ନୂଆଦିଲ୍ଲୀ ୨୫/୦୭: ଲାଲ୍ ଜର୍ସିରେ ଫୁଟବଲ ଖେଳାଳି ଖୁସିରେ ଡେଉଁଥିଲେ । ଟିମ୍‌ର ସାଥୀ ଖେଳାଳିଙ୍କ ଉପରେ ସାମ୍ପେନ୍ ସ୍ପ୍ରେ କରୁଥିଲେ । ସେମାନଙ୍କ ଉପରେ ରଙ୍ଗ ବେରଙ୍ଗର କାଗଜ ଟୁକୁଡ଼ା ବର୍ଷା ହେଉଥିଲା । ଉପସ୍ଥିତ ଦର୍ଶକ ଏହି ମୁହୂର୍ତ୍ତକୁ ଫୋନ୍‌ରେ ରେକର୍ଡ କରୁଥିଲେ । ଏହା ଗତ ରବିବାର ନ୍ୟୁଜର୍ସିରେ ସ୍ପେନ୍‌ର ବିଶ୍ୱକପ୍ ବିଜୟ ଖୁସି ନ ଥିଲା । ଏହାର ଦିନକ ପୂର୍ବରୁ ୬ ହଜାର ମାଇଲ ଦୂର ଉତ୍ତର ଚୀନ୍‌ର ହେବେଇ ପ୍ରଦେଶର ପାହାଡ଼ିଆ ଗାଁ ଫୁପିଂ କାଉଣ୍ଟିରେ ଆୟୋଜିତ ଫୁଟବଲ୍ ଟୁର୍ନାମେଣ୍ଟର ଚୂଡ଼ାନ୍ତ ପ୍ରତିଯୋଗିତାରେ ବିଜୟୀ ଟିମ୍ ଖୁସିରେ ନାଚୁଥିଲେ । ଷ୍ଟାଡିୟମ୍‌ରେ କମ୍ୟୁନିଷ୍ଟ ପାର୍ଟିର ସ୍ଲୋଗାନ୍ ଗୁଞ୍ଜରିତ ହେଉଥିଲା ।

ଚୀନ୍‌ରେ ଆୟୋଜିତ ଅନେକ କ୍ରୀଡ଼ା ମଧ୍ୟରେ ଫୁଟବଲ୍ ଅନ୍ୟତମ । ଜାତୀୟ ‘ଭିଲେଜ ସୁପର ଲିଗ୍’ ଫାଇନାଲରେ ସ୍ଥାନ ହାସଲ କରିବା ପାଇଁ ପ୍ରତ୍ୟେକ ଟିମ୍ ଲଢ଼େଇ କରନ୍ତି । ଏହି ଟୁର୍ନାମେଣ୍ଟ ଚୀନ୍‌ରେ ଏକ ବଡ଼ ଘଟଣା ପାଲଟିଛି । ଦେଶର ଲକ୍ଷ ଲକ୍ଷ ଦର୍ଶକଙ୍କୁ ଏହା ଆକୃଷ୍ଟ କରିଛି । ଫୁଟବଲ୍ ବିଶ୍ୱକପ୍‌ର ଏକ ରଙ୍ଗୀନ୍ ବିକଳ୍ପ ସୃଷ୍ଟି କରିଛି, ଯେଉଁଥିରେ ଦୀର୍ଘ ଦୁଇ ଦଶନ୍ଧିରୁ ଉର୍ଦ୍ଧ ସମୟ ଧରି ଚୀନ୍‌ର ପୁରୁଷ ଜାତୀୟ ଟିମ୍ ପ୍ରତିଯୋଗିତା କରିନାହିଁ ।

ଚୀନ୍‌ର ଅନ୍ୟତମ ସବୁଠୁ ଗରିବ ପ୍ରଦେଶର ଏହି ଗାଁରେ ଆୟୋଜିତ ଗୋଟିଏ ଲିଗ୍ ଧୀରେ ଧୀରେ ବଢ଼ି ସମଗ୍ର ଦେଶର ଗ୍ରାମାଞ୍ଚଳ ଓ ଛୋଟ ଛୋଟ ସହରରେ ୬୦ ଲିଗ୍ ଓ ଶତାଧିକ ଟିମ୍‌ରେ ବିସ୍ତାର ହୋଇଛି । ଏହି ବିଚାର ସରଳ । ଦୈନନ୍ଦିନ କାମରେ ନିଯୁକ୍ତ ସାଧାରଣ ଲୋକ ଫୁଟବଲ୍ ଟିମ୍ ଗଢ଼ନ୍ତି ଏବଂ ଜାତୀୟ ଚାମ୍ପିଅନସିପ୍‌ରେ ଖେଳିବାର ସୁଯୋଗ ପାଇଁ ସ୍ଥାନୀୟ ଲିଗ୍‌ରେ ପ୍ରତିଯୋଗିତା କରନ୍ତି । ଏହା ଧୀରେ ଧୀରେ ଉତ୍ସବରେ ରୂପାନ୍ତରିତ ହୋଇଛି ଏବଂ ଦର୍ଶକଙ୍କ ଧ୍ୟାନ ଆକର୍ଷଣ କରିଛି । ସ୍ଥାନୀୟ ସରକାରୀ କର୍ମଚାରୀ ପ୍ରତିଯୋଗିତାର ପ୍ରଚାର-ପ୍ରସାର ନିମନ୍ତେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି । ସ୍ଥାନୀୟ ଅର୍ଥବ୍ୟବସ୍ଥାରେ ଅଭିବୃଦ୍ଧି ପାଇଁ ସେମାନେ ପ୍ରୟାସ କରନ୍ତି ।

ଆହୁରି ପଢ଼ନ୍ତୁ...Katrina Kaif Spirit: ‘ସ୍ପିରିଟ୍’ରେ ଏଣ୍ଟ୍ରି କରିବେ କ୍ୟାଟ୍ରିନା, ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଆସିବେ ନଜର

ତେବେ ପେସାଦାର ଫୁଟବଲ୍ ପ୍ରତିଯୋଗିତାରେ ବର୍ଷ ବର୍ଷ ଧରି ପ୍ରଚଳିତ ଦୁର୍ନୀତି ଓ କୁପରିଚାଳନାରେ ବିରକ୍ତ ପ୍ରଶଂସକଙ୍କ ପାଇଁ ଭିଲେଜ ସୁପର ଲିଗ୍ ପ୍ରତିଷେଧକ ଭାବେ ଉଭା ହୋଇଛି । ସେମାନଙ୍କ ବିଶ୍ୱାସ ଯେ ଏହି ଦୁର୍ନୀତି ପାଇଁ ୧୪୦ କୋଟି ଜନସଂଖ୍ୟାବିଶିଷ୍ଟ ଦେଶ ବିଶ୍ୱସ୍ତରୀୟ ପୁରୁଷ ଫୁଟବଲ୍ ଟିମ୍ ପ୍ରସ୍ତୁତିରେ ବିଫଳ ହେଉଛି । ଭିଲେଜ ସୁପର ଲିଗ୍‌ର ଜଣେ ପ୍ରଶଂସକ ୨୧ ବର୍ଷୀୟ କଲେଜ ଛାତ୍ରୀ ଲିଉ ଜିୟାପିଙ୍ଗ କହିଛନ୍ତି, ବିଶ୍ୱକପ୍ ପାଇଁ ଆମ ଦେଶ ଯୋଗ୍ୟତା ହାସଲ ନ କରିପାରିବାରୁ ସ୍ଥାନୀୟ ଫୁଟବଲ୍ ପ୍ରତିଯୋଗିତା ଦେଖିବା ଅଧିକ ମଜାଦାର ହୋଇଛି । ଏହା ଜରିଆରେ ନିଜ ଦେଶରେ ଆମେ ଫୁଟବଲ୍ ମ୍ୟାଚ୍‌ର ଅନୁଭବ ହାସଲ କରିପାରୁଛୁ । ଘରେ ବସି ଫୋନ୍‌ରେ ସମୟ ବିତାଇବାଠୁ ଏହା ବରଂ ଭଲ ।

 

ଗତ ଶନିବାର ରାତିରେ ଫୁପିଂ କାଉଣ୍ଟି ଲିଗ୍ ଫାଇନାଲ ମ୍ୟାଚ୍ ଦେଖିବା ପାଇଁ ସ୍ଥାନୀୟ ଏକ କଲେଜ ଷ୍ଟାଡିୟମ୍‌ରେ ହଜାର ହଜାର ଦର୍ଶକ ଏକତ୍ର ହୋଇଥିଲେ । ୨ ଲକ୍ଷ ଜନସଂଖ୍ୟାବିଶିଷ୍ଟ ଏହି କାଉଣ୍ଟି ପାଇଁ ଏହା ଏକ ବଡ଼ କଥା ଥିଲା, କାରଣ କ୍ରୀଡ଼ା କାର୍ଯ୍ୟକ୍ରମ ଆୟୋଜନ ଅପେକ୍ଷା ଫଳ ଓ ବାଦାମ ଚାଷ ପାଇଁ ଏ ଗାଁ ବେଶ ଜଣାଶୁଣା । ଭିଲେଜ ସୁପର ଲିଗ୍‌ରେ କଲେଜ ଛାତ୍ର, ଡାକ୍ତର, ଶିକ୍ଷକ, କମ୍ପାନି କର୍ମଚାରୀଙ୍କ ସମେତ ଅନ୍ୟ ସାଧାରଣ କାର୍ଯ୍ୟରେ ନିଯୁକ୍ତ ଖେଳାଳି ଭାଗ ନେଇଥାନ୍ତି । ପଡ଼ିଆରେ ସବୁ ବଳ ଲଗାଇ ସେମାନେ ଦୌଡ଼ନ୍ତି । ଏଥିରୁ ଫୁଟବଲ୍ ପ୍ରତି ସେମାନଙ୍କର ନିରୁତା ଭଲପାଇବା ସ୍ପଷ୍ଟ ବାରିହୁଏ । ସାରା ଦେଶ ଏବେ ଏହି ନିଆରା ଭିଲେଜ ସୁପର ଲିଗ୍ ଖେଳିବା ଆରମ୍ଭ କରିଛି । ଦେଶରେ ଏହା ଏକ ପ୍ରକାର ଲହର ସୃଷ୍ଟି କରିଛି ।