ପ୍ରମୂଖ ଖବର
  • ରାୟଗଡ଼ା : ଲାଞ୍ଚ ନେବା ବେଳ ଭିଜିଲାନ୍ସ ହାତରେ ଧରାପଡିଲେ ସିଡିପିଓ, କିରାଣୀ
  • ||
  • ବାଲେଶ୍ୱର : ସାପ କାମୁଡ଼ାରେ ଅଷ୍ଟମ ଶ୍ରେଣୀ ଛାତ୍ରୀ ମୃତ
  • ||
  • ଖୋର୍ଦ୍ଧା : ବାଇକ୍‌ ପଛରେ ପିଟିହେଲା ମାଲବାହୀ ଟ୍ରକ୍‌; ମହିଳା ମୃତ, ଜଣେ ଆହତ
  • ||
  • ରଥ ଖଳା ହାଲ୍‌ଚାଲ୍... ରଥତ୍ରୟରେ ଲାଗିଲା ୧୨ ଦୁଆରଘଡ଼ା, କଳସ ଉଠି ଓଲଟ ଶୁଆ ସ୍ଥାପନ
  • ||
  • ୩ ବିଧାୟକଙ୍କୁ ବହିଷ୍କାର କଲା ସମାଜବାଦୀ ପାର୍ଟି, ଦଳ ବିରୋଧୀ କାର୍ଯ୍ୟ ପାଇଁ ଆକ୍ସନ
  • ||
  • ସୁନ୍ଦରଗଡ଼ : ବାଇକ୍‌କୁ ପଛରୁ ପିଟିଲା ଟ୍ରକ୍‌; ୨ ମୃତ, ଜଣେ ଗୁରୁତର
  • ||
  • ଅନବସର ତ୍ରୟୋଦଶୀ ତିଥି, ମହାପ୍ରଭୁଙ୍କୁ ଘଣା ଓ ଖଳି ପ୍ରସାଦ ଲାଗି ହେବ
  • ||
  • ସିରିଆର ଏକ ଚର୍ଚ୍ଚରେ ଆତ୍ମଘାତୀ ବିସ୍ଫୋରଣ, ୨୦ ମୃତ
  • ||
  • ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଯୁବ ଶକ୍ତି ସମାବେଶରେ ଦେବେ ଯୋଗ
  • ||
  • ୨୫ରେ ଆଉ ଏକ ଘୂର୍ଣ୍ଣିବଳୟ, ୨୭ଯାଏ ବର୍ଷା ସମ୍ଭାବନା: ଆଜି ୨୪ ଜିଲ୍ଲାକୁ ୟେଲୋ ଆଲର୍ଟ
  • ||

'ବିଜେଡି ପଛୁଆ ବର୍ଗଙ୍କୁ ୨୭ ପ୍ରତିଶତ ସଂରକ୍ଷଣ ଦାବି କରିବା ଅର୍ଥ ସୈତାନର ବେଦପାଠ': ଭଦ୍ରକ ବିଜେପି

Published By : Rasmita Pradhan | May 19, 2025 1:50 PM

ଭଦ୍ରକ, ୧୯/୦୫ : ରାଜ୍ୟ ସରକାର ମେ' ୧୪ ତାରିଖରେ ସାମାଜିକ ଓ ଆର୍ଥିକ ପଛୁଆ ବର୍ଗର ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା କ୍ଷେତ୍ରରେ ୧୧.୨୫ ପ୍ରତିଶତ ସଂରକ୍ଷଣ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଥିବାବେଳେ ବିରୋଧୀ ବିଜେଡି ଓ କଂଗ୍ରେସ ଏହାକୁ ବିରୋଧ କରିବା ହାସ୍ୟାସ୍ପଦ କ‌ଥା। ଦୀର୍ଘ ବର୍ଷ ଧରି କଂଗ୍ରେସ ଓ ବିଜେଡି ରାଜ୍ୟକୁ ଶାସନ କରିଥିବାବେଳେ ପଛୁଆ ବର୍ଗଙ୍କୁ ୨୭ ପ୍ରତିଶତ ସଂରକ୍ଷଣ ଦେବା ନେଇ ମଣ୍ଡଳ କମିଶନଙ୍କ ସୁପାରିସକୁ ବିରୋଧ କରି ଆସିଥିଲେ। ଏବେ ମୋହନ ସରକାର ଯେଉଁ ସଂରକ୍ଷଣ ଆଣିଛନ୍ତି, ତାହା ସବୁ ବର୍ଗର ଆର୍ଥିକ ପଛୁଆ ବର୍ଗ ପାଇଁ ବେଶ ସହାୟକ ହେଉଛି ବୋଲି ବିଜେପି ଓବିସି ମୋର୍ଚ୍ଚାର ରାଜ୍ୟ ସଭାପତି ଆଜି ଭଦ୍ରକ ବିଜେପି କାର୍ଯ୍ୟଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏହି ପ୍ରେସ୍‌ମିଟ୍‌ରେ ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ, ବିଜେପି ଜିଲ୍ଲା ସଭାପତି ଭଗବାନ ପଣ୍ଡା, ଡ. ସୁଧାଂଶୁ ନାୟକ, ବରିଷ୍ଠ ନେତା ବଦ୍ରୀ ନାରାୟଣ ଧଳ, ଅଶୋକ ପୁହାଣ, ମନରଞ୍ଜନ ମଲ୍ଲିକ, ବୁଦ୍ଧଦେବ ଜେନା, ଓବିସି ମୋର୍ଚ୍ଚା ଜିଲ୍ଲା ସଭାପତି ବୀରେନ୍ଦ୍ର ଜେନା, ଲକ୍ଷ୍ମୀଧର ନାୟକ, ରଘୁନାଥ ପାତ୍ର, କମଳା ସୁତାର, ଚତୃର୍ଭୁଜ ନାୟକ ପ୍ରମୁଖ ଯୋଗ ଦେଇଥିଲେ।

ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି କହିଛନ୍ତି ଯେ, ଦୁଇ ଦଳ ପର୍ଯ୍ୟାୟ କ୍ରମେ ରାଜ୍ୟରେ ଶାସନ ଭାର ସମ୍ଭାଳିଥିଲେ ବି ସଂରକ୍ଷଣ ଲାଗୁ ନକରି ପଛୁଆବର୍ଗଙ୍କୁ ସେମାନଙ୍କ ସାମ୍ବିଧାନିକ ଅଧିକାରରୁ ବଞ୍ଚିତ କରିବା ସହ ସାମାଜିକ ନ୍ୟାୟ ପ୍ରଦାନ କରିବାକୁ ପଛଘୁଞ୍ଚା ଦେଉଥିଲେ। ଏବେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ରାଜ୍ୟରେ ଶାସନ କରୁଥିବା ଲୋକଙ୍କ ସରକାର ଏହାକୁ ଗୁରୁତ୍ବ ସହ ନେଇ ପଛୁଆବର୍ଗଙ୍କୁ ସଂରକ୍ଷଣ ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଚଳିତ ଶିକ୍ଷାବର୍ଷରୁ ଏହାକୁ ଲାଗୁ କରାଯିବାକୁ ପ୍ରସ୍ତୁତି ସରିଛି । ବିଶେଷ କରି ଉଚ୍ଚଶିକ୍ଷା, ଗଣଶିକ୍ଷା ବିଭାଗ ଅଧିନରେ ଆସୁଥିବା ବୃତ୍ତିଗତ ଶିକ୍ଷା, କ୍ରୀଡ଼ା ଓ ଯୁବସେବା ଏବଂ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନରେ ଆସୁଥିବା ବିଭିନ୍ନ ପାଠ୍ୟକ୍ରମରେ ଛାତ୍ରଛାତ୍ରୀଙ୍କୁ ସଂରକ୍ଷଣ ପ୍ରଦାନ କରାଯିବ। ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସ୍ନାତକ, ସ୍ନାତକୋତ୍ତର, ଶିକ୍ଷକ-ଶିକ୍ଷା ଓ ଆଇନ ପାଠ୍ୟକ୍ରମ ଅନୁଷ୍ଠାନରେ ଲାଗୁ ହେବ। ଚଳିତ ବର୍ଷ ଉଚ୍ଚଶିକ୍ଷା ବିଭାଗ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ କରିବାକୁ ଯାଉଥିବାରୁ, ସଅଳ ଆଡମିଶନ କରିବା ଲାଗି ଏବେଠାରୁ ହିଁ ସଂରକ୍ଷଣ ଲାଗୁ କରାଯିବ। ଅବହେଳିତ ଓ ପଛୁଆ ବର୍ଗର ଛାତ୍ରଛାତ୍ରୀମାନଙ୍କ ପାଇଁ ଶିକ୍ଷାର ଉପଲବ୍ଧତା ବଢ଼ାଇବା, ଶିକ୍ଷା ଓ ଚାକିରି କ୍ଷେତ୍ରରେ ସଂରକ୍ଷଣକୁ ସମନ୍ବିତ କରିବା ଉଦ୍ଦେଶ୍ୟରେ ସରକାର ଏହି ମହତ୍ତ୍ଵାକାଂକ୍ଷୀ ପଦକ୍ଷେପ ଗ୍ରହଣ କରିଛନ୍ତି।

ନିଜ ହାତରେ କ୍ଷମତା ଥିବାବେଳେ ଯେଉଁମାନେ କୌଣସି ଗୋଟିଏ ବିଭାଗରେ ପଛୁଆବର୍ଗଙ୍କୁ ସଂରକ୍ଷଣ ଦେଇନଥିଲେ, ସେମାନେ ଆଜି ପଛୁଆବର୍ଗଙ୍କ ପାଇଁ ଓକିଲାତି କରିବା ଅତ୍ୟନ୍ତ ହାସ୍ୟାସ୍ପଦ । ଏ ପ୍ରସଙ୍ଗରେ ପ୍ରଶ୍ନ କରିବାକୁ ସେମାନଙ୍କର କୌଣସି ଅଧିକାର ନାହିଁ। ବିଗତ ଦିନରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ତଥା ପଛୁଆ ବର୍ଗଙ୍କ ସର୍ବଭାରତୀୟ ନେତା ଧର୍ମେନ୍ଦ୍ର ପ୍ରଧାନ ତ‌ତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚାରି ଥର ଚିଠି ଲେଖି ସଂରକ୍ଷଣ ଲାଗୁ କରିବାକୁ ଅନୁରୋଧ କରିଥିଲେ। ହେଲେ ବିଜେଡି ତାହା ନକରି ଚୁପ୍ ବସିଥିଲା। 

ଖାଲି ଏତିକି ନୁହେଁ, ବିଜେଡି ଓ କଂଗ୍ରେସ ସ୍ଵଭାବଗତ ଭାବେ ପଛୁଆ ବର୍ଗଙ୍କୁ ସଂରକ୍ଷଣ ବିରୋଧୀ। ସ୍ଵାଧୀନତା ପରେ କଂଗ୍ରେସ ଦୀର୍ଘ ବର୍ଷ କ୍ଷମତାରେ ଥିଲା । କାକା କାଲେକର ରିପୋର୍ଟ ୧୯୯୫ରେ ଆସିଥିଲେ ବି ସେତେବେଳେ ଜବାହରଲାଲ୍ ନେହରୁ ଏହାକୁ ବିରୋଧ କରିଥିଲେ। ଇନ୍ଦିରା ଗାନ୍ଧି କ୍ଷମତାରେ ଥିବାବେଳେ ମଣ୍ଡଳ କମିଶନ ରିପୋର୍ଟକୁ ଲାଗୁ କରିନଥିଲେ। ଆଉ ରାଜୀବ ଗାନ୍ଧି ପାର୍ଲାମେଣ୍ଟରେ ଏସ୍‌ଇବିସି ସଂରକ୍ଷଣକୁ ବିରୋଧ କରିଥିଲେ। ୧୯୮୯ରେ ମଣ୍ଡଳ କମିଶନ ତାଙ୍କ ରିପୋର୍ଟ ପ୍ରଦାନ କରିଥିଲେ । ବିଜେଡିର ଆଦର୍ଶ କୁହାଯାଉଥ‌ିବା ବିଜୁ ପଟ୍ଟନାୟକ କ୍ଷମତାରେ ଥିବାବେଳେ ଏହାକୁ ବିରୋଧ କରିଥିଲେ। ବିଜେଡିର ପ୍ରମୁଖ ଓବିସି ଚେହେରା ରଣେନ୍ଦ୍ର ପ୍ରତାପ ସ୍ବାଇଁ, ଅରୁଣ ସାହୁ ଓ ପ୍ରତାପ ଜେନାଙ୍କୁ ବି ଦଳ କୋଣଠେସା କରି ରଖୁଥିଲା।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଜାତି ଭିଭିକ ସଂରକ୍ଷଣ ୫୦ ପ୍ରତିଶତରୁ ଅଧିକ ହେବ ନାହିଁ । ଏହାକୁ ଜାଣି ବି ୨୦୦୯ରେ ବିଜେଡି SEBC ଆକ୍ଟ ଆଣି ୨୭ ପ୍ରତିଶତ ସଂରକ୍ଷଣ ଦେବାକୁ ଯୋଜନା କରିଥିଲା। ଯାହା ଫଳରେ ଜାତି ଭିଭିକ ସଂରକ୍ଷଣ ୬୫.୭୫ ପ୍ରତିଶତକୁ ପହଞ୍ଚି ଯାଇଥିଲା। ଏଣୁ ଏହା ସୁପ୍ରିମକୋର୍ଟରେ ବାରମ୍ବାର ଖାରଜ ହେବାରୁ ବିଜେଡି ଆଉ ସଂରକ୍ଷଣ ଲାଗୁ କରିନଥିଲା। ୨୦୨୨ ପଞ୍ଚାୟତ ଓ ପୌର ନିର୍ବାଚନରେ ଏସଇବିସିଙ୍କୁ ସଂରକ୍ଷଣ ପ୍ରଦାନ କରିବାରେ ଆନ୍ତରିକତାର ଅଭାବ ଦେଖ‌ିବାକୁ ମିଳିଥିଲା। ମଧ୍ୟପ୍ରଦେଶ ସରକାର ନିଜର ପଞ୍ଚାୟତ ନିର୍ବାଚନକୁ ସ୍ଥଗିତ ରଖି ସୁପ୍ରିମକୋର୍ଟଙ୍କୁ ଗଲେ ଓ ସଂରକ୍ଷଣ ପାଇଁ ପଦକ୍ଷେପ ନେଇପାରିଲେ। ହେଲେ ଓଡ଼ିଶାରେ ପଞ୍ଚାୟତ ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି ହୋଇନଥିଲେ ବି ବିଜେଡି ସରକାର ଏନେଇ ପଦକ୍ଷେପ ନେଲେ ନାହିଁ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 2021-2262 MBBS, B. Tech ପାଇଁ ସଂରକ୍ଷଣ ଲାଗୁ କରିଥିଲେ। ବଡ଼କଥା ହେଉଛି, କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ୨୭ ଜଣ ଓବିସି, ୧୨ ଜଣ ଏସଇବିସି ମନ୍ତ୍ରୀ ଅଛନ୍ତି । ରାଜ୍ୟ ମନ୍ତ୍ରୀମଣ୍ଡଳରେ ୧୬ ମନ୍ତ୍ରୀଙ୍କ ମଧ୍ୟରୁ ୭ ଜଣ ଓବିସି ବା ଏସ୍‌ଇବିସି ବର୍ଗର। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ନିଜେ ଏସ୍‌ଇବିସି ବର୍ଗର। ଓଡ଼ିଶାରୁ କେନ୍ଦ୍ରରେ ପ୍ରତିନିଧିତ୍ଵ କରୁଥିବା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ଵିନୀ ବୈଷ୍ଣବ ବି SEBC ବର୍ଗର ନେତା। ତେବେ ଏସ୍‌ଇବିସିଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଥିବା ବିଜେଡି କ'ଣ କରିଥିଲା ? କେନ୍ଦ୍ରରେ ମୋଦି ସରକାର ଜାତିଭିଭିକ ଜନଗଣନା କରିଛନ୍ତି । ଏଥିରେ ପଛୁଆବର୍ଗଙ୍କ ଅନ୍ତର୍ଭୁକ୍ତିକରଣକୁ ପ୍ରାଧାନ୍ୟ ମିଳିବା ହେଲେ ବିଜେଡିର ଅବସ୍ଥା ଚୋର ମୁହଁ ଟାଣ ସଦୃଶ। ଏସଇବିସିଙ୍କୁ ସମ୍ବିଧାନ ପ୍ରଦତ୍ତ ଅଧିକାରକୁ ବିଜେଡି ହନନ କରୁଥିଲା । ହେଲେ ବିଜେପି ସରକାର ଦାବି ପୂରଣ କରିନାହିଁ ବରଂ ଓବିସି, ଏସ୍‌ଇବିସିଙ୍କୁ ସାମ୍ବିଧାନିକ ଅଧିକାର ପ୍ରଦାନ କରିଛି।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.