କଟକ, ୧୫/୦୫ : ରାଜ୍ୟରେ ଦୁର୍ଗମ ଇଲାକାରେ ଥିବା ୯ଟି ବାଟାଲିୟନ୍ର କମାଣ୍ଡାଣ୍ଟ୍ ପଦବି ଖାଲିପଡ଼ିଛି । ଏହାକୁ ପୂରଣ ପାଇଁ ଦେଢ଼ ମାସ ତଳେ ୭ ଜଣ ଡେପୁଟି କମାଣ୍ଡାଣ୍ଟ୍ଙ୍କୁ କମାଣ୍ଡାଣ୍ଟ୍ ପାହ୍ୟାକୁ ପଦୋନ୍ନତି ମିଳିଛି । କିନ୍ତୁ ସେମାନେ ତଳ ପାହ୍ୟାରେ ରହି ଡ୍ୟୁଟି କରୁଛନ୍ତି । ଖାଲି ଥିବା ପଦବିରେ ସମ୍ପୃକ୍ତ ଅଫିସର୍ମାନଙ୍କୁ ନିଯୁକ୍ତି ଦିଆନଯିବା ଚର୍ଚ୍ଚାର ବିଷୟ ହୋଇଛି। ପଦୋନ୍ନତି ପାଇଥିବା ୭ ଜଣ ଯାକ ଅଫିସର୍ ଦୀର୍ଘ ବର୍ଷ ହେଲା ଭୁବନେଶ୍ୱରେ ବିଭିନ୍ନ ବାଟାଲିୟନ୍ରେ ନିୟୋଜିତ ରହିଛନ୍ତି । ସମ୍ପୃକ୍ତ ଅଧିକାରୀମାନଙ୍କର ରାଜଧାନୀରେ ନେତା, ମନ୍ତ୍ରୀ ଓ ଉପରିସ୍ଥ ଅଧିକାରୀଙ୍କ ସହ ଯୋଗସୂତ୍ର ଭଲ ଥିବାରୁ ସେମାନେ ରାଜଧାନୀ ଛାଡ଼ି ଦୁର୍ଗମ ଇଲାକା ଏବଂ ମାଓ ପ୍ରଭାବିତ ଇଲାକାରେ ଥିବା ବାଟାଲିୟନ୍ରେ ଯୋଗଦେବାକୁ ଚାହୁନଥିବା ଚର୍ଚ୍ଚା ହେଉଛି ।
ଉପର ପାହ୍ୟାକୁ ପଦୋନ୍ନତି ପାଇଲା ପରେ ସେହି ଅନୁସାରେ ଅଧିକ ଦରମା ଓ ଯାବତୀୟ ସରକାରୀ ସୁବିଧା ପାଇ ମଧ୍ୟ ତଳ ପାହ୍ୟାରେ ଗାଦି ଜମାଇ ରହିଛନ୍ତି। ଚାପରେ ଏବେ କମାଣ୍ଡାଣ୍ଟ୍ ବଦଳି ଫାଇଲ୍ ଚପିଯାଇଥିବା ସଶସ୍ତ୍ର ବାହିନୀରେ ଚର୍ଚ୍ଚା ହେଉଛି । କୋରାପୁଟସ୍ଥିତ ଓଏସ୍ଏପି ତୃତୀୟ ବାଟାଲିୟନ୍, ପ୍ରଥମ ଆଇଆର ବାଟାଲିୟନ୍ କୋରାପୁଟ, ଚତୁର୍ଥ ଏସ୍ଏସ୍ ବାଟାଲିୟନ୍ ମାଲକାନଗିରି, ନବମ ସ୍ପେସାଲ୍ ଆଇଆର ବାଟାଲିୟନ୍ କଳାହାଣ୍ଡି, ସପ୍ତମ ସ୍ପେସାଲ୍ ଆଇଆର ବାଟାଲିୟନ୍ କୋରାପୁଟ, ଓଏସ୍ଏପି ପ୍ରଥମ ବାଟାଲିୟନ୍ ଢେଙ୍କାନାଳ, ଏସ୍ଓଜି ଟ୍ରେନିଂ ସେଣ୍ଟର୍, ଓଏସ୍ଏପି ଚତୁର୍ଥ ବାଟାଲିୟନ୍ ରାଉରକେଲା, ଝାରସୁଗୁଡ଼ାର ବାଟାଲିୟନ୍ରେ ମଧ୍ୟ ଏକ କମାଣ୍ଡାଣ୍ଟ୍ ପଦବି ଦୀର୍ଘ ଦିନ ହେଲା ଖାଲିପଡ଼ିଛି ।
ସୂଚନାଯୋଗ୍ୟ, ଡେପୁଟି କମାଣ୍ଡାଣ୍ଟରୁ କମାଣ୍ଡାଣ୍ଟ୍ ପାହ୍ୟାକୁ ଗତ ମାସରେ ପଦୋନ୍ନତି ପାଇଥିବା ଅଧିକାରୀମାନେ ହେଲେ ବଇରୀ ସ୍ଥିତ ପୁଲିସ ଟ୍ରେନିଂ ସେଣ୍ଟର୍ରେ ଡେପୁଟି କମାଣ୍ଡାଣ୍ଟ୍ ଜ୍ଞାନେନ୍ଦ୍ର କୁମାର ଦାସ, ଓଆଇଏସ୍ଏଫର ମନୋଜ ମିଶ୍ର, ଏସ୍ଏପି ମୁଖ୍ୟାଳୟର ଅଶିକ କୁମାର ରଥ, ଝାରସୁଗୁଡ଼ାସ୍ଥିତ ଏପିଟିସିର ଭବାନୀ ଶଙ୍କର ସେଠ, ଭୁବନେଶ୍ୱରସ୍ଥିତ ସ୍ପେସାଲ୍ ସିକ୍ୟୁରିଟି ବାଟାଲିୟନ୍ର ଦୀପକ କୁମାର ଦେହୁରୀ, ସୁଜିତ୍ କୁମାର ଦଳାଇ, କମିସନରେଟ୍ ସିକ୍ୟୁରିଟି ଉଇଙ୍ଗର ଅତିରିକ୍ତ ଡିସିପି ଭବାନୀ ଶଙ୍କର ସେଠୀ ।
ଏହି ଖବରଟିକୁ ପଢନ୍ତୁ- ବିରାଟ କୋଠା ବଡ଼ ନାଁ... ହେଲେ କମିଶନରେଟ୍ ପୁଲିସର ଭିତର ଫମ୍ପା, ସୌମ୍ୟ ହତ୍ୟାକାଣ୍ଡରେ ‘ଉଇ କେୟାର, ଉଇ ଡେୟାର’ର ଉଡିଲା ଧଜିଆ