ପାଟନା: ବିହାର ସରକାର ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ବିଧାନସଭାରେ ସୋମବାର ୩.୧୭ ଲକ୍ଷ କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରିଛନ୍ତି । ଚଳିତ ବର୍ଷ ଶେଷରେ ରାଜ୍ୟ ନିର୍ବାଚନ ହେବା ପୂର୍ବରୁ ଏହା ବର୍ତ୍ତମାନ ସରକାରଙ୍କ ଶେଷ ବଜେଟ୍ । ଆଜି ବିଧାନସଭାରେ ବଜେଟ୍ ଉପସ୍ଥାପନ କରିଛନ୍ତି ବିହାରର ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ । ତାଙ୍କ ପାଖରେ ଅର୍ଥ ବିଭାଗ ମଧ୍ୟ ରହିଛି । ଏହା ପୂର୍ବ ବଜେଟ୍ ୨,୭୯ ଲକ୍ଷ କୋଟି ଟଙ୍କା ତୁଳନାରେ ଏଥର ବଜେଟ୍‌ ୩୮,୧୬୯ କୋଟି ଅଧିକ । 

ବଜେଟ୍ ଉପସ୍ଥାପନ କରିବା ସମୟରେ ସମ୍ରାଟ ଚୌଧୁରୀ କହିଛନ୍ତି ଯେ, କ୍ୟାନ୍ସର କେୟାର ସୋସାଇଟ୍‌ ସ୍ଥାପନ କରାଯିବ। ସରକାର ବେଗୁସରାଇରେ ଏକ କର୍କଟ ରୋଗ ହସ୍ପିଟାଲ୍ ଖୋଲିବେ । ସର୍ବାଧିକ ସଂଖ୍ୟକ କର୍କଟ ରୋଗୀ ଏହି ଜିଲ୍ଲାରୁ ଛିହ୍ନଟ ହୋଇଛନ୍ତି ।  ଅର୍ଥ ମନ୍ତ୍ରୀ ସମ୍ରାଟ ଚୌଧୁରି କହିଛନ୍ତି, ବଜେଟ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ 'ସବକା ସାଥ ସବକା ବିକାଶ' ନୀତି ଏବଂ ମୁଖ୍ୟମନ୍ତ୍ରୀଙ୍କ 'ନ୍ୟାୟ କେ ସାଥ ବିକାଶ' ନୀତି ଉପରେ ଆଧାରିତ । ରାଜ୍ୟ ସରକାର ୨୦୨୫ ଏବଂ ୨୦୨୬ ଆର୍ଥିକ ବର୍ଷରେ ଶିକ୍ଷା ପାଇଁ ୬୦,୯୫୪ କୋଟି, ସ୍ୱାସ୍ଥ୍ୟ ପାଇଁ ୨୦,୩୩୫, ଗ୍ରାମୀଣ ବିକାଶ ପାଇଁ ୧୬,୧୯୩ ଏବଂ ଶକ୍ତି ପାଇଁ ୧୩,୪୮୩ କୋଟି ଖର୍ଚ୍ଚ କରିବେ । ସରକାର ପାଟନାରେ 'ମହିଳା ହାଟ' ମଧ୍ୟ ସ୍ଥାପନ କରିବେ ଏବଂ ରାଜ୍ୟର ସମସ୍ତ ପଞ୍ଚାୟତରେ 'କନ୍ୟା ବିବାହ ମଣ୍ଡପ' ଗଠନ କରାଯିବ ।  

ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ପଛୁଆ ବର୍ଗ ଏବଂ ଅତ୍ୟନ୍ତ ପଛୁଆ ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ଛାତ୍ରବୃତ୍ତି ରାଶିକୁ ପ୍ରତି ମାସରେ ୧ ହଜାର ଟଙ୍କାରୁ୨,୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି । ରାଜ୍ୟର ପ୍ରମୁଖ ସହରଗୁଡ଼ିକରେ ମହିଳାମାନଙ୍କ ପାଇଁ ସରକାର ଏକ ସ୍ୱତନ୍ତ୍ର ବସ୍ ସେବା ଆରମ୍ଭ କରିବେ। ଏହି ବସ୍‌ଗୁଡ଼ିକରେ ଡ୍ରାଇଭର ଏବଂ କଣ୍ଡକ୍ଟର ମଧ୍ୟ ମହିଳା ହେବେ। ରାଜ୍ୟର ପ୍ରମୁଖ ସହରଗୁଡ଼ିକରେ ତାଲିମ କେନ୍ଦ୍ର ପ୍ରତିଷ୍ଠା କରାଯିବ ଏବଂ ପ୍ରଶିକ୍ଷକ ମଧ୍ୟ ମହିଳା ରହିବେ । 

ସେ ଆହୁରି କହିଛନ୍ତି,  ସରକାର ଧାର୍ମିକ ପର୍ଯ୍ୟଟନ ଉପରେ ଧ୍ୟାନ ଦେବେ ଏବଂ ମହିଳାମାନଙ୍କୁ ପର୍ଯ୍ୟଟନ ଗାଇଡ୍ ଭାବରେ ତାଲିମ ଦିଆଯିବ । ପୂର୍ଣ୍ଣିଆ ବିମାନବନ୍ଦରର କାମ ସମାପ୍ତ ହେବାକୁ ଯାଉଛି । ଆଗାମୀ ତିନି ମାସ ମଧ୍ୟରେ ପୂର୍ଣ୍ଣିଆ ବିମାନବନ୍ଦରରୁ ବିମାନ ଉଡ଼ାଣ ଆରମ୍ଭ ହେବ ।