- ମା’ ମଝିଘରିଆଣୀ ମନ୍ଦିରର ଉନ୍ନତିକରଣ ପାଇଁ ୩୭ କୋଟି ଟଙ୍କା
- ରାୟଗଡା ଜିଲ୍ଲାରେ ୯,୩୩୫ ଏସ୍ଏଚଜି ପାଇଁ ୧୪ କୋଟି ଟଙ୍କାର ରିଭଲ୍ଭିଙ୍ଗ ଫଣ୍ଡ
- ୧୬୪ଟି GPLFକୁ ୫୩.୧୪ କୋଟି ଟଙ୍କାର ପାଣ୍ଠି
- ୪୧୯୫ଟି ଏସ୍ଏଚଜିକୁ ୩୭.୫୫ କୋଟି ଟଙ୍କାର ୠଣ ପ୍ରଦାନ
ଭୁବନେଶ୍ବର,୨।୧ : ରାୟଗଡା ଜିଲ୍ଲା ଆଜି ସାରା ରାଜ୍ୟ ପାଇଁ ମହିଳା ସଶକ୍ତିକରଣ କ୍ଷେତ୍ରରେ ଉଦାହରଣ ପାଲଟିଛି। ଏହି ଜିଲ୍ଲାରେ ୧୨,୭୮୩ଟି ଏସ୍ଏଚଜି ଜରିଆରେ ୧.୫୨ ଲକ୍ଷରୁ ଅଧିକ ମା’ ଓ ଭଉଣୀମାନେ ସଂଗଠିତ ହୋଇ ନିଜପାଇଁ ସୁନ୍ଦର ଭବିଷ୍ୟତ ଗଢୁଛନ୍ତି। ପୂର୍ବରୁ ଯେଉଁଠି ସୁଯୋଗର ଅଭାବ ଥିଲା, ମହିଳା ମାନଙ୍କ ସକ୍ରିୟ ଯୋଗଦାନ ଫଳରେ ଆଜି ସେଠି ସମ୍ଭାବନାର ନୂଆ ଦ୍ବାର ଖୋଲିଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାୟଗଡା ଠାରେ ସୁଭଦ୍ରା ଶକ୍ତି ମେଳା ଉଦଘାଟନ ଅବସରରେ କହିଛନ୍ତି।
ଏହି ଅବସରରେ ୬୦୦ କୋଟିରୁ ଉର୍ଦ୍ଧ୍ବଟଙ୍କା ମୂଲ୍ୟର ୧୦୯ଟି ଉନ୍ନୟନ ମୂଳକ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିଛନ୍ତି। ଏଥିରେ ୨୩୮ କୋଟି ଟଙ୍କାର ୨୨ଟି ପ୍ରକଳ୍ପର ଉଦଘାଟନ ଏବଂ ୩୬୬ କୋଟିରୁ ଉର୍ଦ୍ଧ୍ବଟଙ୍କାର ୮୭ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର କରାଯାଇଛି। ଏସବୁ ପ୍ରକଳ୍ପ ମଧ୍ୟରେ ସଡକ, ସେତୁ, ସ୍ବାସ୍ଥ୍ୟସେବା, ବିଦ୍ୟାଳୟ, ମହିଳା ସଶକ୍ତିକରଣ ଭଳି ଅନେକ ଭିତ୍ତିଭୂମି ଉନ୍ନୟନ ମୂଳକ ପ୍ରକଳ୍ପ ରହିଛି। ଏଥିସହିତ ୩୭ କୋଟି ଟଙ୍କା ବିନିଯୋଗରେ ମା’ ମଝିଘରିଆଣୀ ମନ୍ଦିରର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟପାଇଁ ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିଛନ୍ତି। ଜିଲ୍ଲାର ସମସ୍ତ ବ୍ଲକରେ ଖୁବ୍ ଶୀଘ୍ର ଇନ୍ଡୋର୍ ଷ୍ଟାଡିୟମ୍ କାମ ଆରମ୍ଭ ହେବ। ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ବ୍ୟବସ୍ଥାର ସୁଦୃଢୀକରଣ ହେବ ଏବଂ ରାୟଗଡାରେ ମେଡିକାଲ କଲେଜ୍ ସ୍ଥାପନ ପାଇଁ ପ୍ରସ୍ତାବ ସରକାରଙ୍କ ବିଚାରାଧୀନ ଅଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ରାୟଗଡା ଜିଲ୍ଲାରେ ୨୦୨୫-୨୬ ଆର୍ଥିକ ବର୍ଷରେ ୪୨୧୭ଟି ଏସ୍ଏଚ୍ଜିକୁ ପାଖାପାଖି ୨୦୦ କୋଟି ଟଙ୍କାର ୠଣ ପ୍ରଦାନ କରାଯାଇଛି। ଜିଲ୍ଲାରେ ୯,୩୩୫ ଏସ୍ଏଚଜି ପାଇଁ ୧୪ କୋଟି ଟଙ୍କାର ରିଭଲ୍ଭିଙ୍ଗ ଫଣ୍ଡ ଯୋଗାଇ ଦିଆଯାଇଛି। ୧୬୪ଟି ଜିପିଏଲ୍ଏଫ୍କୁ ୫୩.୧୪ କୋଟି ଟଙ୍କାର କମ୍ୟୁନିଟି ଇନ୍ଭେଷ୍ଟମେଣ୍ଟ ଫଣ୍ଡ (ସିଆଇଏଫ) ପ୍ରଦାନ ଏବଂ ୪୧୯୫ଟି ଏସ୍ଏଚଜିକୁ ଜୀବନ ଜୀବିକା କାର୍ଯ୍ୟକ୍ରମକୁ ଆଗକୁ ନେବା ପାଇଁ ୩୭.୫୫ କୋଟି ଟଙ୍କାର ୠଣ ପ୍ରଦାନ କରାଯାଇଛି।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ରାୟଗଡା ଜିଲ୍ଲା ଆଦିବାସୀ ସଂସ୍କୃତି ଓ ସମୃଦ୍ଧ ଐତିହ୍ୟର ଏକ ଅନନ୍ୟ ପ୍ରାଣକେନ୍ଦ୍ର। ଏହି ଜିଲ୍ଲା ତାର ଅନନ୍ୟ ପରମ୍ପରା, ଐତିହ୍ୟ, ପ୍ରାକୃତିକ ସମ୍ପଦ ଓ ସୌନ୍ଦର୍ଯ୍ୟ ପାଇଁ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି। ଆମ ରାଜ୍ୟର ଏକ ଚତୁର୍ଥାଂଶ ହେଉଛନ୍ତି ଜନଜାତି। ଜନଜାତି ଭାଇ, ଭଉଣୀଙ୍କୁ ବିକାଶର ମୁଖ୍ୟଧାରାରେ ସାମିଲ କରିବା ପାଇଁ ଚଳିତ ବର୍ଷ ବଜେଟ୍ରେ ୬୮,୮୮୧ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ସେମାନଙ୍କ ଶିକ୍ଷା, ସ୍ବାସ୍ଥ୍ୟ, ଜୀବନ ଜୀବିକା, ସୁରକ୍ଷା ଓ ଜଙ୍ଗଲ ଅଧିକାର ପାଇଁ ଏହି ଟଙ୍କା ଖର୍ଚ୍ଚ କରାଯାଉଛି।
ଶିଳ୍ପାନୁଷ୍ଠାନ ରାୟଗଡା ଜିଲ୍ଲାରେ ପ୍ରତିଷ୍ଠା ପାଇବାକୁ ଯାଉଛି। ଏସବୁ ଶିଳ୍ପାନୁଷ୍ଠାନ ମାଧ୍ୟମରେ ରାୟଗଡା ଜିଲ୍ଲାରେ ପର୍ଯ୍ୟାପ୍ତ ନିଯୁକ୍ତି ସୁଯୋଗ ସୃଷ୍ଟିହେବ। ଏହି ସମସ୍ତ ଶିଳ୍ପାନୁଷ୍ଠାନରେ ସ୍ଥାନୀୟ ଯୁବଗୋଷ୍ଠୀଙ୍କ ପାଇଁ ୮୦ ପ୍ରତିଶତ ନିଯୁକ୍ତି ସଂରକ୍ଷଣ ରଖିବା ପାଇଁ ମୁଖ୍ୟମନ୍ତ୍ରୀ କଡା ନିର୍ଦ୍ଦେଶ ଦେଇଥିଲେ।
ରାୟଗଡା ବିଧାୟକ କାଡ୍ରାକା ଆପାଲା ସ୍ବାମୀ, ବିଷମ-କଟକ ବିଧାୟକ ନୀଳମାଧବ ହିକ୍କା, ଗୁଣୁପୁର ବିଧାୟକ ସତ୍ୟଜିତ୍ ଗମାଙ୍ଗ ଉପସ୍ଥିତ ଥିଲେ। ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ ଏବଂ ମୁଖ୍ୟ ଉନ୍ନୟନ ଅଧିକାରୀ ଅକ୍ଷୟ କୁମାର ଖେମୁଣ୍ଡୁ ଧନ୍ୟବାଦ୍ ଦେଇଥିଲେ।
ଆହୁରି ପଢନ୍ତୁ : ମହିଳା ସଶକ୍ତୀକରଣରେ ନୂଆ ଅଧ୍ୟାୟ : ଏସ୍ଏଚ୍ଜି ମା’ମାନଙ୍କୁ ୧୯୭. ୬୬ କୋଟି ଟଙ୍କା ସୁଧ ଫେରସ୍ତ