ଫିରିଙ୍ଗିଆ,୧୭/୫ : ଜଙ୍ଗଲ ତଳି ଓ ଜଙ୍ଗଲ ଘେରା ଅଞ୍ଚଳରେ ବାସ କରୁଥିବା ଅନୁସୂଚିତ ଜାତି ଓ ଜନଜାତି ଲୋକେ ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ କରି ସେମାନଙ୍କ ଜୀବିନଜୀବିକା ନିର୍ବାହ କରିଥାନ୍ତି। ଯାହାକି ମଣିଷ ସମାଜ ଆଦ୍ୟରୁ ଜଙ୍ଗଲ ଉପରେ ନିର୍ଭର କରି ଆସୁଥିବାବେଳେ କୃଷି ଓ ପଶୁପାଳନ କରି ବଞ୍ଚି ଆସୁଛି । ସେମାନଙ୍କ ସାମାଜିକ , ସାଂସ୍କୃତିକ ଜୀବନ ପ୍ରବାହିତ ସହିତ ଲଘୁ ବନଜାତ ଦ୍ରବ୍ୟ ଅଙ୍ଗାଅଙ୍ଗୀ ଭାବେ ଜଡ଼ିତ। ଏମାନେ ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ କରି ବର୍ଷର ୫/୬ ମାସ ଜୀବିକା ନିର୍ବାହ କରିଥାନ୍ତି । ଫଳ, କୋଳି, କନ୍ଦା ମଧ୍ୟରେ କେନ୍ଦୁ, ହରିଡା, ବାହାଡା, ସାହାଡ଼ା, ଅଁଅଳା, ଚାଆଁର, କୁସୁମ, ତେନ୍ତୁଳି, ଟୋଲ, ତେନ୍ତୁଳି, ଆମ୍ବ ଟାକୁଆ, ଲାଖ ଝୁଣା ମହୁ ଆଦି ବନାଞ୍ଚଳବାସୀଙ୍କ ଜୀବିକା ନିର୍ବାହର ପ୍ରଧାନ ପନ୍ଥା ରହି ଆସିଛି ।
ବିଶେଷ କରି ଗ୍ରୀଷ୍ମରେ ଫିରିଙ୍ଗିଆ ବ୍ଲକର ବିଭିନ୍ନ ଅଞ୍ଚଳରେ ଲୋକେ ଚାଆଁର ମଞ୍ଜି ସଂଗ୍ରହ କରୁଥିବା ଦେଖିବାକୁ ମିଳୁଛି । ସାଡିଙ୍ଗିଆ, ପାହିରେଜୁ, ବାଲନ୍ଦାପଡ଼ା, ଗୋଚ୍ଛା ପଡ଼ା, ଲୁଇସିଂ ଆଦି ପଞ୍ଚାୟତର ଜଙ୍ଗଲଘେରା ଅଞ୍ଚଳ ରହିଥିବାରୁ ବିଭିନ୍ନ ପ୍ରକାର ଲଘୁ ବନଜାତ ଦ୍ରବ୍ୟ ଲୋକେ ସଂଗ୍ରହ କରି ଅର୍ଥ ରୋଜଗାର କରୁଛନ୍ତି। ସମୟକ୍ରମେ ଜଙ୍ଗଲ ହ୍ରାସ ଯୋଗୁଁ ଏ ସବୁ ଉତ୍ପାଦନ ହାର ପାତାଳକୁ ଖସିଛି । ପୂର୍ବ ଭଳି ଆଉ ଲଘୁ ବନଜାତ ଦ୍ରବ୍ୟ ମିଳୁନଥିବା କହିଛନ୍ତି ଅଞ୍ଚଳବାସୀ । ବର୍ତ୍ତମାନ ସ୍ଥିତିରେ ଚାଆଁର କୋଳି ସଂଗ୍ରହ ଚାଲିଥିବାବେଳେ କିଲୋ ପ୍ରତି ୨୫୦.୦୦ ଟଙ୍କା ଦରରେ ସ୍ଥାନୀୟ ବେପାରୀ ନିକଟରେ ଲୋକେ ବିକ୍ରୟ କରୁଛନ୍ତି। ରାଜ୍ୟ ସରକାର ଲଘୁ ବନଜାତ ଦ୍ରବ୍ୟ କ୍ରୟ ଏବଂ ଏମଏସପିରେ ଲୋକେ ବିକ୍ରୟ ପାଇଁ ଲାଭ ଯୋଜନା ଲାଗୁ ହୋଇଛି।
ଏଫ୍ ଏ କୀୟୁ ଗୁଣବତ୍ତା ଥିବା ଲଘୁ ବନଜାତ ଦ୍ରବ୍ୟ କ୍ରୟ କରିବାକୁ ଓଡିଶା ଜୀବିକା ମିଶନ ମହିଳା ଏମବିକେମାନଙ୍କ ସହଯୋଗ ଏବଂ ପରିଚାଳନାରେ ଏସଏଚଜିଙ୍କୁ କ୍ରୟ କରିବାକୁ ପ୍ରୋତ୍ସାହନ ଦିଆଯାଉଛି । ଏଥିପାଇଁ ରାଜ୍ୟ ସରକାର ରାଜ୍ୟ ପାଣ୍ଠିରୁ ଅର୍ଥ ମଞ୍ଜୁର କରାଯାଇଥିବାବେଳେ ବିଭିନ୍ନ ଏଜେନ୍ସି ଏନ୍ ଟି ଏଫ୍ ପି କ୍ରୟ କରୁଛନ୍ତି। ଅନ୍ୟପକ୍ଷରେ ଏସବୁ ଟିଡିସିସିକୁ ବିକ୍ରୟ କରିବାକୁ ପ୍ରାବଧାନ ରହିଛି । ସରକାରୀ କାଗଜପତ୍ରରେ କ୍ରୟ ବିକ୍ରୟ କେବଳ ଚାଲିଛି। ଉତ୍ପାଦିତ ଲଘୁ ବନଜାତ ଦ୍ରବ୍ୟ ବାହାର ବେପାରୀ ଲୋକଙ୍କଠାରୁ କମ୍ ମୂଲ୍ୟରେ କ୍ରୟ କରି ପ୍ରକୃତ ଲାଭ ସେମାନେ ପାଉଥିବାବେଳେ ଭୋର ସକାଳୁ ୬ଘଣ୍ଟାବେଳେ ଜଙ୍ଗଲକୁ ଯାଇ କଠିନ ପରିଶ୍ରମ କରି ଖରାରେ ସିଝି ଲଘୁ ବନଜାତ ଦ୍ରବ୍ୟ ଆଦି ସଂଗ୍ରହ କରି ଆଣି ବେପାରୀକୁ ଲାଭ ଦେଉଛନ୍ତି।
ବିକ୍ରୟ ପାଇଁ ବଜାର ବ୍ୟବସ୍ଥା କାର୍ଯ୍ୟକାରୀ ହେଲେ ସିଧାସଳଖ ଲାଭ ଲୋକେ ପାଇ ପାରନ୍ତେ। ଚାଆଁର କୋଳି ଖାଇବାକୁ ସ୍ଵାଦିଷ୍ଟ ଲାଗିଥାଏ। ଏହାର ମଞ୍ଜି ବିଭିନ୍ନ ରୋଗ ପାଇଁ ଔଷଧରେ ବ୍ୟବହାର ହୋଇଥାଏ । ବିଶେଷ କରି ହାଇ କୋଲଷ୍ଟ୍ରୋଲ୍, କନ୍ସ୍ତିପେଶନ, ଇନ୍ସଅମାନିଆ, ଯକୃତ ସମ୍ବନ୍ଧୀୟ ରୋଗ ଜଣ୍ଡିସ ଓ ସ୍କିନ ରୋଗ ଆଦିରେ ଏହାର ମଞ୍ଜି ଔଷଧ ଉପାଦାନ ରୂପେ ବ୍ୟବହାର ହୋଇଥାଏ। କ୍ଵିଣ୍ଟାଲ ପ୍ରତି ୨୫୦.୦୦ଟଙ୍କା ବର୍ତ୍ତମାନ ବଜାରରେ କିଣା ଚାଲିଛି। ଏ ସବୁ ଦୃଷ୍ଟିରୁ ଚାଆଁର ମଞ୍ଜିର ଚାହିଦା ସର୍ବଦା ବୃଦ୍ଧି ପାଇ ଆସୁଛି।