ମୁମ୍ବାଇ,୨୬।୨: ଉଦ୍ୟୋଗପତି ଅନିଲ ଅମ୍ବାନୀଙ୍କ ଅଡୁଆ କମିବାର ନାଁ ଧରୁନି। ସିବିଆଇ ତାଙ୍କ ବିରୋଧରେ ଆଉ ଏକ ନୂଆ ଏଫ୍ଆଇଆର ରୁଜୁ କରିଛି। ଏହି ମାମଲା ବ୍ୟାଙ୍କ ଅଫ୍ ବରୋଦାରୁ ନେଇଥିବା ହଜାର ହଜାର କୋଟି ଟଙ୍କାର ଲୋନ୍ ସହ ଜଡିତ। ଅଭିଯୋଗ ରହିଛି ଯେ, ରିଲାୟନ୍ସ କମ୍ୟୁନିକେସନ୍ ଏବଂ ତା’ର ସହଯୋଗୀ କମ୍ପାନୀ ୨୦୧୩ରୁ ୨୦୧୭ ମଧ୍ୟରେ ବ୍ୟାଙ୍କକୁ ପ୍ରାୟ ୨,୨୨୦ କୋଟି ଟଙ୍କାର କ୍ଷତି ପହଁଞ୍ଚାଇଛନ୍ତି।

ସିବିଆଇର କହିବା ଅନୁସାରେ, ବ୍ୟାଙ୍କ ଅଫ ବରୋଦାର ଅଭିଯୋଗ ଆଧାରରେ ଏହି ମାମଲା ରୁଜୁ କରାଯାଇଛି। ଏଫ୍ଆଇଆର ରୁଜୁ ହେବା ମାତ୍ରେ ଏଜେନ୍ସି ଅନିଲ ଅମ୍ବାନୀଙ୍କ ଘର ଏବଂ ରିଲାୟନ୍ସ କମ୍ୟୁନିକେସନ୍ ଅଫିସରେ ତଲାସୀ ନେଇଥିଲା। ତଦନ୍ତ ବେଳେ ଲୋନ୍ ସମ୍ପର୍କିତ ବହୁ ଦସ୍ତବିଜ ଜବତ କରାଯାଇଛି। ତଦନ୍ତକାରୀ ଏଜେନ୍ସିର ଦାବି ଯେ, ଲୋନ୍‌ର ଅର୍ଥକୁ ଧାର୍ଯ୍ୟ ସର୍ତ୍ତ ଅନୁସାରେ, ବ୍ୟବହାର କରାଯାଇନି ବଂର ତାକୁ ଅନ୍ୟ କମ୍ପାନୀ ଓ ସମ୍ପର୍କୀତ ପକ୍ଷ ଜରିଆରେ ବ୍ୟବହାର କରାଯାଇଛି।

ବ୍ୟାଙ୍କର ଅଭିଯୋଗ ଯେ, ରିଲାୟନ୍ସ କମ୍ୟୁନିକେସନ୍ ଓ ଏହାର ସହଯୋଗୀ କମ୍ପାନୀ (ରିଲାୟନ୍ସ ଇନଫ୍ରାଟେଲ୍ ଲିମିଟେଡ୍ ଓ ରିଲାୟନ୍ସ ଟେଲିକମ୍ ଲିମିଟେଡ୍) ମିଶିକି ପ୍ରାୟ ୩୧,୫୮୦କୋଟି ଟଙ୍କାର ଋଣ ଅଲଗା ଅଲଗା ବ୍ୟାଙ୍କ ଓ ଆର୍ଥିକ ସଂସ୍ଥାରୁ ନେଇଛନ୍ତି। ଏହାଦ୍ବାରା ୬,୨୬୫ କୋଟି ଟଙ୍କା ଅନ୍ୟ ବ୍ୟାଙ୍କର ଋଣ ପରିଶୋଧ କରିବାକୁ ବ୍ୟବହାର କରାଯାଇଛି। ୫୫୦୧ କୋଟି ଅର୍ଥ ଟ୍ରାନ୍ସଫର କରାଯାଇଛି ଓ ୩୬୭୪ କୋଟି ଟଙ୍କାର ଫିକ୍ସଡ ଡିପୋଜିଟ୍ ଓ ମ୍ୟୁଚୁଆଲ ଫଣ୍ଡରେ ନିବେଶ କରାଯାଇଛି। ଉଲ୍ଲେଖନୀୟ ଯେ, ଗତ କାଲି ଇଡି ମନି ଲଣ୍ଡରିଂ ମାମଲାରେ ଅନିଲ ଅମ୍ବାନୀଙ୍କ ମୁମ୍ବାଇ ସ୍ଥିତ ବାସଭବନ ‘ଆବୋଡ’କୁ ଜବତ କରିଛି। ଜବତ ଘରର ଦାମ୍ ୩,୭୧୬ କୋଟି ଟଙ୍କା ବୋଲି କୁହାଯାଉଛି। ଅନିଲ ଅମ୍ବାନୀ ଓ ତାଙ୍କ ଗ୍ରୁପର କମ୍ପାନୀ ବିରୋଧରେ ଏପର୍ଯ୍ୟନ୍ତ ମୋଟ ଆଟାଚମେଣ୍ଟର କାର୍ଯ୍ୟାନୁଷ୍ଠାନ ୧୫୭୦୦ କୋଟିରୁ ଅଧିକ ହୋଇସାରିଛି।

ଆହୁରି ପଢନ୍ତୁ : ମନି ଲଣ୍ଡରିଂ ମାମଲାରେ ଅନିଲ ଅମ୍ବାନୀଙ୍କୁ ଝଟକା, ମୁମ୍ବାଇରେ ସବୁଠୁ ଦାମୀ ଘର ମଧ୍ୟରୁ ଅନ୍ୟତମ ‘ଅବୋଡ଼’ ଉପରେ ଇଡିର କବଜା