ଦୁବାଇ ୦୨/୦୩: ଚଳିତ ଚାମ୍ପିଅନ୍ସ ଟ୍ରଫିରେ ଆଜି ଅନ୍ତିମ ଲିଗ୍‌ ମ୍ୟାଚ ଖେଳାଯିବ । ଦୁଇ  ଟାଇଟଲ ଦାବିଦାର ଭାରତ ଓ ନ୍ୟୁଜିଲାଣ୍ଡ  ସାମ୍ନା ସାମ୍ନି ହେବେ । ଗ୍ରୁପ-ଏ’ ପଏଣ୍ଟ  ତାଲିକାର ଶୀର୍ଷ ସ୍ଥାନ ପାଇଁ ଉଭୟ ଦଳ ମଧ୍ୟରେ ଘମାଘୋଟ ଲଢ଼େଇ ହେବ । କାରଣ ଏହି ମ୍ୟାଚ୍‌ର ଫଳାଫଳ ସେମି ଫାଇନାଲ୍‌ ଲାଇନ୍‌ ଅପ୍‌ ଚୂଡ଼ାନ୍ତ କରିବ । ଗ୍ରୁପ୍‌ ବି’ରେ ଦକ୍ଷିଣ ଆଫ୍ରିକା ପ୍ରଥମ ଓ ଅଷ୍ଟ୍ରେଲିଆ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଗ୍ରୁପ୍‌ ଏ’ର ଶୀର୍ଷ ସ୍ଥାନ ଦଖଲ କରିଥିବା ଦଳ ସେମିରେ ଗ୍ରୁପ୍‌ ବି’ର ଦ୍ୱିତୀୟ  ସ୍ଥାନରେ ରହିଥିବା ଦଳକୁ ଭେଟିବ ।




ଦୃଢ଼ ପ୍ରତିଦ୍ୱନ୍ଦ୍ୱୀ: ଗତ କିଛି ବର୍ଷର ରେକର୍ଡକୁ ଦେଖିଲେ ଏକମାତ୍ର ଦଳ ଭାବେ ନ୍ୟୁଜିଲାଣ୍ଡ ନିୟମିତ ଭାବେ ଭାରତକୁ କଡ଼ା ଚ୍ୟାଲେଞ୍ଜ ଦେଇ ଆସୁଛି। ୨୦୧୯ ବିଶ୍ୱକପ୍‌ ସେମି ଫାଇନାଲ୍‌ରେ ନ୍ୟୁଜିଲାଣ୍ଡ ଠାରୁ ପରାଜିତ ହୋଇ ଭାରତ ବିଦାୟ ନେଇଥିଲା । ଏହାପରେ ୨୦୨୧ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଫାଇନାଲରେ ମଧ୍ୟ ନ୍ୟୁଜିଲାଣ୍ଡ ଠାରୁ  ପରାଜିତ ହୋଇଥିଲା । ଅବଶ୍ୟ ୨୦୨୩ ଦିନିକିଆ ବିଶ୍ୱକପ୍‌ରେ ଭାରତ ବିଜୟ ହାସଲ କରିଥିଲା ।  ଗତ ସେପ୍ଟେମ୍ବର/ ଅକ୍ଟୋବରରେ ନ୍ୟୁଜିଲାଣ୍ଡ ଦଳ  ଭାରତ ଗସ୍ତରେ ଆସି ୩-୦ରେ ଟେଷ୍ଟ ସିରିଜ ଜିତିଥିଲା । କେବଳ ସେତିକି ନୁହେଁ, ଉଭୟ ଦଳ  ମଧ୍ୟରେ ଖେଳାଯାଇଥିବା ଶେଷ ୫ଟି ଦିନିକିଆରେ  ଭାରତ ବିଜୟୀ ହୋଇଥିଲା । ଏହା ପୂର୍ବ ୫ଟି ଦିନିକିଆରେ ନ୍ୟୁଜିଲାଣ୍ଡ ବିଜୟ ହାସଲ କରିଥିଲା ।  

ଏକାଦଶରେ ହେବ ପରିବର୍ତ୍ତନ: ଭାରତ  ଏକାଦଶରେ ପରିବର୍ତ୍ତନ କରିବାର  ଯଥେଷ୍ଟ ସମ୍ଭାବନା ରହିଛି । ନ୍ୟୁଜିଲାଣ୍ଡ ଦଳରେ ୪ଜଣ  ବାମ ହାତି ବ୍ୟାଟର ରହିଛନ୍ତି । ତେଣୁ ଭାରତ ରବିନ୍ଦ୍ର ଜାଡେଜା ଓ ଅକ୍ଷର ପଟେଲଙ୍କ ମଧ୍ୟରୁ ଜଣଙ୍କୁ ବିଶ୍ରାମ ଦେଇ ୱାସିଂଟନ ସୁନ୍ଦରଙ୍କୁ ଖେଳାଇପାରେ । ସେ ମଧ୍ୟ ବାମ ହାତି ବ୍ୟାଟର ସ୍ଥାନ ପୂରଣ କରିପାରିବେ । ଭାରତୀୟ ବ୍ୟାଟିଂ ଅର୍ଡରରେ କୌଣସି ବାମ ହାତି ବ୍ୟାଟର ନଥିବାରୁ ଅକ୍ଷର ଫ୍ଲୋଟର ଭାବେ ବ୍ୟାଟିଂ କରିବାକୁ ଆଗୁଆ ଓହ୍ଲାଉଛନ୍ତି । ସେ  ବିଶ୍ରାମ  ନେଲେ ବ୍ୟାଟିଂ ଅର୍ଡରରେ ବାମ ହାତି ବ୍ୟାଟର ଭର୍ତ୍ତି କରାଯିବ । ଫଳରେ କେଏଲ ରାହୁଲଙ୍କୁ ବିଶ୍ରାମ ମିଳିବ  ଓ ରିଷଭ ପନ୍ତ ଏକାଦଶରେ ସ୍ଥାନ ହାସଲ କରିବେ ।  

ଶନିବାର ଭାରତୀୟ ଦଳ ଅଭ୍ୟାସରୁ ବିରତି ନେଇଥିଲା । ହେଲେ ପନ୍ତ ଅତିରିକ୍ତ ସମୟ ବ୍ୟାଟିଂ ଅଭ୍ୟାସ କରିଥିଲେ । ପେସ୍‌ ବୋଲିଂ ବିଭାଗରେ ମଧ୍ୟ ପରିବର୍ତ୍ତନ ହୋଇପାରେ । ପେସ୍‌ ବୋଲର ମହମ୍ମଦ ସାମିଙ୍କ ସ୍ଥାନରେ ଅର୍ଶଦୀପ ସିଂହଙ୍କୁ ସୁଯୋଗ ମିଳିପାରେ । ସେହିପରି କୁଲଦୀପ ଯାଦବଙ୍କୁ ବିଶ୍ରାମ ଦେଇ ବରୁଣ ଚକ୍ରବର୍ତ୍ତୀଙ୍କୁ ଖେଳାଯିବାର  ସମ୍ଭାବନା ରହିଛି । 

ନ୍ୟୁଜିଲାଣ୍ଡ ଦଳରେ ମଧ୍ୟ ପରିବର୍ତ୍ତନ ହେବ ।  ପ୍ରମୁଖ ମଧ୍ୟକ୍ରମ ବ୍ୟାଟର ଡାରିଲ ମିଚେଲ ଫିଟ୍‌  ଘୋଷିତ ହୋଇଛନ୍ତି । ଫଳରେ ସେ ଆସନ୍ତାକାଲି  ଏକାଦଶକୁ ଫେରିବେ ।  

ଭାରତ ୨୫ବର୍ଷ ତଳ ପରାଜୟର  ପ୍ରତିଶୋଧ ନେବାକୁ ପ୍ରୟାସ କରିବ । ଚାମ୍ପିଅନ୍ସ  ଟ୍ରଫିରେ ଉଭୟ ଦଳ ପୂର୍ବରୁ ଥରେ ମାତ୍ର ସାମ୍ନା ସାମ୍ନି  ହୋଇଥିଲେ । ୨୦୦୦ ମସିହାରେ ଅନୁଷ୍ଠିତ ଚାମ୍ପିଅନ୍ସ  ଟ୍ରଫି ଫାଇନାଲ୍‌ରେ ଭାରତକୁ ହରାଇ ନ୍ୟୁଜିଲାଣ୍ଡ  ଚାମ୍ପିଅନ୍‌ ହୋଇଥିଲା । ଏହି ମ୍ୟାଚ୍‌ରେ କ୍ରିସ କେର୍ଣ୍ଣସ  ଅପରାଜିତ ଶତକ ଅର୍ଜନ କରି ଦଳକୁ ଜିତାଇଥିଲେ ।  

୩୦୦ତମ ଦିନିକିଆ ଖେଳିବେ କୋହଲି: ଷ୍ଟାର୍‌ ବ୍ୟାଟର ବିରାଟ କୋହଲି ଆସନ୍ତାକାଲି ଆଉ ଏକ  ସଫଳ ଫର୍ଦ୍ଦ ଯୋଡ଼ିବାକୁ ଯାଉଛନ୍ତି । ସେ ୩୦୦ତମ  ଦିନିକିଆ ମ୍ୟାଚ୍‌ ଖେଳିବେ । ସେ ସପ୍ତମ ଭାରତୀୟ  ଭାବେ ୩୦୦ ଦିନିକିଆ ଖେଳିବେ। ତାଙ୍କୁ ମଧ୍ୟ ଅନେକ ରେକର୍ଡ ଅପେକ୍ଷା କରି ରହିଛି । ସେ ଆଉ  ୧୫୯ ରନ କଲେ ଦିନିକିଆରେ ଦ୍ୱିତୀୟ ସର୍ବାଧିକ  ରନ୍‌ ସ୍କୋରର ହେବେ । ବର୍ତ୍ତମାନ କୁମାର ସାଙ୍ଗାକାରା ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଆଜି କୋହଲି ୮୫  ରନ୍‌ କଲେ ବିଶ୍ୱର ପଞ୍ଚମ ବ୍ୟାଟର ଭାବେ ନ୍ୟୁଜିଲାଣ୍ଡ ବିପକ୍ଷରେ ୩୦୦୦ ରନ ପୂରଣ କରିବେ । ପୂର୍ବରୁ  ସଚିନ ତେନ୍ଦୁଲକର, ରିକି ପଣ୍ଟିଂ,ଜାକସ କାଲିସ୍‌ ଓ  ଜୋ ରୁଟ୍‌ ଏହି ସଫଳତା ଅର୍ଜନ କରିଛନ୍ତି ।

ଟସ ଜିତିଲେ ବ୍ୟାଟିଂ: ଦୁବାଇ ପିଚ୍‌ ମନ୍ଥର ରହୁଛି ଓ ସ୍ପିନରଙ୍କୁ ସହାୟତା କରୁଛି । ରାତ୍ରିରେ କାକର  ପ୍ରଭାବ ମଧ୍ୟ ନାହିଁ । ମ୍ୟାଚ୍‌ ଆଗେଇବା ସହ ପିଚ୍‌ ମନ୍ଥର ହେଉଥିବାରୁ ପ୍ରଥମାର୍ଦ୍ଧ ତୁଳନାରେ ଦ୍ୱିତୀୟାର୍ଦ୍ଧରେ  ବ୍ୟାଟିଂ କଷ୍ଟକର ହେବ । ଅବଶ୍ୟ ଭାରତ ଏଠାରେ  ଖେଳିଥିବା ୨ଟି ଯାକ ମ୍ୟାଚ୍‌ରେ ଦ୍ୱିତୀୟାର୍ଦ୍ଧରେ ବ୍ୟାଟିଂ  କରି ବିଜୟ ହାସଲ କରିଛି । ତଥାପି ଆଜି ଟସ ଜିତିଲେ ବ୍ୟାଟିଂ କରିବାକୁ ପଛାଇବ ନାହିଁ ।

ସମ୍ଭାବ୍ୟ ଦଳ

ଭାରତ: ରୋହିତ ଶର୍ମା(ଅଧିନାୟକ), ଶୁଭମନ  ଗିଲ୍‌, ବିରାଟ କୋହଲି, ଶ୍ରେୟାସ ଆୟର, ରିଷଭ  ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡ଼େଜା, ୱାସିଂଟନ  ସୁନ୍ଦର, ହର୍ଷିତ ରାଣା, କୁଲଦୀପ ଯାଦବ/ବରୁଣ  ଚକ୍ରବର୍ତ୍ତୀ, ମହମ୍ମଦ ସାମି/ଅର୍ଶଦୀପ ସିଂହ । 

ନ୍ୟୁଜିଲାଣ୍ଡ: ଡେଭନ କନୱେ, ରଚିନ ରବିନ୍ଦ୍ର,  କେନ ୱିଲିୟମସନ, ଡାରିଲ ମିଚେଲ, ଟମ  ଲାଥମ, ଗ୍ଲେନ ଫିଲିପ୍ସ, ମାଇକେଲ ବ୍ରେସୱେଲ୍‌, ମିଚେଲ ସାଣ୍ଟନର(ଅଧିନାୟକ), କେଲି ଜାମିସନ,  ମାଟ୍‌ ହେନରୀ, ୱିଲ ଓ’ରୁର୍କ ।