ଭୁବନେଶ୍ୱର : ରାଜ୍ୟ ବଜେଟ୍ ୨୦୨୬-୨୭ ଉପସ୍ଥାପିତ। ମୋଟ ୩ଲକ୍ଷ ୧୦ ହଜାର କୋଟି ଟଙ୍କାର ବଜେଟ୍ ଉପସ୍ଥାପନା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଗତ ବର୍ଷ ତୁଳନାରେ ୬.୯ ପ୍ରତିଶତ ବୃଦ୍ଧି ହୋଇଛି । ବଜେଟ୍‌ରେ ମାଣ୍ଡିଆ ଭଳି ଜଳବାୟୁ ସହନଶୀଳ ଏବଂ ପୁଷ୍ଟିକର ଶସ୍ୟକୁ ପୁନର୍ଜୀବିତ କରି ପୁଷ୍ଟିକର ଖାଦ୍ୟ ସୁରକ୍ଷା ଯୋଗାଇବା ପାଇଁ ‘ଶ୍ରୀ ଅନ୍ନ ଅଭିଯାନ’ ପାଇଁ ୨୦୨୬-୨୬ ଆର୍ଥିକ ବର୍ଷରେ ୪ ଶହ କୋଟି ଟଙ୍କାର ବ୍ୟବସ୍ଥା ରହିଛି।

ଧାନ ଉପରେ ଅତ୍ୟଧିକ ନିର୍ଭରଶୀଳତାକୁ ହ୍ରାସ କରିବା ଉଦ୍ଦେଶ୍ୟରେ ଜଳବାୟୁ ସହନଶୀଳ କୃଷିକୁ ପ୍ରାଥମିକତା ଦେଇ ବିଭିନ୍ନ କିସମର ଡାଲି ,ତୈଳ ବୀଜ ଏବଂ ଦେଶୀ ସୁଗନ୍ଧିତ ଓ ଅଣସୁଗନ୍ଧିତ ଧାନ ଚାଷକୁ ପ୍ରୋତ୍ସାହିତ କରାଯାଉଛି। ଏଥିପାଇଁ ବୃହତ ଉଠା ଜଳସେଚନ ପ୍ରକଳ୍ପ ଅଞ୍ଚଳରେ ଫସଲ ବିବିଧକରଣ କାର୍ଯ୍ୟକ୍ରମ , ସ୍ୱଦେଶୀ ପ୍ରଜାତିର ଧାନକୁ ପ୍ରୋତ୍ସାହନ ଏବଂ ଅମଳ ପରବର୍ତ୍ତୀ ଧାନ ପଡ଼ିଆର ବ୍ୟାପକ ପରିଚାଳନା ଆଦି ପଦକ୍ଷେପ ପାଇଁ ୨୦୨୬-୨୭ ଆର୍ଥିକ ବର୍ଷରେ ମୋଟ ୪ ଶହ ୬୯ କୋଟି ଟଙ୍କାର ବ୍ୟୟ ବରାଦ ରହିଛି।

ଆହୁରି ମଧ୍ୟ ବଜେଟ୍ରେ ସୁଭଦ୍ରା ସୁରକ୍ଷା ଯୋଜନାକୁ ମଧ୍ୟ ଗୁରୁତ୍ତ୍ୱ ଦିଆଯାଇଛି। ଏହି ଯୋଜନା ପାଇଁ ୧୧୭ କୋଟି ଟଙ୍କାର ପ୍ରସ୍ତାବ ରହିଛି। ବଜେଟ୍ ଉପସ୍ଥାପନ ବେଳେ ମୁଖ୍ୟମନ୍ତ୍ରୀ କହିଛନ୍ତି –ଆମ ସରକାର ସାର୍ବଜନୀନ ସୁରକ୍ଷା , ନ୍ୟାୟ ପ୍ରଦାନ ବ୍ୟବସ୍ଥା ଓ ସୁଶାସନକୁ ଶକ୍ତିଶାଳୀ କରିବା ପାଇଁ ପ୍ରଯୁକ୍ତି ବିଦ୍ୟା-ଆଧାରିତ ଏବଂ ନାଗରିକ –କେନ୍ଦ୍ରିତ ସୁଧାରକୁ ପ୍ରାଥମିକତା ଦେଇ ଆସୁଛନ୍ତି। ଜରୁରୀକାଳୀନ ପ୍ରତିକ୍ରିୟାକୁ ଆହୁରି ସୁଦୃଢ କରିବା ଏବଂ ପୁଲିସ , ଅଗ୍ନିଶମ ଏବଂ ଚିକିତ୍ସା ସେବାର ଦ୍ରୁତ ଉପଲବ୍ଧତା ସୁନିଶ୍ଚିତ କରିବା ଲାଗି ଜରୁରୀକାଳୀନନ ପ୍ରତିକ୍ରିୟା ସହାୟତା ବ୍ୟବସ୍ଥା (ଇଆରଏସଏସ-ଡାଏଲ ୧୧୨ ପାଇଁ ୬୧ କୋଟି ଟଙ୍କାର ପ୍ରସ୍ତାବ ଦେଇଛନ୍ତି।

ଆହୁରି ମଧ୍ୟ ଶ୍ରୀଜଗନ୍ନାଥ ସଂଗ୍ରହାଳୟ ଓ ଲାଇବ୍ରେରୀ କେନ୍ଦ୍ର ପାଇଁ ୧ ହଜାର କୋଟି , ଶ୍ରୀଜଗନ୍ନାଥ ମନ୍ଦିର ପାଇଁ 'ସମର୍ପଣ' ନାଁରେ ଅନଲାଇନ୍ ଡିଜିଟାଲ ହୁଣ୍ଡି , ରତ୍ନଭଣ୍ଡାର ଗଣତିମଣତି ପାଇଁ ୫ କୋଟି ଟଙ୍କା ପ୍ରସ୍ତାବ ହୋଇଛି। ବଜେଟରେ VB-G RAM G ପାଇଁ ୫୫୭୫ କୋଟି ଟଙ୍କା , ସମୃଦ୍ଧ ଅଙ୍ଗନବାଡ଼ି ଯୋଜନା ପାଇଁ ୬୩୫ କୋଟି -୧୦୦ ସ୍ମାର୍ଟ ଫାର୍ମ ମାର୍କେଟ (ମଡେଲ୍ ମଣ୍ଡି) ପାଇଁ ୧୦୦ କୋଟି ,ବିଶ୍ବର ବୃହତ ଶସ୍ୟ ଷ୍ଟୋରେଜ୍ ଯୋଜନା ପାଇଁ ୨୪୦ କୋଟି , ରେୟାର ଆର୍ଥ କରିଡର୍ ପାଇଁ ୧୦ କୋଟି ଟଙ୍କା ,ରାଜ୍ୟ AI ମିଶନ ପାଇଁ ୨୩ କୋଟି ଓ ଟୁରିଜିମ୍ ଲ୍ୟାଣ୍ଡ ବ୍ୟାଙ୍କ ସ୍କିମ୍ ବାବଦକୁ ୧୫୦ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି।

ଏହାସହ ମଧ୍ୟ ପଢନ୍ତୁ : ପୁରୀ ଐତିହ୍ୟର ପୁନରୁଦ୍ଧାର ପାଇଁ ୧୦୦୦ କୋଟି, “ସମର୍ପଣ” ନାମରେ ଶ୍ରୀମନ୍ଦିରରେ ଆରମ୍ଭ ହେବ ଅନଲାଇନ ଦାନ ପ୍ଲାଟ ଫର୍ମ “ଡିଜିଟାଲ ହୁଣ୍ଡି”...