ନୂଆଦିଲ୍ଲୀ,୧୯।୧ : ସୋମବାର ଆଫଗାନିସ୍ତାନର ରାଜଧାନୀ କାବୁଲରେ ଘଟିଛି ବଡ଼ ଧରଣର ବୋମା ବିସ୍ଫୋରଣ। ଏଥିରେ ଅନେକ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହି ବିସ୍ଫୋରଣ ରାଜଧାନୀର ସହର-ଇ-ନୱ ଅଞ୍ଚଳରେ ଘଟିଥିଲା, ଯେଉଁଠାରେ ବିଦେଶୀମାନେ ବାସ କରନ୍ତି ଏବଂ ଏହାକୁ କାବୁଲର ସବୁଠାରୁ ସୁରକ୍ଷିତ ଅଞ୍ଚଳ ମଧ୍ୟରୁ ଗୋଟିଏ ବୋଲି କୁହାଯାଏ। ଗୃହ ମନ୍ତ୍ରଣାଳୟର ମୁଖପାତ୍ର ଅବଦୁଲ ମତିନ କାନି କହିଛନ୍ତି, ‘ପ୍ରାଥମିକ ରିପୋର୍ଟ ବର୍ତ୍ତମାନ ସୁଦ୍ଧା ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୩ ଜଣ ଆହତ ହୋଇଥିବାର ସୂଚନା ମିଳିଛି।
କାବୁଲର ସହର-ଇ-ନୱ ଅଞ୍ଚଳରେ ଥିବା ଏକ ହୋଟେଲରେ ବିସ୍ଫୋରଣ ଘଟିଥିଲା। ଏହି ଅଞ୍ଚଳ ପୋଲିସ ଡିଷ୍ଟ୍ରିକ୍ଟ-୪ ଅଧୀନରେ ପଡ଼ିଥାଏ। ଏହି ଅଞ୍ଚଳରେ ବହୁ ସଂଖ୍ୟକ ବିଦେଶୀ ବାସ କରନ୍ତି ଏବଂ ଏହାକୁ ସହରର ସବୁଠାରୁ ସୁରକ୍ଷିତ ଅଞ୍ଚଳ ମଧ୍ୟରୁ ଗୋଟିଏ ବୋଲି ବିବେଚନା କରାଯାଏ। କିଛି ଅସମର୍ଥିତ ସୂତ୍ର ଅନୁଯାୟୀ, ଆକ୍ରମଣର ସମ୍ଭାବ୍ୟ ଟାର୍ଗେଟ ହୋଟେଲରେ ଉପସ୍ଥିତ ଚୀନ୍ ନାଗରିକ ହୋଇପାରନ୍ତି।
ବିସ୍ଫୋରଣ ପରେ ତାଲିବାନ ସୁରକ୍ଷା ବାହିନୀ ଅଞ୍ଚଳକୁ ଘେରାବନ୍ଦୀ କରିନେଇଛି। ବରିଷ୍ଠ ତାଲିବାନ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି ଏବଂ ତଦନ୍ତକାରୀ ସଂସ୍ଥାଗୁଡ଼ିକ ବିସ୍ଫୋରଣର କାରଣ ଖୋଜୁଛନ୍ତି। ସ୍ଥାନୀୟ ଲୋକମାନେ ଘଟଣାସ୍ଥଳରୁ ଜୋରରେ ବିସ୍ଫୋରଣ ଏବଂ ଧୂଆଁ ଉଠିବାର ଦେଖିଥିବା ସୂଚନା ଦେଇଛନ୍ତି। ବିସ୍ଫୋରଣ ଯୋଗୁଁ ଘଟଣାସ୍ଥଳ ଏବଂ ଆଖପାଖ ଅଞ୍ଚଳରେ ଆତଙ୍କ ଖେଳିଯାଇଛି।
ତାଲିବାନ ସନ୍ଦେହ କରୁଛି ଯେ ଏହି ଆକ୍ରମଣ ପଛରେ ଇସଲାମିକ୍ ଷ୍ଟେଟ୍-ଖୋରାସାନ୍ ଥାଇପାରେ। ତାଲିବାନ ଆଫଗାନିସ୍ତାନ ନିୟନ୍ତ୍ରଣ କରିବା ପରଠାରୁ ଆଇଏସ୍ଆଇଏସ୍ ଏହାର କାର୍ଯ୍ୟକଳାପକୁ ଯଥେଷ୍ଟ ବୃଦ୍ଧି କରିଛି। ପୂର୍ବରୁ ଅନେକ ବିସ୍ଫୋରଣ ପାଇଁ ଆଇଏସଆଇଏସ୍ ନିଜକୁ ଦାୟୀ କରିଛି। ତାଲିବାନ ଅଭିଯୋଗ କରିଛି ଯେ ଆଇଏସଆଇଏସ-ଖୋରାସାନ୍ ପଡ଼ୋଶୀ ପାକିସ୍ତାନର ସମର୍ଥନ ପାଇଁ ଏଭଳି କରୁଛି।