ନୂଆଦିଲ୍ଲୀ, ୧୯।୬: ବିଶ୍ୱ ମଞ୍ଚରେ ଭାରତକୁ ମିଳିଛି ଆଉ ଏକ ବଡ଼ ସଫଳତା । ଆନ୍ତର୍ଜାତୀୟ ସାମୁଦ୍ରିକ ଆଇନ ଟ୍ରିବ୍ୟୁନାଲ୍‌ (ITLOS)ର ବିଚାରପତି ଭାବେ ନିର୍ବାଚିତ ହୋଇଛନ୍ତି ଭାରତୀୟ ପ୍ରାର୍ଥୀ ପ୍ରଫେସର ଡକ୍ଟର ବିମଲ ଏନ୍. ପଟେଲ । ସେ ୨୦୨୬ ରୁ ୨୦୩୫ ପର୍ଯ୍ୟନ୍ତ ଏହି ପ୍ରତିଷ୍ଠିତ ପଦବୀରେ କାର୍ଯ୍ୟ କରିବେ । ଏହି ନିର୍ବାଚନରେ ଭାରତକୁ ବିଶ୍ୱର ବିଭିନ୍ନ ସଦସ୍ୟ ଦେଶର ବ୍ୟାପକ ସମର୍ଥନ ଓ ବିଶ୍ୱାସ ମିଳିଛି । ଡକ୍ଟର ବିମଲ ପଟେଲଙ୍କ ଏହି ସଫଳତା ପାଇଁ ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଏବଂ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୈସୱାଲ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ସଦସ୍ୟ ଦେଶଗୁଡ଼ିକୁ ଧନ୍ୟବାଦ ଜଣାଇଲେ ବୈଦେଶିକ ମନ୍ତ୍ରୀ:

ଭାରତୀୟ ପ୍ରାର୍ଥୀଙ୍କ ବିଜୟ ପରେ ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ' ରେ ପୋଷ୍ଟ କରି ଖୁସି ବ୍ୟକ୍ତ କରିଛନ୍ତି । ସେ ଲେଖିଛନ୍ତି, "ଡକ୍ଟର ବିମଲ ପଟେଲଙ୍କୁ ଅନେକ ଅନେକ ଶୁଭେଚ୍ଛା ! ଭାରତକୁ ସମର୍ଥନ କରିଥିବାରୁ UNCLOSର ସମସ୍ତ ସଦସ୍ୟ ଦେଶକୁ ମୁଁ ଆନ୍ତରିକ ଧନ୍ୟବାଦ ଜଣାଉଛି ।" ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୈସୱାଲ ଏହି ସୂଚନା ଶେୟାର କରି କହିଛନ୍ତି ଯେ, ପ୍ରଫେସର (ଡକ୍ଟର) ବିମଲ ଏନ୍. ପଟେଲ ୨୦୨୬-୩୫ କାର୍ଯ୍ୟକାଳ ପାଇଁ 'ଇଣ୍ଟରନ୍ୟାସନାଲ ଟ୍ରିବ୍ୟୁନାଲ ଫର୍ ଦ ଲ' ଅଫ୍ ଦ ସି' (ITLOS)ର ଜଜ୍ ଭାବେ ନିର୍ବାଚିତ ହୋଇଛନ୍ତି । ଭାରତ ଉପରେ ଆସ୍ଥା ପ୍ରକଟ କରିଥିବାରୁ ସମସ୍ତ ସଦସ୍ୟ ଦେଶକୁ ଧନ୍ୟବାଦ ଦେବା ସହ ଟ୍ରିବ୍ୟୁନାଲକୁ ନିର୍ବାଚିତ ହୋଇଥିବା ଅନ୍ୟ ସମସ୍ତ ପ୍ରତିଷ୍ଠିତ ସଦସ୍ୟଙ୍କୁ ମଧ୍ୟ ଭାରତ ସରକାରଙ୍କ ତରଫରୁ ଶୁଭକାମନା ଜଣାଯାଇଛି ।

 

ଏହା ବି ପଢ଼ନ୍ତୁ... ​​​​​​​Modi Wishes Rahul: ୫୬ ବର୍ଷରେ ପାଦ ଥାପିଲେ ରାହୁଲ ଗାନ୍ଧୀ; ବଧେଇ ଦେଲେ ମୋଦି, ଏକ୍ସରେ ଲେଖିଲେ...

ବଢୁଛି ଭାରତର ଦବ୍‌ଦବା:

ପ୍ରଫେସର ବିମଲ ପଟେଲଙ୍କ ଏହି ଚୟନ କେବଳ ବ୍ୟକ୍ତିଗତ ସଫଳତା ନୁହେଁ, ବରଂ ଏହା ବିଶ୍ୱ ଦରବାରରେ ଭାରତର ବଢ଼ୁଥିବା ପ୍ରତିଷ୍ଠାକୁ ଦର୍ଶାଉଛି । ସାମୁଦ୍ରିକ ଆଇନ କ୍ଷେତ୍ରରେ ଭାରତର ସ୍ଥିତି ଏବେ ଆହୁରି ମଜବୁତ ହୋଇଛି, ଯାହା ଆଗାମୀ ଦିନରେ ଆନ୍ତର୍ଜାତୀୟ ସ୍ତରରେ ଦେଶର ପ୍ରଭାବକୁ ଆହୁରି ବୃଦ୍ଧି କରିବ ।