ଭୁବନେଶ୍ଵର, ୦୬/୦୧ : ଶିଶୁ ମନ୍ଦିର ଗୁରୁଜୀରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ। ଜଣେ ଆଦିବାସୀ ନେତାରୁ ଚାରି ଚାରି ଥର ବିଧାୟକ। ସହଜ ନଥିଲା ଏ ଯାତ୍ରା। ୨୦୨୪ ଜୁନ୍ ୧୨ ତାରିଖରେ ଓଡ଼ିଶାର ୧୫ ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ମୋହନ ଚରଣ ମାଝୀ । ରାଜ୍ୟରେ ବିଜେପିର ପ୍ରଥମ ମୁଖ୍ୟମନ୍ତ୍ରୀ ହେବାର ରେକର୍ଡ କରିଥିଲେ ମୋହନ। ଆଜି ତାଙ୍କର ୫୪ ତମ ଜନ୍ମଦିନ । ଏହି ଅବସରରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋସିଆଲ ମିଡିଆ ସାଇଟ୍ ଏକ୍ସରେ ପୋଷ୍ଟ କରି ମୋହନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ପ୍ରଧାନମନ୍ତ୍ରୀ ଲେଖିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଜନ୍ମଦିନର ଶୁଭେଚ୍ଛା। ଓଡ଼ିଶାର ବିକାଶ ପାଇଁ ନିରନ୍ତର ଭାବେ ସେ କାମ କରୁଛନ୍ତି। ତାଙ୍କର ଏହି ନିଷ୍ଠା ଓ କର୍ତ୍ତବ୍ୟ ଦିନେ ରାଜ୍ୟକୁ ଆଗକୁ ନେବ। ଯୁବପୀଢିଙ୍କୁ ସଶକ୍ତ କରିବାରେ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି। ତାଙ୍କର ସୁସ୍ଥ ଓ ଦୀର୍ଘ ଜୀବନ କାମନା କରୁଛି।
Birthday wishes to Odisha’s hardworking Chief Minister Shri Mohan Charan Majhi Ji. He has made outstanding efforts to enhance Odisha’s growth trajectory and empower the youth of the state. Praying for his long and healthy life in service of the people.@MohanMOdisha
— Narendra Modi (@narendramodi) January 6, 2026
୧୯୭୨ ମସିହାରେ ଜାନୁଆରୀ ୬ ତାରିଖରେ କେନ୍ଦୁଝର ଜିଲ୍ଲାର ରାଇକିଆ ଗାଁରେ ମୋହନ ଚରଣ ମାଝୀ ଜନ୍ମଗ୍ରହଣ କରିଥିଲେ । ୧୯୮୭ ମସିହାରେ ସ୍କୁଲ ପାଠ ପଢା ସାରି ଆନନ୍ଦନପୁର କଲେଜରେ ନାଁ ଲେଖାଇଥିଲେ। ୧୯୯୦ ମସିହାରେ ଆନନ୍ଦନପୁର କଲେଜରୁ ପାଠ ପଠା ମଧ୍ୟ ସାରିଥିଲେ । ଏହାପରେ ଝୁମ୍ପୁରା ସ୍ଥିତ ସରସ୍ୱତୀ ଶିଶୁ ମନ୍ଦିରରେ ଶିକ୍ଷକ ଭାବେ କାର୍ଯ୍ୟଭାର ସମ୍ଭାଳିଥିଲେ । ହେଲେ ତାଙ୍କର ରାଜନୀତି ପ୍ରତି ଥିବା ଦୁର୍ବଳତା ଥିଲା।
୧୯୯୭ରେ ସେ ପ୍ରଥମେ ରାଇକଳାରୁ ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ । ଏହାପରେ ଭାରତୀୟ ଜନତା ପାର୍ଟି ସାଧାରଣ ସଂପାଦକ ଭାବେ କାମ କରିଥିଲେ । ୨୦୦୦ ମସିହାରେ ସେ ପ୍ରଥମ ଥର ପାଇଁ କେନ୍ଦୁଝର ସଦର ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଏହାପରେ ସେ ଆଉ ପଛକୁ ଫେରି ଚାହିଁ ନାହାନ୍ତି। ୨୦୦୪ରେ ପୁଣିଥରେ ମୋହନ ବିଜେପି ଟିକେଟରେ ଜିତିଥିଲେ। ୨୦୦୯ ଏବଂ ୨୦୧୪ରେ ମୋହନ ବିଜେଡି ପ୍ରାର୍ଥୀଙ୍କଠାରୁ ପରାଜିତ ହୋଇଥିଲେ। ୨୦୧୯ରେ ପୁଣି କେନ୍ଦୁଝର ରାଜନୀତି କଡ଼ ଲେଉଟାଇଥିଲା। ମୋହନ ମାଝୀଙ୍କ ଉପରେ କେନ୍ଦୁଝରବାସୀ ଭରସା କରିଥିଲେ। ମୋହନ ବିଧାୟକ ଭାବେ ଜିତି ବିରୋଧୀ ଦଳ ମୁଖ୍ୟ ସଚେତକ ହୋଇଥିଲେ। ୨୦୨୪ ନିର୍ବାଚନରେ ବିଜେଡିର ଅଭେଦ୍ୟ ଦୁର୍ଗକୁ ଭାଙ୍ଗି ଓଡ଼ିଶାରେ ବିଜେପି ସରକାର ଗଠନ କରିଥିଲା। ହେଲେ କିଏ ମୁଖ୍ୟମନ୍ତ୍ରୀ ହେବ, ସେନେଇ ଅନେକ କଳ୍ପନାଜଳ୍ପନା ଚାଲିଥିଲା । ରେସ୍ରେ ବହୁ ବରିଷ୍ଠ ନେତାଙ୍କ ନାଁ ସାମିଲ ଥିଲା । ହେଲେ କେନ୍ଦ୍ରୀୟ ଏବଂ ରାଜ୍ୟ ନେତୃତ୍ୱ ମୋହନ ମାଝୀଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଚୟନ କରିଥିଲେ । ଆଉ ମୋହନ ଚରଣ ମାଝୀ ଜୁନ୍ ୧୨ ତାରିଖରେ ଓଡ଼ିଶାର ୧୫ ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ।
ଏହି ଖବରଟିକୁ ପଢନ୍ତୁ- ସାଙ୍ଗମାନଙ୍କ ଭୋଜି କରିବାକୁ ଯାଇ ନିଖୋଜ ଥିଲେ ନାବାଳକ, ପୋଖରୀରୁ ମିଳିଲା ମୃତଦେହ, ହତ୍ୟା ସନ୍ଦେହ...