- ଚଳିତ ବର୍ଷ ୩୬ରୁ ୨୧ଟି ହଲ୍ରେ, ୧୫ଟି ଟିଭି, ଓଟିଟିରେ
- ଶୁଭମୁକ୍ତି ଅପେକ୍ଷାରେ ୨୨, ନିର୍ମାଣାଧୀନ ଅବସ୍ଥାରେ ୨୫
- ନାୟକ ସାଜିଛି କଣ୍ଟେଣ୍ଟ, ପଛରେ ପଡ଼ିଛନ୍ତି ସୁପର୍ଷ୍ଟାର୍
ଭୁବନେଶ୍ଵର, ୧୯/୦୬ (ମନୋରଞ୍ଜନ ମହାନ୍ତି) : ଓଡ଼ିଆ ସିନେମା ଶିଳ୍ପ ପାଇଁ ଭଲ କଥା । ଶୁଭ ଦିନ ଫେରିଛି । ଆଶ୍ଚର୍ଯ୍ୟ ନୁହେଁ, ତଥ୍ୟ ଓ ପ୍ରମାଣ ସହିତ ସତ୍ୟ । ଭଲ ଦିନ ସହ ଦର୍ଶକମାନେ ପୁଣି ଓଡ଼ିଆ ସିନେମା ମୁହାଁ ହୋଇଛନ୍ତି । ଦର୍ଶକଙ୍କ ଭରସା ଜିତିଛି ଓଡ଼ିଆ ସିନେମା । ଯାହା ଚଳଚ୍ଚିତ୍ର ଦୁନିଆ ପାଇଁ ବଡ଼ ସାହସ ଓ ସମ୍ବଳ । ହଲ୍ ମିଳୁନଥିବାର ଅଭିଯୋଗରୁ ମୁକୁଳି ଏବେ ନୂଆ ଇତିହାସ ଲେଖିଛି । ଆଗରୁ ମୁକ୍ତିଲାଭ ପାଇଁ ହଲ୍ ଅଭାବ କହୁଥିବା ଓଡ଼ିଆ ସିନେମା ଏବେ ହଲ୍ରୁ ଉଠୁନି । ଏହାଠୁ ବଳି ବଡ଼ ଖୁସି ଖବର ଆଉ କ’ଣ ହେଇପାରେ । ଗତ ୬ ମାସ ମଧ୍ୟରେ ସର୍ବମୋଟ ୩୬ଟି ଓଡ଼ିଆ ଚଳଚ୍ଚିତ୍ର ମୁକ୍ତିଲାଭ କରିଛି । ସେଥିରୁ ୨୧ଟି ସିନେମା ହଲ୍ରେ ଅର୍ଥାତ୍ ପ୍ରେକ୍ଷାଳୟରେ ରାଜ୍ୟ ତଥା ରାଜ୍ୟ ବାହାରେ ମୁକ୍ତିଲାଭ କରିଛି । ବାକି ୧୫ଟି ସିନେମା ବିଭିନ୍ନ ଟିଭି ଚ୍ୟାନେଲ୍ ଏବଂ ଓଟିଟି ପ୍ଲାଟ୍ଫର୍ମରେ ମୁକ୍ତିପ୍ରାପ୍ତ ହୋଇଛି । ସେହିଭିତରେ ‘ବରବଧୂ’ଠୁ ନେଇ ଅନେକ ସିନେମା ହିଟ୍ ହେବା ସହ ନୂଆ ରେକର୍ଡ କରିବାରେ ସକ୍ଷମ ହୋଇଛି । ଏପରିକି ଓଡ଼ିଶାର ହସ୍ତତନ୍ତ ଓ ବୁଣାକାରଙ୍କ ଜୀବନ ସହିତ ଜଡ଼ିତ ଚଳଚ୍ଚିତ୍ର ‘ମେହେରମୁଣ୍ଡା’କୁ ସରକାର ଟିକସ ମୁକ୍ତ କରିଛନ୍ତି ।
ଗତ ଏପ୍ରିଲ୍ ୧୪ରେ ମୁକ୍ତିଲାଭ କରିଥିବା ‘ମୁରବି’ ୬୭ ଦିନ, ଏପ୍ରିଲ୍ ୨୪ରେ ମୁକ୍ତିଲାଭ କରିଥିବା ‘କାଙ୍ଗୁଲା’ ୫୭ ଦିନ ଏବଂ ମେ’ ୧ରେ ମୁକ୍ତିଲାଭ କରିଥିବା ‘ମନ୍ତ୍ରମୁଗ୍ଧ’ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାର ୫୦ ଦିନ ପୂରା କରିଛି । ବିଭିନ୍ନ ଭାଷାଭାଷୀ ସିନେମାର ଭିଡ଼ ଭିତରେ ବି କୋଟି କୋଟିର ବ୍ୟବସାୟିକ ସଫଳତା ସହିତ ଦର୍ଶକଙ୍କ ଭଲପାଇବା ଓ ସମର୍ଥନ ସାଉଁଟି ସଫଳତାର ସହିତ ଏହି ସିନେମାଗୁଡ଼ିକ ଆଗେଇ ଚାଲିଛନ୍ତି । ବଡ଼ କଥା ହେଲା, ଏହି ୩ ସିନେମା ହଲ୍ରେ ଥାଇ ରଜ ଅବସରରେ ପ୍ରେକ୍ଷାଳୟକୁ ଗତ ଜୁନ୍ ୧୨ରେ ଆସିଲା ଆଉ ୩ଟି ଓଡ଼ିଆ ସିନେମା । ସୁପର୍ଷ୍ଟାର୍ ଅନୁଭବଙ୍କ ‘ଛକିଶୂନ’, ଅମ୍ଳାନଙ୍କ ‘ଶିକାର’ ଏବଂ ଅର୍ଦ୍ଧେନ୍ଦୁଙ୍କ ‘ଡାଏରୀ’ । ଏହି ୩ ସିନେମା ବି ଗୋଟିଏ ସପ୍ତାହ ପୂରା କରି ପୂର୍ଣ୍ଣ ପ୍ରେକ୍ଷାଳୟରେ ଦ୍ୱିତୀୟ ସପ୍ତାହରେ ପ୍ରବେଶ କରିଛି । ବ୍ୟବସାୟ ସହ ଆୟ ବି ଭଲ ରହିଛି । ଏ ସମ୍ପର୍କରେ ସମାଲୋଚକ, ଗୀତିକାର ଓ ପ୍ରଯୋଜକ ସ୍ଥିତ ପଟ୍ଟନାୟକ କହିଛନ୍ତି, ୨୦- ୫୦-୬୦ ଦିନ ଚାଲିବା ମିଛ ନୁହେଁ । କେତେଦିନ ଜଣେ ନିର୍ମାତା ବା ପ୍ରଯୋଜକ ହାତରୁ ଖର୍ଚ୍ଚ କରି ହଲ୍ ହାଉସ୍ଫୁଲ୍ କରିବ? ଏମିତିରେ ତ ସିନେମା କରି ଆୟ ଆଶାରେ ସେ ଚିନ୍ତାରେ ଥିବ । ନିଶ୍ଚିତପକ୍ଷେ ଓଡ଼ିଆ ସିନେମା ଭଲ ଚାଲୁଛି ବୋଲି ଯେଉଁମାନେ ଅତୀତରେ ନେଉନଥିଲେ ଏବଂ ବଡ଼ ସିନେମା ଆସିଲେ ଉଠାଇ ଦେଉଥିଲେ, ସେମାନେ ଆଜି ହଲ୍ରେ ରଖିବାକୁ ବାଧ୍ୟ ହେଉଛନ୍ତି ।
ବଜାରରେ ଓଡ଼ିଆ ସିନେମା ବି ଅନ୍ୟ ଭାଷାଭାଷୀ ସିନେମା ସହିତ ପ୍ରତିଯୋଗିତା କରିବା ଆରମ୍ଭ କରିଛି । ଏହା ସତ ଏବଂ ମାନିବାକୁ ପଡ଼ିବ । ଯେଉଁଥିପାଇଁ ବ୍ୟବସାୟ ବଢ଼ିଛି ଏବଂ ହଲ୍ରେ ଦୀର୍ଘଦିନ ଚାଲିବାର ବ୍ୟବଧାନ ବି ବଢ଼ିଛି । ଏହାର ବଡ଼ ଏବଂ ପ୍ରମୁଖ କାରଣ ଖାଣ୍ଟି ଓଡ଼ିଆ ମୌଳିକ କାହାଣୀ । ଆଜି କଣ୍ଟେଣ୍ଟ ଏବଂ ନୂଆପିଢ଼ି ନାୟକ ସାଜିଛନ୍ତି । ଯେଉଁଥିପାଇଁ ପଛରେ ପଡ଼ିଛନ୍ତି ସୁପର୍ଷ୍ଟାର୍ । ମୁକ୍ତିଲାଭର ପ୍ରଥମ ୩ ଦିନ ଭଲ ଆରମ୍ଭ ଦେଇ ବି ଦର୍ଶକଙ୍କ ହୃଦୟ ଜିଣିବାରେ ସେମାନେ ଫେଲ୍ ମାରିଛନ୍ତି । ଆଶା, ଏ ଧାରା ପରେ ସେମାନେ ବି ବଦଳିବେ ଏବଂ ନୂଆ ଧାରାକୁ ଆପଣାଇବେ । କିନ୍ତୁ ଏ ଭିତରେ ସବୁଠୁ ବଡ଼ ଆହ୍ୱାନ ହୋଇଛି, ଓଡ଼ିଆ ସିନେମା ପ୍ରତି ଫେରିଥିବା ଦର୍ଶକଙ୍କ ଆସ୍ଥା, ବିଶ୍ୱାସ ଓ ଭରସାକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ବଜାୟ ରଖିବା । କାରଣ ଚଳିତ ବର୍ଷ ଆଗକୁ ଶୁଭୁମୁକ୍ତି ଅପେକ୍ଷାରେ ୨୨ଟି ଓଡ଼ିଆ ସିନେମା ଥିବାବେଳେ ୨୫ଟି ନିର୍ମାଣାଧୀନ ଅବସ୍ଥାରେ ରହିଛି । ଓଡ଼ିଆ ସିନେମାର ବର୍ତ୍ତମାନ ଉପରେ ଆସୁଥିବା ଚଳଚ୍ଚିତ୍ରର ଭବିଷ୍ୟତ ନିର୍ଭର କରୁଛି । ଆଶା, ସେମାନେ ବି ସଫଳତା ପାଇବେ ଏବଂ ନୂଆ କୀର୍ତ୍ତମାନ ରଚିବେ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।
ଆହୁରି ପଢନ୍ତୁ- Ama Bus : 'ଆମ ବସ୍'କୁ ଘାରିଛି ରାଜସ୍ୱ ନିଶା, ବ୍ୟାଗ୍ ଧରି ଉଠିଲେ ଦେବାକୁ ପଡ଼ୁଛି ଯାତ୍ରୀର ଅଧା ଭଡ଼ା
Fishfed Conspiracy: Chilika Fresh in Danger| ବନ୍ଦ ହେଇଯିବ କି ତାଜା ମାଛ ବିକୁଥିବା ଚିଲିକା ଫ୍ରେସ୍ ?