- ଟେଣ୍ଡର ଡାକିଲା ଏଏଆଇ
- ଭୁବନେଶ୍ୱର-ହୁବ୍ଲି ଯୋଡ଼ି ପାଇଁ ଟେଣ୍ଡର
- ଏନ୍ଏମ୍ପି ଜରିଆରେ ବିକାଶ କରାଯିବ
- କେବଳ ଏୟାର ଟ୍ରାଫିକ୍ ରହିବ ଏୟାରପୋର୍ଟ ହାତରେ
ଭୁବନେଶ୍ୱର,୧/୦୨: ଭୁବନେଶ୍ୱର ବିମାନବନ୍ଦର ଘରୋଇକରଣ ହେବ । ପବ୍ଲିକ ପ୍ରାଇଭେଟ ପାର୍ଟନର୍ସିପ (ପିପିପି) ମୋଡରେ ଏହାର ପରିଚାଳନା କରାଯିବ । ଏନେଇ ତୃତୀୟ ପର୍ଯ୍ୟାୟ ଟେଣ୍ଡର ଆହ୍ୱାନ କରିଛି ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ (ଏଏଆଇ) । ପବ୍ଲିକ ପ୍ରାଇଭେଟ ପାର୍ଟନରସିପ ଆପ୍ରାଇଜାଲ୍ କମିଟି (ପିପିପିଏସି)ର ଯାଞ୍ଚ ପରେ ଆଗକୁ ବଢ଼ିବ ଘରୋଇକରଣ ପ୍ରକ୍ରିୟା ।
ଭୁବନେଶ୍ୱର ବିମାନବନ୍ଦରକୁ ଘରୋଇ କମ୍ପାନି ହାତକୁ ଟେକି ଦିଆଯିବ । ଏୟାରପୋର୍ଟର ପରିଚାଳନା ଠାରୁ ଆରମ୍ଭ କରି ସଫେଇ ପର୍ଯ୍ୟନ୍ତ ସବୁ କିଛି ଘରୋଇ କମ୍ପାନି ପରିଚାଳନା କରିବ । ଗାଡି ପାର୍କିଂ ଫି ଆଦାୟ, ଯାତ୍ରୀ ଯାଞ୍ଚ, ଲଗେଜ୍ ପରିବହନ ବି ଘରୋଇ ଅନୁଷ୍ଠାନ କରିବ । କେବଳ ଏୟାରପୋର୍ଟ ହାତରେ ଟ୍ରାଫିକ୍ କଣ୍ଟ୍ରୋଲ ମ୍ୟାନେଜ୍ମେଣ୍ଟ ଏବଂ ସୁରକ୍ଷା ରହିବ । ଏଏଆଇ ପକ୍ଷରୁ ଟେଣ୍ଡର ଡକା ହୋଇଛି । ଏଥିରେ ଭୁବନେଶ୍ୱର ସହ ହୁବଲି ଏୟାରପୋର୍ଟକୁ ବଣ୍ଡଲ ଅପ୍ ପେୟାରରେ ଯୋଡ଼ା ହୋଇଛି। ଏହି ଦୁଇ ଏୟାରପୋର୍ଟକୁ ଗୋଟିଏ ଘରୋଇ ଅନୁଷ୍ଠାନ ଟେଣ୍ଡର ଜରିଆରେ ନେବାକୁ ବାଧ୍ୟତାମୂଳକ କରାଯାଇଛି । ଭୁବନେଶ୍ୱର ଲାଭଦାୟକ ବିମାନବନ୍ଦର ହୋଇଥିବାବେଳେ ହୁବଲି କ୍ଷତିରେ ଚାଲୁଛି । ତେଣୁ ଭୁବନେଶ୍ୱର ବିମାନବନ୍ଦର ଲାଭରେ ଏହି ହୁବଲି ଏୟାରପୋର୍ଟର ବିକାଶ କରାଯିବ ।
ଆହୁରି ପଢ଼ନ୍ତୁ :- ସାମୁଦ୍ରିକ ଖାଦ୍ୟଠୁ ଶିଳ୍ପ ଯାଏଁ ଭାରତ-ବ୍ରିଟେନ FTAରେ ଓଡ଼ିଶାକୁ ବଡ଼ ଲାଭ, ରାଜ୍ୟର ଅର୍ଥନୈତିକ ଦୃଶ୍ୟପଟରେ ହେବ ବଡ଼ ପରିବର୍ତ୍ତନ
ଏୟାରପୋର୍ଟକୁ ଘରୋଇକରଣ କରାଯିବା ସହ ଏହାର ରାଜସ୍ୱ ଆଦାୟ ମଡେଲକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ଏଣିକି ଏଏଆଇ ପକ୍ଷରୁ ‘ପର୍ ପାସେଞ୍ଜର ଫି’ ମୋଡ୍ରେ ରାଜସ୍ୱ ଆଦାୟ କରାଯିବ । ଅର୍ଥାତ ଯଦି ଜଣେ ଯାତ୍ରୀ ଯାତ୍ରା କରୁଛନ୍ତି ସେ ପରିଚାଳନା ବାବାଦକୁ କିଛି ନିର୍ଦ୍ଦିଷ୍ଟ ଅର୍ଥ ଦିଅନ୍ତି । ଏହି ଅର୍ଥକୁ ଏୟାରଲାଇନ୍ସ କମ୍ପାନୀ ଏୟାରପୋର୍ଟକୁ ଦେଇଥାଏ । ଏଥିରୁ ଅପରେଟିଂ ଚାର୍ଜ ଏବଂ ଇନ୍ଫ୍ରାଷ୍ଟ୍ରକଚର ବାବାଦକୁ ଟଙ୍କା କାଟିବା ପରେ ଏୟାରପୋର୍ଟ କିଛି ଲାଭ ରଖିଥାଏ । ଏବେ ଏହି ଆୟ ଘରୋଇ ଅନୁଷ୍ଠାନକୁ ଯିବ। ଫଳରେ ଏଥିରୁ ଏୟାରପୋର୍ଟ ଲାଭ ପାଇବ । ଏହା ସହ ଘରୋଇ ଏୟାରଲାଇନ୍ସ ଦେଉଥିବା ଲ୍ୟାଣ୍ଡିଂ ଚାର୍ଜ, ପାର୍କିଂ ଚାର୍ଜ, କମର୍ସିଆଲ୍ ସ୍ପେଶରୁ ଆସୁଥିବା ରାଜସ୍ୱ ଏବଂ ପରିଚାଳନା ଦାୟିତ୍ୱ ସମ୍ପୂର୍ଣ୍ଣ ଭାବେ ଏଜେନ୍ସି ହାତକୁ ଚାଲିଯିବ ।
ନ୍ୟାସନାଲ୍ ମନିଟାଇଜେସନ ପାଇପଲାଇନ୍ (ଏନ୍ଏମ୍ପି) ଜରିଆରେ ଏହାର ଇନ୍ଫ୍ରାଷ୍ଟ୍ରକଚର ଉନ୍ନତୀକରଣ କରାଯିବ । ଯେଉଁ ଘରୋଇ କମ୍ପାନି ଏୟାରପୋର୍ଟକୁ ନେବ, ସେ ଏହାର ପାରିପାର୍ଶ୍ବକ ଉନ୍ନତୀକରଣ କରିବ । ଏୟାରପୋର୍ଟ ଭିତରେ କମର୍ସିଆଲ ସ୍ପେଶ୍, ହୋଟେଲ, ମଲ୍ ଆଦି ନିର୍ମାଣ କରିବ । ଏଥିରୁ ଆସୁଥିବା ରାଜସ୍ୱରୁ କିଛି ଏୟାରପୋର୍ଟ ନେବ । ଘରୋଇକରଣ ପରେ ଭୁବନେଶ୍ୱର ଏୟାରପୋର୍ଟରୁ କର୍ମଚାରୀ ଛଟେଇ ହେବେ । ଘରୋଇ ଅନୁଷ୍ଠାନ ସମ୍ପୂର୍ଣ୍ଣ ପରିଚାଳନା ଦାୟିତ୍ୱ ନେବ । କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଭୁବନେଶ୍ୱର ସମେତେ ୧୧ଟି ଏୟାରପୋର୍ଟକୁ ଘରୋଇକରଣ କରିବା ପାଇଁ ଏକକାଳୀନ ଟେଣ୍ଡର ଡକାଯାଇଛି । ସେଥିମଧ୍ୟରେ ବାରଣାସୀ-କୁସିନଗର-ଗୟା, ଅମୃତସର-କଙ୍ଗ୍ରା, ରାୟପୁର-ଔରଙ୍ଗାବାଦ, ତ୍ରିଚି-ତିରୁପତି ଏୟାରପୋର୍ଟ ରହିଛି । ଏହି ସବୁ ଏୟାରପୋର୍ଟକୁ ପିପିପି ମୋଡ୍ରେ ପରିଚାଳନା କରାଯିବ ।
ପ୍ରଥମ ପର୍ଯ୍ୟାୟରେ ଦିଲ୍ଲୀ ଏବଂ ମୁମ୍ବାଇ ଏୟାରପୋର୍ଟକୁ ଘରୋଇକରଣ କରାଯାଇଥିଲା । ଦ୍ୱିତୀୟ ପର୍ଯ୍ୟାୟରେ ଅହମ୍ମଦାବାଦ, ଲକ୍ଷେ୍ନø, ଜୟପୁର, ଗୌହାଟୀ ଘରୋଇକରଣ ହୋଇଛି ।