ଭୁବନେଶ୍ବର, ୦୬/୦୨: ମହାନଦୀ ପ୍ରସଂଗରେ ସରକାରଙ୍କୁ ଘେରିଲେ ବିରୋଧୀ । ବିଜେଡି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇ ଟାର୍ଗେଟ୍ କରାଯାଇଛି । ଓଡ଼ିଶାର ନ୍ୟାୟ ପାଇଁ ରାଜ୍ୟ ସରକାର ଯେଉଁ କାର୍ଯ୍ୟକ୍ରମ କରୁଛନ୍ତି, ସେଥିରୁ ସନ୍ଦେହ ସୃଷ୍ଟି ହେଉଛି । ବ୍ଲେମ୍ ଗେମ୍ ରାଜନୀତିରେ ନିଜେ ମୋହନ ସରକାର ଦ୍ବନ୍ଦାତ୍ମକ ସ୍ଥିତିରେ ରହିଛନ୍ତି । ରାଜ୍ୟର ହକ୍ ପାଇଁ ୨୦୧୬ ସେପ୍ଟେମ୍ବର ୩୦ ତାରିଖରେ ତ୍ରିପାଖିକ ଆଲୋଚନା ହୋଇଥିଲା । ସେତେବେଳେ ଉମା ଭାରତୀ କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରୀ ଥିଲେ । ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହାନଦୀ ଉପରେ ଛତିଶଗଡ଼ର ସବୁ ନିର୍ମାଣକୁ ବନ୍ଦ କରିବାକୁ କହିଥିଲେ । ହେଲେ ସେତେବେଳର ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂହ ସିଧା ସିଧା ମନା କରିଦେଇଥିଲେ । ଏଥିରେ କେନ୍ଦ୍ର ମନ୍ତ୍ରୀ ଉମା ଭାରତୀଙ୍କ ହସ୍ତକ୍ଷେପ ଲୋଡ଼ା ଯାଇଥିଲା ମାତ୍ର ସେ ଅକ୍ଷମତା ପ୍ରକାଶ କରିଥିଲେ । କେନ୍ଦ୍ର ସରକାର ନିରବଦ୍ରଷ୍ଟା ସାଜିବା ପରେ ରାଜ୍ୟ ସରକାର କୌଣସି ଉପାୟ ନପାଇ ଟ୍ରିବ୍ୟୁନାଲକୁ ଯାଇଥିଲେ । ଏବେ ଟ୍ରିପଲ୍ ଇଞ୍ଜନ ସରକାର ଆସିଲା ପରେ ଏହାର ସମାଧାନର ଆଶା କରାଯାଉଥିଲା। ହେଲେ ଟ୍ରିବ୍ୟୁନାଲର କଣ୍ଟ ପୂରିବାକୁ ବସିଲାଣି, ଆସନ୍ତା ଏପ୍ରିଲ ୧୩ ତାରିଖରେ ଅବଧି ଶେଷ ହେବ, ତା’ ପୂର୍ବରୁ ମହାନଦୀ ଜଳ ବିବାଦର ସମାଧାନ ହୋଇ ପାରିଲା ନାହିଁ ବୋଲି ବିଜେଡି ଉପସଭାପତି ଦେବୀ ମିଶ୍ର କହିଛନ୍ତି ।
ସେହିପରି ମହାନଦୀ ପ୍ରସଂଗରେ ବିଜେଡି ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ମଧ୍ୟ ଟାର୍ଗେଟ୍ କରିଛନ୍ତି । ସେତେବେଳର ସରକାର ସବୁ ଫୋରମରେ ଓଡ଼ିଶାକୁ ନ୍ୟାୟ ଦେବାକୁ ଯାଇଛନ୍ତି । ହେଲେ ପ୍ରଧାନମନ୍ତ୍ରୀ ଶୁଣିଲେ ନାହିଁ, କେନ୍ଦ୍ର ଜଳ ସଂପଦ ବିଭାଗ ଶୁଣିଲା ନାହିଁ, ଛତିଶଗଡ଼ ସରକାର ଶୁଣିଲେ ନାହିଁ। ଫଳରେ ବିଜେଡି ସୁପ୍ରିମକୋର୍ଟ ଗଲା। ଏବେ କେନ୍ଦ୍ର ଓ ଦୁଇଟି ରାଜ୍ୟରେ ବିଜେପି ସରକାର ଅଛି । ଏହାର ଏବେ ଅର୍ଥ ଟ୍ରିପଲ୍ ଇଞ୍ଜିନ ସରକାର । ଆମେ ଭାବୁଥିଲି ଏବେ ଏହାର ସମାଧାନ ହୋଇଯିବ। ହେଲେ ସେ ଆଶା ଏବେ ନିରାଶା ହୋଇଯାଇଛି । ବର୍ତ୍ତମାନର ସରକାର ଏବେ ଆପୋଷ ସମାଧାନ କଥା କହି ପ୍ରସଂଗକୁ ଅଧିକ ଗୋଳିଆ କରୁଛନ୍ତି। ଦେଶରେ କୌଣସି ସ୍ଥାନରେ ଆପୋଷ ବୁଝାମଣାରେ ଜଳ ସମସ୍ୟା ସମାଧାନ ହୋଇନାହିଁ । ଯଦି ଆପୋଷ ବୁଝାମଣା ହେଲା, ତାହାଲେ ଟ୍ରିବ୍ୟୁନାଲରୁ ଓହରି ଯିବେ କି ରାଜ୍ୟ ସରକାର ? ଗତ ୩୦ ତାରିଖରେ ରାଜ୍ୟ ସରକାର ଛତିଶଗଡ଼ ସହ ଆଲୋଚନା ପାଇଁ କାହିଁକି ଗଲେ ନାହିଁ ବୋଲି ବିଜେଡି ପ୍ରଶ୍ନ କରିଛି । ଛତିଶଗଡ଼ ସରକାର ଆଲୋଚନାକୁ ଗ୍ରହଣ କରିବାକୁ ଚାହୁଁନାହାନ୍ତି କି ? ମୁଖ୍ୟମନ୍ତ୍ରୀ-ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ହେଲା ବୋଲି କହିଲେ। ହେଲେ ଉଚ୍ଚ ସ୍ତରୀୟ ବୈଠକକୁ ଗଲେ ନାହିଁ । ଟ୍ରିବ୍ୟୁନାଲର କାମ ଏପ୍ରିଲରେ ଶେଷ ହେବ । ଜାନୁଆରୀ ଶେଷ ସୁଦ୍ଧା ଏହାକୁ ବଢାଇବାକୁ ଚିଠି ଲେଖିବାକୁ କୁହାଯାଇଥିଲା । ମାତ୍ର କାହିଁକି ଚିଠି ଲେଖିଲେ ନାହିଁ । ଏବେ ଟ୍ରିବ୍ୟୁନାଲକୁ ୯ମାସ ପାଇଁ ବଢ଼ାଇବାକୁ ଚିଠି ଲେଖିଲେ। ତେବେ ୯ ମାସ ଭିତରେ ମହାନଦୀ ସମସ୍ୟା ସମାଧାନ ହେବ କି ନାହିଁ ବୋଲି ପ୍ରଶ୍ନ କରି ବିଜେଡି ।
ପ୍ରସନ୍ନ ଆଚାର୍ଯ୍ୟ ଆହୁରି ମଧ୍ୟ କହିଛନ୍ତି, ଦଳୀୟ ସ୍ବାର୍ଥ ପାଇଁ ରାଜ୍ୟ ସରକାର ରାଜ୍ୟବାସୀଙ୍କ ସ୍ୱାର୍ଥକୁ ବଳି ପକାଉଛନ୍ତି। ଗୋଟିଏ ଦଳର ସରକାର ଥିବାରୁ ତୁମେ ମୁଣ୍ଡ ନୁଆଁଉଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଛତିଶଗଡ଼ ସରକାର ବ୍ୟାରେଜ ନିର୍ମାଣ ସହ ବାଲି ବନ୍ଧ ତିଆରି କରୁଛନ୍ତି। ହେଲେ ରାଜ୍ୟ ସରକାର ନିରବ। ଦଳୀୟ ସ୍ବାର୍ଥ ପାଇଁ ରାଜ୍ୟବାସୀଙ୍କ ଛାତିରେ ତୁମେ ଛୁରା ମାରୁଛନ୍ତି । ଓଡ଼ିଶା ଭାଗ ପାଣିକୁ ଛତିଶଗଡ଼ ସରକାର କମ୍ପାନୀମାନଙ୍କୁ ବିକ୍ରି କରୁଛନ୍ତି । ଏହା ବନ୍ଦ ନ ହେଲେ ଓଢ଼ିଶା ତଳିତଳାନ୍ତ ହୋଇଯିବ। ଏତେ ପରେ ବି ରାଜ୍ୟ ସରକାରଙ୍କ ନିଦ ଭାଙ୍ଗୁ ନାହିଁ। ସରକାର ଏହାର ସମାଧାନ ନ କଲେ ରାଜ୍ୟବାସୀ ଆଗକୁ ଜବାବ ମାଗିବେ ବୋଲି ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ।
ସେପଟେ ବିଜେଡି ବରିଷ୍ଠ ବିଧାୟକ ନିରଞ୍ଜନ ପୂଜାରୀ ମଧ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ପ୍ରଥମ ବୈଠକରେ ଦୁଇ ରାଜ୍ୟ ଭିତରେ ଜଳ ବିବାଦର ସମାଧାନ ହୋଇ ନଥିବା ମୁଁ କହିଥିଲି। ଓଡ଼ିଶାର ସ୍ୱାର୍ଥ ପାଇଁ କ’ଣ ଦାବି ରହିବ ତାକୁ ରାଜ୍ୟବାସୀଙ୍କୁ ଜଣାଯାଉ। ମହାନଦୀ ବଞ୍ଚାଅ କମିଟିରେ ସାମିଲ କରାଯାଉ । ସେ କହିଛନ୍ତି, ପ୍ରଥମେ ତାଙ୍କ କଥା କିଛିକାଂଶରେ ଗ୍ରହଣ କରାଗଲା । ଏହାସହ ୨୩ ତାରିଖରେ ସର୍ବଦଳୀୟ ବୈଠକ ନେଇ ଆଲୋଚନା ହୋଇଥିଲା । ହେଲେ ଏହା କାର୍ଯ୍ୟକାରୀ ହେଲା ନାହିଁ । ପରେ କମିଟି ଛତିଶଗଡ଼ ୩୦ ଓ ୩୧ ତାରିଖରେ ଯିବାର ଥିଲା। ମାତ୍ର ରାଜ୍ୟ ସରକାର ଗଲେ ନାହିଁ । କେନ୍ଦ୍ର ସରକାର ଏହାକୁ ଗୁରୁତ୍ୱ ଦେବା ଉଚିତ୍ ବୋଲି ବରିଷ୍ଠ ବିଜେଡି ବିଧାୟକ ନିରଞ୍ଜନ ପୂଜାରୀ କହିଛନ୍ତି ।
ଅଧିକ ପଢ଼ନ୍ତୁ-ସହରାଞ୍ଚଳରେ ଆଉ ରହିବନି ଘର ଭଡ଼ା ଟେନସନ୍, ସହରୀ ଗରୀବଙ୍କୁ ଭଡ଼ାରେ ଘର ଦେବେ ସରକାର