ଉମରକୋଟ, ୩୧/୦୫: ଦୁଗ୍‌ଧ ଚାଷୀଙ୍କ  ଅଣ୍ଟା ଭାଙ୍ଗୁଛି ଓମଫେଡ୍‌ । ସମବାୟ ସଂସ୍ଥାରୁ କ୍ଷୀର ରଖିବାକୁ ଓମଫେଡ୍‌ କୁଣ୍ଠିତ ହେଉଥିବାରୁ ମୁଖ୍ୟମନ୍ତ୍ରୀ  କାମଧେନୁ ଯୋଜନାରେ ଗାଈ କିଣିଥିବା ଚାଷୀମାନେ  ଏବେ ହତାଶରେ ଅଛନ୍ତି । ଶୁକ୍ରବାର ଜୟପୁର ଆଞ୍ଚଳିକ ଓମଫେଡ୍‌ ସଂସ୍ଥା ଦୁଗ୍‌ଧର ମାନ ଠିକ ନଥିବା ଦର୍ଶାଇ  ଫେରାଇ ଦେବା ପରେ ଉମରକୋଟ ଚାଷୀମାନେ ଏହାର ପ୍ରତିବାଦରେ ରାସ୍ତାରେ ୩୭ ହଜାର ଲିଟର  କ୍ଷୀର ଢ଼ାଳି ପ୍ରତିବାଦ କରିଥିଲେ । ଉମରକୋଟରେ  ଥିବା ଜିଲ୍ଲାର ବୃହତ୍‌ ଦୁଗ୍‌ଧ ଶୀତଳୀକରଣ କେନ୍ଦ୍ର  ୟୁନିଟ ମ୍ୟାନେଜେର ଓ ଅବିଭକ୍ତ କୋରାପୁଟ ଜିଲ୍ଲାର  ଅଧିକାରୀଙ୍କୁ ଚାଷୀ ନିନ୍ଦା କରିଥିଲେ । ଅନ୍ୟପକ୍ଷେ  ଜୟପୁର ଦୁଗ୍‌ଧ ସମବାୟ ସମିତି ଅଧିକାରୀ କୃଷ୍ଣଚନ୍ଦ୍ର  ସାହୁ ଚାଷୀଙ୍କ ସମର୍ଥନରେ ଛିଡା ହୋଇ ଏଭଳି ଘଟଣା  ପାଇଁ ସିଧାସଳଖ ଓମଫେଡକୁ ଦାୟୀ କରିଥିଲେ ।        

ପ୍ରକାଶଥାଉକି ଅବିଭକ୍ତ କୋରାପୁଟ ଜିଲ୍ଲାର  ସିଂହଭାଗ କ୍ଷୀର ଉମରକୋଟ ଓ ରାଇଘର ଅଞ୍ଚଳର  ଚାଷୀଙ୍କ ଠାରୁ ସମବାୟ ସମିତି ଜରିଆରେ ସଂଗ୍ରହ  ହେଉଛି । ଉମରକୋଟ ଶୀତଳୀକରଣ କେନ୍ଦ୍ରର ସଂଗ୍ରହ  କ୍ଷମତା ୧୨ ହଜାର ଲିଟର ରହିଥିବା ବେଳେ ଏଠାରେ  ଅତିବେଶୀରେ ୩ଦିନ ପର୍ଯ୍ୟନ୍ତ କ୍ଷୀର ରଖାଯାଇପାରୁଛି ।  ଏଠାରେ ଶୀତଳୀକରଣ କେନ୍ଦ୍ରର ସୁବିଧା ଥିବାରୁ  ଅଞ୍ଚଳର ବିଭିନ୍ନ ସୋସାଇଟି ମାଧ୍ୟମରେ ଚାଷୀଙ୍କ ଠାରୁ  ସ୍ଥାନୀୟ ମେନ୍ଦାବେଡା ପ୍ଲାଣ୍ଟକୁ ସିଧାସଳଖ କ୍ଷୀର ଆସୁଛି ।  କ୍ଷୀର ପହଞ୍ଚିବା ପରେ ଯାଞ୍ଚ କରାଯାଇ ଶୀତଳୀକରଣ  କରାଯାଉଛି । ପରେ ଦୁଗ୍‌ଧ ସମବାୟ ସମିତି ତାର  ନିଜସ୍ୱ ସ୍ୱତନ୍ତ୍ର ଗାଡିରେ ଏହାକୁ ଜୟପୁର ଓମଫେଡ  ପ୍ରୋସେସିଂ ୟୁନିଟକୁ ପଠାଉଛି । ସେଠି ପହଞ୍ଚିବା ପରେ  ପୁଣିଥରେ ଯାଞ୍ଚ କରାଯାଇ କ୍ଷୀରରୁ ଦହି, ଛେନା, ରାବିଡି,  ଲସି, ଖୁଆ, ଘିଅ, ପ୍ୟାକେଟ କ୍ଷୀର ଆଦି ପ୍ରସ୍ତୁତ କରି  ଓମଫେଡ ନିଜର ବଜାର ମାଧ୍ୟମରେ ବିକ୍ରି କରୁଛି ।    

ଗତ କିଛିଦିନ ହେଲା ଉମରକୋଟ ଶୀତଳୀକରଣ  କେନ୍ଦ୍ରରୁ କ୍ଷୀର ଜୟପୁର ଯିବା ପରେ ପ୍ଲାଣ୍ଟରେ ଖାଲି  ନକରି ଫେରସ୍ତ ଦିଆଯାଇଥିଲା । ଏହାର କାରଣ  ବାବଦରେ ସମବାୟ ସମିତି ପଚାରିବାରୁ ଓମଫେଡ  କେନ୍ଦ୍ରରେ ଅଧିକ ମାତ୍ରାରେ ଦୁଗ୍‌ଧ ଗଚ୍ଛିିତ ରହିଛି ଓ  ଆସୁଥିବା କ୍ଷୀରର ମାନ ଠିକ ନଥିବା ଦର୍ଶାଯାଇଥିଲା ।  ଯେଉଁଥିପାଇଁ ଅକଳରେ ପଡ଼ିଥିଲେ ସମବାୟ ସମିତି  କର୍ମଚାରୀ । ଉପାୟ ନପାଇ ସମିତି କ୍ଷୀର କିଣିବାକୁ  ମନା କରିବାରୁ ଚାଷୀମାନେ ଏବେ ଚିନ୍ତାରେ ପଡିଛନ୍ତି । ସମବାୟ ସମିତି ରିପୋର୍ଟ ଅନୁସାରେ କେବଳ  ଉମରକୋଟ ବ୍ଲକରେ ୫୦୦ରୁ ଅଧିକ ଗୋ’ଚାଷୀ  ଅଛନ୍ତି । ସେମାନଙ୍କ ମଧ୍ୟରୁ ଅନେକ ମୁଖ୍ୟମନ୍ତ୍ରୀ  କାମଧେନୁ ଯୋଜନାରେ ସାମିଲ ହୋଇ ଋଣକରି  ଗାଈ କିଣିଛନ୍ତ । ସେଭଳି ଚାଷୀଙ୍କ ପାଖରୁ ସମିତି  ପ୍ରତିଦିନ ୬ହଜାର ଲିଟର କ୍ଷୀର ସଂଗ୍ରହ କରୁଛି ।    ଚାଷୀ ଅମିତକୁମାର ଦାସ କହିଛନ୍ତି, କିଛି  ମାସ ପୂର୍ବରୁ ୧୪ ଲକ୍ଷ ଖର୍ଚ୍ଚ କରି କାମଧେନୁ  ଯୋଜନାରେ ସେ ୮ଟି ଗାଈ ଆଣିଛନ୍ତି । ଦୈନିକ  ୨୨୦ ଲିଟର କ୍ଷୀର ସଂସ୍ଥାକୁ ଦେଉଛନ୍ତି । ୨ଦିନର  ଅଚଳାବସ୍ଥାରେ ଗାଈମାନକୁ ଦାନା, ୪ଜଣ ଲୋକଙ୍କ  ଦୈନିକ ମଜୁରି ଓ ବ୍ୟାଙ୍କର ମାସିକ କିସ୍ତି ଶୁଝିବାରେ  କଷ୍ଟକର ହୋଇପଡିଥିବା କହିଛନ୍ତି ।

ଅଧିକ ପଢ଼ନ୍ତୁ :-  Palm Tree Plantation Project: କେତେ ବର୍ଷାଋତୁ ଗଲାଣି ହେଲେ ଲାଗିଲାନି ତାଳ ଗଛ, ଏକାମ୍ରରେ ଐତିହ୍ୟକୁ ଚଡ଼କ ଭୟ, ନିଘୋଡ଼ ନିଦ୍ରାରେ ଏଏସ୍‌ଆଇ

ଏଭଳି  ପରିସ୍ଥିତି ସମ୍ପର୍କରେ ୪ଟି ଜିଲ୍ଲାର ଦୁଗ୍‌ଧ ସମବାୟ  ସମିତି ଅଧିକାରୀ କୃଷ୍ଣଚନ୍ଦ୍ର ସାହୁଙ୍କୁ ପଚାରିବାରେ  କହିଛନ୍ତି, ଓମଫେଡ ନିଜର ବଜାର ବୃଦ୍ଧି ଓ ଷ୍ଟୋରିଂ  କାପାସିଟି ବୃଦ୍ଧି ନକରି ଚାଷୀଙ୍କ କ୍ଷୀରକୁ ବିଭିନ୍ନ  ଆଳ ଦେଖାଇ ଫେରାଉଛି । ଯେଉଁଥିପାଇଁ ସମବାୟ  ବିଭାଗ ଚାଷୀଙ୍କ ଆକ୍ରୋଶର ଶିକାର ହେଉଛନ୍ତି ।  ଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସମବାୟ ସମିତି  କାମ କରୁଛି । ଓମଫେଡ ପକ୍ଷରୁ ସମବାୟ ସମିତିକୁ  କ୍ଷିର ଲିଟର ପିଛା ମାତ୍ର ୩ଟଙ୍କା ୪୦ ପଇସା ପ୍ରଦାନ  କରଯାଉଛି । ଏହି ପଇସାରେ ପ୍ଲାଣ୍ଟର ବିଜୁଳି ଖର୍ଚ୍ଚ,  ଶୀତଳୀକରଣ, ପରିବହନ, ଚାଷୀଙ୍କ ଘର ପର୍ଯ୍ୟନ୍ତ  ଗୋ’ଖାଦ୍ୟ ପହଞ୍ଚାଇବା, କର୍ମଚାରୀଙ୍କ ଦରମା ଖର୍ଚ୍ଚ  ଆଦି ରହିଛି ବୋଲି କହିଛନ୍ତି ।  

ଅନ୍ୟପକ୍ଷେ ଏସମ୍ପର୍କରେ ଜୟପୁର ଓମଫେଡ  ପ୍ଲାଣ୍ଟ ମ୍ୟାନେଜେର ଅଜିତକୁମାର ଖେସଙ୍କୁ  ଯୋଗାଯୋଗ କରାଯାଇଥିଲେ ମଧ୍ୟ ଦ୍ୱିତୀୟ ଥର  ପାଇଁ ସେ କଲ୍‌ ଉଠାଇ ନଥିବାରୁ ତାଙ୍କ ପ୍ରତିକ୍ରିୟା  ମିଳିପାରିନାହିଁ । ଜିଲ୍ଲା ପ୍ରଶାସନ ଓ ବିଭାଗୀୟ  ଉତ୍ତକର୍ତ୍ତୃ ପକ୍ଷ ତୁରନ୍ତ ଏଥିପ୍ରତି ଦୃଷ୍ଟିଦେଇ ପଦକ୍ଷେପ  ନେବାକୁ ଚାଷୀ ମହଲ ଦାବି କରିଛି ।