ଭୁବନେଶ୍ବର,୧୧।୩ : ବିଜେଡିକୁ ଘାରିଛି କ୍ରସ ଭୋଟିଂ ଭୟ। ରାଜ୍ୟସଭା ନିର୍ବାଚନ ପାଇଁ ହୁଇପ୍ ଜାରି କଲା ବିଜେଡି। ଭୁବନେଶ୍ବର ନ ଛାଡିବାକୁ ବିଜେଡିର ହୁଇପ୍ ଜାରି । ମାର୍ଚ୍ଚ ୧୬ ଯାଏ ଭୁବନେଶ୍ବର ନ ଛାଡିବାକୁ ବିଧାୟକଙ୍କୁ ନିର୍ଦେଶ ଦିଆଯାଇଛି। ରାଜ୍ୟସଭା ନିର୍ବାଚନ ପ୍ରକ୍ରିୟାରେ ସାମିଲ ହେବାକୁ ନିର୍ଦେଶ ଦିଆଯାଇଛି। ଏ ନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ସୂଚନା ଦେଇଛନ୍ତି।
ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କ ଇସ୍ତଫା ପରଠାରୁ ବିଜେଡି ରାଜନୀତିରେ ହଲଚଲ ବଢ଼ିଯାଇଛି । ରାଜ୍ୟସଭାରେ କ୍ରସ ଭୋଟିଂ ଓ ଭୋଟ ନାକଚ ଭୟ ବିଜେଡିକୁ ରହିଛି । ଏପରିକି ବିଧାୟକ ଭୋଟ ଦେବାକୁ ନ ଆସିବା ଚିନ୍ତା ମଧ୍ୟ ଘାରିଛି। ସେଥିପାଇଁ ବିଧାୟକଙ୍କ ଉପରେ ଦଳ କଡ଼ା ନଜର ରଖିଛି । ଅନ୍ୟପକ୍ଷରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏବେ ବିଧାୟକମାନଙ୍କୁ ଏକାଠି ରଖିବାକୁ କସରତ ଚଳାଇଛନ୍ତି । ନିୟମିତ ବିଧାୟକଙ୍କୁ ନବୀନ ନିବାସ ଡାକି ବୁଝାଯାଉଛି । ମଙ୍ଗଳବାର ପ୍ରାୟ ୧୦ରୁ ଅଧିକ ବିଧାୟକଙ୍କୁ ଡକାଯାଇଥିଲା । ନବୀନଙ୍କ ସହ ସେମାନେ ଆଲୋଚନା କରିଥିଲେ।
ଚତୁର୍ଥ ଆସନ ପାଇଁ ବିଜେଡି ଓ କଂଗ୍ରେସ ମିଳିତ ସମର୍ଥନରେ ଡ. ଦତ୍ତେଶ୍ଵର ହୋତାଙ୍କୁ ପ୍ରାର୍ଥୀ କରିଛି। ସେହିପରି ପୂର୍ବତନ ବିଧାୟକ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲୀପ ରାୟଙ୍କୁ ସ୍ଵାଧୀନ ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇଛି ବିଜେପି। ଦିଲୀପ ରାୟ ସ୍ଵାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏହା ପରେ କ୍ରସ ଭୋଟିଂର ସମ୍ଭାବନା ଅଧିକ ବଢିଛି। କାରଣ ଚତୁର୍ଥ ଆସନ ପାଇଁ ସଂଖ୍ୟାଗଣିତରେ ବିଜେଡି ଓ କଂଗ୍ରେସ ମିଳିତ ଭାବେ ଆଗରେ ଅଛନ୍ତି। ତେଣୁ ଦିଲୀପ ରାୟ କ୍ରସ ଭୋଟିଂ ଜରିଆରେ ଭୋଟ୍ ହାତେଇବାର ମଧ୍ୟ ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ।
ଆହୁରି ପଢନ୍ତୁ : ବିଜେପିରେ ମିଶିଲେ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା