ଭୁବନେଶ୍ୱର ୨୨/୧୨: ଓଡ଼ିଆ ସିନେଶିଳ୍ପର ଲୋକପ୍ରିୟ ଅଭିନେତ୍ରୀ ଭୂମିକା ଦାଶ ଏବେ ଫିଲ୍ମ ସୁଟିଂରୁ ବ୍ରେକ୍ ନେଇଛନ୍ତି । ଭୂମିକା ବର୍ତ୍ତମାନ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଡେଣ୍ଟାଲ ସାଇନ୍ସରେ ବିଡିଏସ୍ର ଚତୁର୍ଥ ବର୍ଷ ଛାତ୍ରୀ । ଆସନ୍ତା ଜାନୁଆରୀରେ ତାଙ୍କର ପରୀକ୍ଷା । ତେଣୁ ସିନେମା ସୁଟିଂରୁ ବ୍ରେକ୍ ନେଇଛନ୍ତି ସେ ।
କଥାବାର୍ତ୍ତାବେଳେ ଭୂମିକା କହିଥିଲେ, ଏ ବର୍ଷ ତାଙ୍କ ଅଭିନୀତ ‘ଅପରେସନ ୧୨/୧୭’ ଓ ‘ଟିକେ ଟିକେ ଅଚିହ୍ନା ତୁ’ ରିଲିଜ ହୋଇଛି । ଆଗକୁ ପରୀକ୍ଷା ଥିବାରୁ ସେ ଏ ବର୍ଷ ଜାଣିଶୁଣି ଫିଲ୍ମ ସାଇନ୍ କରିନାହାନ୍ତି । ‘ଚନ୍ଦ୍ରମା’ ନାମରେ ଗୋଟିଏ ଫିଲ୍ମର ସୁଟିଂ ଅଧା ରହିଛି । ଆଉ କିଛି ଫିଲ୍ମର ପ୍ରସ୍ତାବ ତାଙ୍କ ନିକଟକୁ ଆସିଛି । ତେବେ ପରୀକ୍ଷା ସରିଲେ ଅର୍ଥାତ୍ ବ୍ରେକ୍ ପରେ ବାକି ଥିବା କାମ କଥା ଚିନ୍ତା କରିବେ ବୋଲି କହିଥିଲେ ଭୂମିକା ।
‘ରୁମ୍କୁ ଝୁମାନା’ ‘ଗପ ହେଲେ ବି ସତ’ ଚଳଚ୍ଚିତ୍ରରେ ଶିଶୁ କଳାକାର ଭାବେ ନଜର ଆସିଥିବା ଭୂମିକା ପରବର୍ତ୍ତୀ ସମୟରେ ଚଳଚ୍ଚିତ୍ରର ମୁଖ୍ୟ ନାୟିକା ଭାବେ ଅଭିନୟ କରି ପ୍ରଶଂସାର ପାତ୍ର ହୋଇଛନ୍ତି । ଭୂମିକାଙ୍କ ଫିଲ୍ମ ମଧ୍ୟରେ ରହିଛି - ‘ତୁ ମୋ ଲଭ ଷ୍ଟୋରୀ’, ‘ଶ୍ରୀମାନ ସୁରଦାସ’, ‘ନାୟକର ନାଁ ଦେବଦାସ’, ‘ତୁ ମୋ ଲଭ ଷ୍ଟୋରୀ ୨’ ଓ ଆହୁରି ଅନେକ । ପରୀକ୍ଷା ଶେଷ କରି ଭୂମିକା ପୁଣି ଫିଲ୍ମ କରିବେ ଓ ଆସନ୍ତା ବର୍ଷ ଦର୍ଶକଙ୍କୁ ଭରପୂର ମନୋରଞ୍ଜନ ଦେବେ ବୋଲି ଆଶା କରିଛନ୍ତି ଭୂମିକାଙ୍କ ପ୍ରଶଂସକ ।