ଭୁବନେଶ୍ୱର,୧୩/୦୨:  କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ପରିଚାଳିତ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଖାତା କମ୍ପ୍ୟୁଟର ମାଧ୍ୟମରେ ମୂଲ୍ୟାୟନ କରାଯିବ । ଅର୍ଥାତ୍ ଚଳିତ ବୋର୍ଡ ପରୀକ୍ଷାରୁ ଅନ୍ ସ୍କ୍ରିନ୍ ମାର୍କିଂ (ଓଏସ୍ଏମ୍) କରାଯିବ । ଏହା ଦ୍ୱାରା ଖାତାଦେଖାରେ ସ୍ୱଚ୍ଛତା ଆସିବ । ଏଥିସହ କାର୍ଯ୍ୟଦକ୍ଷତା ମଧ୍ୟ ବୃଦ୍ଧି ପାଇବ । ମୋଟ ନମ୍ବର ଯୋଗଫଳ ତ୍ରୁଟିଶୂନ୍ୟ ହେବ ଏବଂ ଶୀଘ୍ର ମୂଲ୍ୟାଙ୍କନରେ ସହଯୋଗ କରିବ । ଏଥିସହ ଶିକ୍ଷକମାନେ ଖାତା ଦେଖା ସହ ସ୍କୁଲରେ ନିୟମିତ କାର୍ଯ୍ୟ କରିପାରିବେ । ଖାତା ଦେଖା ସମୟ ଓ ଖର୍ଚ୍ଚ କମିବ । ଖାତା ଦେଖିବା ଲାଗି ନିୟୋଜିତ ହେଉଥିବା ଶିକ୍ଷକଙ୍କ ସଂଖ୍ୟା ମଧ୍ୟ କମିବ । ଏଥିପାଇଁ ସବୁ ସିବିଏସ୍ଇ ଅନୁବନ୍ଧିତ ସ୍କୁଲକୁ ନିଜର କମ୍ପ୍ୟୁଟର ଲାବ୍ ଓ ଇଣ୍ଟରନେଟ୍ ସଂଯୋଗକୁ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଅତ୍ୟାଧୁନିକ ଜ୍ଞାନକୌଶଳକୁ ବ୍ୟବହାର କରି ନୂଆ ଢାଞ୍ଚାକୁ ଆପଣାଉଛି ସିବିଏସ୍ଇ । ଚଳିତବର୍ଷ ଦେଶରେ ଉଭୟ ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଆସନ୍ତା ୧୭ ତାରିଖରୁ ଆରମ୍ଭ ହେବ । ଏଥିପାଇଁ ତ୍ରୁଟିଶୂନ୍ୟ ପରୀକ୍ଷା ପରିଚାଳନା ଓ ପରୀକ୍ଷା ଫଳ ପ୍ରକାଶ ପାଇଁ ପଦକ୍ଷେପ ନିଆଯାଉଛି ।

ଚଳିତବର୍ଷ ଉଭୟ ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଇଁ ୪୭ ଲକ୍ଷ ପିଲା ପରୀକ୍ଷା ଦେବେ । ଅନ୍ ସ୍କ୍ରିନ୍ ମାର୍କିଂ ଅର୍ଥାତ୍ ଅନ୍‌ଲାଇନ ମାଧ୍ୟମରେ ପରୀକ୍ଷା ଖାତା ଦେଖା ହେବ । କେବଳ ଦ୍ୱାଦଶ ଶ୍ରେଣୀ ପିଲାଙ୍କ କ୍ଷେତ୍ରରେ ଏହାକୁ ଲାଗୁ କରାଯିବ । ବାକି ଦଶମ ଶ୍ରେଣୀ ବୋର୍ଡ ଖାତା ଫିଜିକାଲ୍ ମୋଡ୍‌ରେ କରାଯିବ ।

ସିବିଏସ୍ଇ ପକ୍ଷରୁ କୁହାଯାଇଛି, ଏହି ବ୍ୟବସ୍ଥାରେ ପରୀକ୍ଷା ଖାତା ଦେଖା ହେଲେ ପରୀକ୍ଷା ଫଳ ପ୍ରକାଶ ପୂର୍ବରୁ କରାଯାଉଥିବା ମାର୍କ ଯାଞ୍ଚ ପାଇଁ ଆଉ ସମୟ ଲାଗିବ ନାହିଁ । ସବୁ ସ୍କୁଲକୁ ପରୀକ୍ଷା ଖାତା ମୂଲ୍ୟାଙ୍କନର ସୁଯୋଗ ମିଳିବ । ଏଥିପାଇଁ ସିବିଏସ୍ଇ ପକ୍ଷରୁ ସମସ୍ତ ସ୍କୁଲର ଅଧ୍ୟକ୍ଷଙ୍କୁ କମ୍ପ୍ୟୁଟର ଲାବ୍, ପବ୍ଲିକ୍ ଷ୍ଟାଟିକ୍ ଆଇପି କରିବାକୁ କୁହାଯାଇଛି । ଲାଟେଷ୍ଟ ଇଣ୍ଟରନେଟ୍ ବ୍ରାଉଜର, ଆଡୋଭ୍ ରିଡର, ସର୍ବନିମ୍ନ ୨ ଏମ୍ବିପିଏସ୍‌ର ଇଣ୍ଟରନେଟ୍ ସଂଯୋଗ କରିବାକୁ ନିର୍ଦ୍ଦେଶ ହୋଇଛି । ଯେପରି ପାୱାର ସପ୍ଲାଇରେ କୌଣସି ବାଧା ନହୁଏ ସେଥିଲାଗି ସୁବିଧା କରିବାକୁ କୁହାଯାଇଛି ।

ଆହୁରି ପଢ଼ନ୍ତୁ : - ରାୟଗଡ଼ାରେ କେବିକେ ଡିଭିଜନ୍ ପକ୍ଷରୁ ଲାଗିଲା ମାଓ ପୋଷ୍ଟର, ଆତଙ୍କିତ ଗ୍ରାମବାସୀ