ଭୁବନେଶ୍ୱର,୧୬/୧୧: ମାସେ ହେଲାଣି ପାଟିରେ ଆମିଷ ବାଜିନଥିଲା । କିଏ  ୭ଦିନ ତ ଆଉ କିଏ ପଞ୍ଚକ ୫ଦିନ ଧରି ଆଇଁଷ ଛାଡ଼ିଥିଲେ। ଟାକି ବସିଥିଲେ ଛାଡ଼ ଖାଇକୁ । ପୂର୍ଣ୍ଣିମା ବାସି ଶନିବାର ପଡ଼ିଥାନ୍ତା  ଛାଡ଼ଖାଇ । ନିର୍ଘାତ ଆଇଁଷ ଖାଇଥାନ୍ତେ । ହେଲେ ପାଗଯୋଗ ବିଗିଡ଼ିଗଲା । ଶନିବାର ସଂକ୍ରାନ୍ତି ଥିବାରୁ ରବିବାରକୁ ଘୁଞ୍ଚିଗଲା  ଛାଡ଼ଖାଇ । ଅର୍ଥାତ ଆଇଁଷ ଖାଇବାକୁ ଆହୁରି  ୨୪ଘଣ୍ଟାର ଯନ୍ତ୍ରଣା ଭୋଗିବାକୁ ହେବ । ଏପଟେ ଆଇଁଷ ବେପାରୀଙ୍କୁ ବି ଗୋଟିଏ ଦିନ ପେକ୍ଷା କରିବାକୁ ପଡ଼ିବ । କିଏ ମାଛ ପାଇଁ  ବଇନା ଦେଇସାରିଛି ତ କିଏ ଖାସି କିଣିଆଣି  ଘରେ ରଖିଛି । ତ ଆଉ କିଏ ଚିକେନ ଭାଡ଼ି ସଜେଇ କରି ଥୋଇଛି । ତେଣୁ ୨୪ଘଣ୍ଟାର କାଉଣ୍ଟଡାଉନ୍‌ ଆରମ୍ଭ କରିଛନ୍ତି ବିକିଲା ବାଲା ଓ  ଖାଇଲା ବାଲା । ଏସବୁ ମଧ୍ୟରେ କିନ୍ତୁ କୁକୁଡ଼ା, ଛେଳିଙ୍କ ଆୟୁଷ ଗୋଟିଏ ଦିନ ବଢ଼ିଛି ।  

ଦୈତନଗରୀ ଭୁବନେଶ୍ୱର ଓ  କଟକରେ ଗତବର୍ଷ ୮କୋଟିରୁ ଊଦ୍ଧ୍ୱର୍ ଟଙ୍କାର  ଆମିଷ ବେପାର ହୋଇଥିଲା । ସେଥିମଧ୍ୟରୁ  ଭୁବନେଶ୍ୱରରେ କେବଳ ୫ କୋଟିର ବେପାର  ଥିଲା । ଏଥରକ ଉଭୟ ସହରରେ ୧୦ କୋଟିର  ବେପାର ହେବ ବୋଲି ଆକଳନ କରାଯାଇଛି ।  ଯଦି ଭୁବନେଶ୍ୱର କଥା କହିବା, ଅଣ ଛାଡ଼ଖାଇ  ସମୟରେ ପ୍ରତିଦିନ ବେପାର କୋଟିଏ ପର୍ଯ୍ୟନ୍ତ  ଛୁଏଁ । ହେଲେ ରଜ, ଛାଡ଼ଖାଇ ଆସିଲେ ବେପାର  ୩ଗୁଣ ହୋଇଯାଏ । ଛାଡ଼ ଖାଇ ପାଇଁ ଶୁକ୍ରବାର  ସୁଦ୍ଧା ଭୁବନେଶ୍ୱରକୁ ୪୫୦ରୁ ୫୦୦ କୁଇଣ୍ଟା ଖାସି  ଆସିଛି । ଏହି ସବୁ ଖାସି କୋଲକାତା ସମେତ  ହରିପୁର, ଦଶପଲ୍ଲା, ବାରିପଦା, ଯଶିପୁର ଆଦି  ସ୍ଥାନରୁ ୨୫୫ କୁଇଣ୍ଟାଲ ଛେଳି ଆସିସାରିଛି । ସେହିପରି ୨୦୦୦ ଟନ୍‌ କୁକୁଡ଼ା(ଉଭୟ  ଦେଶୀ ଓ ବ୍ରଏଲର) ମଧ୍ୟ ଆସିଛି । ତେବେ  ଶନିବାର ସଂକ୍ରାନ୍ତି ଥିବାରୁ ମାଛ ଆସିପାରିନି ।  ଯାହା ବୁଧବାର ଆସିଥିଲା ତାହା ରବିବାର  ବିକ୍ରି ହେବ । 

ଶୁକ୍ରବାର ୨୦ରୁ ୨୫ଟି ମାଛ ଗାଡ଼ି  ପାଇଁ ଅର୍ଡର ଦିଆଯାଇଛି । ଆନ୍ଧ୍ରପ୍ରଦେଶ ସହ ଚିଲିକା, ଭୂଷଣ୍ଡପୁର, ପାରାଦୀପ, ବାଲେଶ୍ୱର  ଓ ଭଦ୍ରକ ଆଦି ସ୍ଥାନରୁ ଦେଶୀ ମାଛ ଆସିବ । ବର୍ତ୍ତମାନ ପର୍ଯ୍ୟନ୍ତ ଦର ତାଲିକା ହୋଇନାହିଁ । ରବିବାର ତାଲିକା କରାଯିବ ବୋଲି ନିଖିଳ  ଓଡ଼ିଶା ଆମିଷ ବ୍ୟବସାୟୀ ମହାସଂଘର ସଭାପତି  ଶେଖ୍‌ ମୁନ୍ତାକିମ୍‌ ବକ୍ସ କହିଛନ୍ତି ।