ନୂଆଦିଲ୍ଲୀ ୧୮/୦୭ : କିଡ୍‌ନୀରେ ପଥର ସମସ୍ୟା ଏବେ ଧୀରେ ଧୀରେ ବଢିଚାଲିଛି । କାରଣ ହେଉଛି ଆମର ଖାଦ୍ୟପାନୀୟ । କିଡ୍‌ନୀ ପଥର କାରଣରୁ ଅନେକ ସମସ୍ୟାକୁ ସାମ୍‌ନା କରିବାକୁ ପଡିଥାଏ । କିନ୍ତୁ ଜାଣନ୍ତି କି କେତେକ ଲକ୍ଷଣରୁ କିଡ୍‌ନୀରେ ପଥର ଥିବା ଜଣାପଡିଥାଏ । ଚାଲନ୍ତୁ ଜାଣିବା କେଉଁ ଲକ୍ଷଣରୁ ଜାଣିପାରିବେ ଯେ କିଡ୍‌ନୀରେ ପଥର ରହିଛି? 

କିଡ୍‌ନୀରେ ପଥର ହୁଏ କାହିଁକି?  

କିଡ୍‌ନୀରେ ପଥର ସେତେବେଳେ ହୁଏ, ଯେତେବେଳେ ପରିସ୍ରାରେ ଥିବା ମିନେରାଲ୍ସ ଓ ସଲ୍ଟ ଏକାଠି ଜମା ହୋଇ କ୍ରିଷ୍ଟଲ୍‌ ରୂପ ନେଇଥାଏ । ଏହି କ୍ରିଷ୍ଟଲ୍‌ ଧୀରେ ଧୀରେ ବଡ଼ ହୋଇ ପଥର ଆକାର ଧାରଣ କରିଥାଏ । ଏହାକୁ କିଡ୍‌ନୀରେ ପଥର ହୋଇଥିବା କୁହାଯାଏ । 

କମ୍‌ ପାଣି ପିଇବା : ଭରପୂର ମାତ୍ରାରେ ପାଣି ନ ପିଇବା ଦ୍ୱାରା ପରିସ୍ରା ଗାଢ ହୋଇଥାଏ । ଯାହାଦ୍ୱାରା ଧୀରେ ଧୀରେ ମିନେରାଲ୍ସ ଯୋଡ଼ି ହେବା ସହ ପଥର ଆକାର ହୋଇଥାଏ ।

ଅଧିକ ଲୁଣ ବା ପ୍ରୋଟିନ୍‌ : ଅଧିକ ଲୁଣ, ଅକ୍ସଲେଟ୍‌(ପାଳଙ୍ଗ, ଚକୋଲେଟ୍‌ ଓ ଚା’) କିମ୍ବା ଆନିମଲ୍‌ ପ୍ରୋଟିନ୍‌ ଖାଇବା ଦ୍ୱାରା ପଥର ହେବାର ଆଶଙ୍କା ବଢିଥାଏ । 

ୟୁରିକ ଏସିଡ୍‌ ବଢିବା : ୟୁରିକ୍‌ ଏସିଡ୍‌ ବଢିବା ଦ୍ୱାରା ମଧ୍ୟ ପଥର ହୋଇପାରେ । ବିଶେଷକରି ଆମିଷ ଖାଉଥିବା ଲୋକମାନଙ୍କଠାରେ ଆଶଙ୍କା ଅଧିକ ରହିଥାଏ ।

ସ୍ୱାସ୍ଥ୍ୟବସ୍ଥା : ହାଇପୋଥାଇରଏଡଜିମ୍‌, ୟୁରିନ୍‌ ଟ୍ରାକ୍‌ ଇନ୍‌ଫେକ୍ସନ, ମୋଟାପଣ, ମଧୁମେହ ଏବଂ କିଛି ଔଷଧ ମଧ୍ୟ କିଡ୍‌ନୀ ଷ୍ଟୋନ୍‌ର କାରଣ ସାଜିଥାଏ । 

ଲକ୍ଷଣ  :

-ପଥରର ଆକାର ଛୋଟ ହୋଇଥିବା ବେଳେ କୌଣସି ଲକ୍ଷଣ ବିନା ଏହା ଶରୀରରୁ ଆପେ ଆପେ ବାହାରିଯାଇ ପାରିବ । କିନ୍ତୁ ବଡ଼ ହେବା ପରେ କେବେ କେବେ ୟୁରିନାରୀ ଟ୍ରାକ୍‌ରେ ଅଟକି ଯିବାର ଦେଖିବାକୁ ମିଳେ ।

-ପଥର ଥିବା କାରଣରୁ ରେନାଲ୍‌ କୋଲିକ୍‌ ହୋଇଥାଏ । ଫଳରେ ପିଠି, ପେଟର ନିମ୍ନ ଭାଗ ବା ଜଙ୍ଘ ଯାଏ ଯନ୍ତ୍ରଣା ଅନୁଭବ ହୋଇଥାଏ । ଏହି କ୍ଷେତ୍ରରେ ପଥରଜନିତ ଯନ୍ତ୍ରଣା ଅଚାନକ୍‌ ଆସିବା ସହ ଖୁବ୍‌ ତୀବ୍ର ହୋଇଥାଏ । 

-ପରିସ୍ରା କରିବା ସମୟରେ ଜ୍ୱଳନ ଅନୁଭବ ହୋଇଥାଏ । ଏପରିକି ବାରମ୍ବାର ପରିସ୍ରା ଲାଗିଥାଏ । କେବେକେବେ ପରିସ୍ରାରେ ରକ୍ତ ମଧ୍ୟ ଆସିଥାଏ । 

-ଅତ୍ୟଧିକ ଯନ୍ତ୍ରଣା କାରଣରୁ ବାନ୍ତି ମଧ୍ୟ ହୋଇଥାଏ । 

-ପଥର ଅଧିକ ସଂକ୍ରମିତ ହେବା ଦ୍ୱାରା ବାରମ୍ବାର ଜ୍ୱର ସହ କମ୍ପ ଅନୁଭବ ହୋଇଥାଏ ।