଭୁବନେଶ୍ବର,୨୪।୩ : ନୟାଗଡ ଜିଲ୍ଲା କଣ୍ଟିଲୋ ଠାରେ ଭାରତ ବିଶ୍ୱାବସୁ ଶବର ସମାଜ ପ୍ରତିଷ୍ଠା ଦିବସକୁ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ସୋମବାର ଉଦଘାଟନ କରିଛନ୍ତି। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଯୋଗ ଦେଇ କହିଥିଲେ ଯେ ପ୍ରଭୁ ନୀଳମାଧବଙ୍କର ଏହି ପୁଣ୍ୟପୀଠକୁ ଆସିବା ମୋର ସୌଭାଗ୍ୟ । ମହାମହିମ ନିଜର ସମସ୍ତ ବ୍ୟସ୍ତ ବହୁଳ ଓ କାର୍ଯ୍ୟବହୁଳ ସମୟରୁ ସମୟ କାଢି ନିଜ ରାଜ୍ୟକୁ ଆସିଛନ୍ତି । ଭାରତୀୟ ବିଶ୍ୱାବସୁ ଶବର ସମାଜ ପ୍ରତିଷ୍ଠା ଦିବସର ଉଦଘାଟନ କରିଛନ୍ତି । ଭାରତର ସର୍ବୋଚ୍ଚ ଶାସନକର୍ତ୍ତା ହୋଇ ମଧ୍ୟ ନିଜ ମାଟି ପ୍ରତି ଭଲ ପାଇବା, ଆବିଳତାକୁ ମୁଁ ଶବ୍ଦରେ ବର୍ଣ୍ଣନା କରିପାରିବି ନାହିଁ।
ଆଦିମ ଜନଜାତି ଶବର, ବନବାସୀ ସଂପ୍ରଦାୟ ଓଡ଼ିଶାର ପ୍ରାଚୀନ ଅଧିବାସୀ। ମହାନଦୀ ଅବବାହିକାର ଉର୍ବର ମୃତ୍ତିକା ଓ ଚାରଣ ଭୂମି ସହିତ ବଣପାହାଡ଼ ଘେରା ଅଞ୍ଚଳ ଏହି ଆଦିମ ସଂପ୍ରଦାୟକୁ ବସତି ସ୍ଥାପନରେ ସହାୟକ ହୋଇଆସିଛି। ଏହି ସଂପ୍ରଦାୟର ମୁଖ୍ୟ ଆଧାର ହେଉଛନ୍ତି କିମ୍ବଦନ୍ତୀ ଓ ପୁରାଣରେ ବର୍ଣ୍ଣିତ "ଶବର ରାଜା ବିଶ୍ୱାବସୁ" । ଏହି ଉତ୍ସବ ଆମ ଐତିହ୍ୟ, ପରମ୍ପରା ଓ ଭାବାବେଗ ସହ ଜଡ଼ିତ ବୋଲି ମୁଁ ଅନୁଭବ କରେ ।
ସର୍ବଧର୍ମର ସମନ୍ୱୟ କ୍ଷେତ୍ର ଭାବେ ନୟାଗଡ ଜିଲ୍ଲା ପ୍ରସିଦ୍ଧି ଲାଭ କରିଛି। ଓଡ଼ଗାଁର ରଘୁନାଥ ଜୀଉଙ୍କଠାରୁ ଆରମ୍ଭ କରି ଶରଣକୁଳର ଲଡ଼ୁବାବାଙ୍କ ପର୍ଯ୍ୟନ୍ତ ଏବଂ ମା’ ଦକ୍ଷିଣକାଳୀଙ୍କଠାରୁ ଆରମ୍ଭ କରି ନୀଳମାଧବଙ୍କ ପର୍ଯ୍ୟନ୍ତ; ବୈଷ୍ଣବ, ଶୈବ, ଶାକ୍ତ ଧର୍ମର ନିଦର୍ଶନ ଏହିଠାରେ ଦେଖିବାକୁ ମିଳେ।
ଆମ ସରକାର ଜନଜାତି ସମ୍ପ୍ରଦାୟଙ୍କ ଉଚ୍ଚ ପରମ୍ପରା ଓ ଐତିହ୍ୟର ସୁରକ୍ଷା ପାଇଁ ପ୍ରତିବଦ୍ଧ ଅଛନ୍ତି। ଜଙ୍ଗଲ ଜମି ଅଧିକାର ପ୍ରଦାନ ବଳରେ ସେମାନଙ୍କୁ ସଶକ୍ତ କରାଯାଉଛି। ଆଦିବାସୀ ମାନଙ୍କ ସାମଗ୍ରିକ ବିକାଶ ଉପରେ ଆମ ସରକାର ଗୁରୁତ୍ବ ଦେଉଛନ୍ତି।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆମ ଜନଜାତି ଭାଇ ଭଉଣୀମାନେ ଆମ ବିକାଶର ବାର୍ତ୍ତାବହ ହେବେ। ଏହି ଅନୁଷ୍ଠାନ ଓ ଏ ଅଞ୍ଚଳର ବିକାଶ କରାଯିବ । ଆମ ନୂତନ ସରକାର ଆସିବା ପରେ ଏହି ଅଞ୍ଚଳର ବିକାଶ ପାଇଁ ଅର୍ଥ ପ୍ରଦାନ କରାଯାଉଛି । ଏଠାରେ ଥିବା ପଠାଣି ସାମନ୍ତ ପ୍ଲାନେଟୋରିଅମ ପାଇଁ ୧୫ କୋଟି ଟଙ୍କା ପ୍ରଦାନ କରାଯାଇଛି । ସେହିପରି ସାଇନ୍ସ ପାର୍କ ଏବଂ ସାଇନନ୍ସ ସେଣ୍ଟର ପାଇଁ ୬ କୋଟି ଟଙ୍କା, ପଠାଣି ସାମନ୍ତ ସ୍ମୃତି ପୀଠ ପାଇଁ ମଧ୍ୟ ୨ କୋଟି ଟଙ୍କା ଦିଆଯାଇଛି । ଏହି ଅଞ୍ଚଳରେ ଏସିଆର ସର୍ବବୃହତ୍ତ ଉଷ୍ମପ୍ରସବଣ କେନ୍ଦ୍ର ପାଇଁ ମଧ୍ୟ ୨ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି । ସେହିପରି ମନ୍ଦିର ପରିଚାଳନା କମିଟି ପକ୍ଷରୁ ମୋତେ ଅନେକ ଦାବି ଉପସ୍ଥାପନ କରାଯାଇଛି, ଯେପରିକି ମନ୍ଦିର ବାର୍ଷିକ ପରିଚାଳନା ପାଇଁ ଆର୍ଥିକ ବ୍ୟବସ୍ଥା, ଏକ ସ୍ୱତନ୍ତ୍ର କର୍ପସ ଫଣ୍ଡ ଏବଂ ଅନ୍ୟାନ୍ୟ ଦାବି ରଖାଯାଇଛି । ପୂର୍ବ ସରକାର ୨୦୨୨ ମସିହାରେ ଯେଉଁ ୧୦୦ କୋଟି ଟଙ୍କା ପ୍ରଦାନ କରିଥିଲେ ଉକ୍ତ କାମ ଆଗେଇ ପାରିନାହିଁ । ଏହି ଅଞ୍ଚଳ କିପରି ଦେଶର ଟୁରୁଜିମ ମାନଚିତ୍ରରେ ସ୍ଥାନ ପାଇବ ସେଥିନେଇ ଆମର ଉଦ୍ୟମ ଜାରି ରହିବ । ମନ୍ଦିରର ଉନ୍ନତି, ସୌନ୍ଦର୍ଯ୍ୟକରଣ ଓ ପରିଚାଳନା ପାଇଁ ଟଙ୍କାର ଅଭାବ ରହିବ ନାହିଁ । ଜିଲ୍ଲାପାଳଙ୍କୁ ମଧ୍ୟ ପୁନର୍ବାର ଏକ ଡିପିଆର ପ୍ରସ୍ତୁତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଉଛି। ଏହି ନୀଳମାଧବ କ୍ଷେତ୍ରକୁ ଏକ ବିଶ୍ୱସ୍ତରୀୟ ପର୍ଯ୍ୟଟନ ଏବଂ ଆଧ୍ୟାତ୍ମିକ, ଧାର୍ମିକ ସ୍ଥଳ କରିବା ପାଇଁ ଯାହା ଆବଶ୍ୟକ ହେବ ଆମ ସରକାର ଆଗାମୀ ଦିନରେ ସବୁ କରିବେ ।
ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପାଟି, ବାଚସ୍ପତି ସୁରମା ପାଢୀ, ବିଧାୟକ, ଖଣ୍ଡପଡା ଦୁଷ୍ମନ୍ତ କୁମାର ସ୍ଵାଇଁ, ବିଧାୟକ ବଡମ୍ବା ବିଜୟ କୁମାର ଦଳବେହେରା ଏବଂ ଭାରତୀୟ ବିଶ୍ୱାବସୁ ଶବର ସମାଜ ଫାଉଣ୍ଡେସନର ସଭାପତି ଏବଂ ସମ୍ପାଦକ ପ୍ରମୁଖ ଅଭିଭାଷଣ ରଖିଥିଲେ ।