ଭୁବନେଶ୍ବର, ୦୬/୧୦: କାର୍ଯ୍ୟରତ ସାମ୍ବାଦିକାଙ୍କ ଅକାଳ ବିୟୋଗକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଶୋକ । ଏକ୍ସରେ ପୋଷ୍ଟ କରି ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । ସେହିପରି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ମଧ୍ୟ ଶିଲା ପଟ୍ଟନାୟକଙ୍କ ବିୟୋଗରେ ଗଭୀର ଶୋକବ୍ୟକ୍ତ କରିଛନ୍ତି ।

ମଙ୍ଗଳବାର ଭୁବନେଶ୍ବରରୁ ପୁରୀ ଯାଉଥିଲାବେଳେ ମଙ୍ଗଳପୁର ଛକ ନିକଟରେ ତାଙ୍କର ଦୁର୍ଘଟଣା ହୋଇଥିଲା । ଏକ ଘରୋଇ ବସ୍ ପଛପଟୁ ଧକ୍କା ଦେବା ଫଳରେ ନ୍ୟୁଜ୍-7ର କାର୍ଯ୍ୟରତ ସାମ୍ବାଦିକା ଶିଲା ପଟ୍ଟନାୟକ ଏବଂ ତାଙ୍କ ସହିତ ଯାଉଥିବା ସହଯାତ୍ରୀଙ୍କ ମୃତ୍ୟୁ ହୋଇଛି । ସାମ୍ବାଦିକାଙ୍କ ମୃତ୍ୟୁକୁ ନେଇ ଗଭୀର ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସେ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି,  ‘ଶିଲା ପଟ୍ଟନାୟକଙ୍କ ମୃତ୍ୟୁ ଖବର ପାଇ ମୁଁ ଅତ୍ୟନ୍ତ ଦୁଃଖିତ’ । ‘ଜଣେ ଦାୟିତ୍ବବାନ ସାମ୍ବାଦିକା ଭାବେ ଗଣମାଧ୍ୟମ ଜଗତରେ ତାଙ୍କର ସୁନାମ ରହିଥିଲା’ । ଶିଲାଙ୍କ ଅକାଳ ବିୟୋଗ ସାମ୍ବାଦିକ ଜଗତରେ ଏକ ଅପୂରଣୀୟ କ୍ଷତି’ । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହିତ ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।

ସେହିପରି ସାମ୍ବାଦିକା ଶିଲା ପଟ୍ଟନାୟକଙ୍କ ବିୟୋଗରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ମଧ୍ୟ ଗଭୀର ଶୋକବ୍ୟକ୍ତ କରିଛନ୍ତି । ସାମ୍ବାଦିକତାକୁ ପେଷା ଭାବେ ଆପଣାଇଥିବା ସ୍ୱର୍ଗତଃ ପଟ୍ଟନାୟକ, ଓଡ଼ିଆ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ଓଡ଼ିଆ ସାମ୍ବାଦିକତାରେ ସ୍ୱର୍ଗତଃ ପଟ୍ଟନାୟକଙ୍କ ଅବଦାନ ସର୍ବଦା ଚିରସ୍ମରଣୀୟ ହୋଇରହିବ । ତାଙ୍କ ବିୟୋଗ ସାମ୍ବାଦିକ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ମନମୋହନ କହିଛନ୍ତି ।