ନୂଆଦିଲ୍ଲୀ: ନିର୍ବାଶନ କମିଶନଙ୍କୁ ନେଇ ପ୍ରଶ୍ନ ଉଠାଇଥିବା ରାହୁଲ ଗାନ୍ଧୀଙ୍କ ସମର୍ଥନରେ ବାହାରିଲେ ବରିଷ୍ଠ କଂଗ୍ରେସ ନେତା ଶଶି ଥରୁର । ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଥରୁର ଏକ ପୋଷ୍ଟ ଶେୟାର କରି ନିର୍ବାଚନ କମିଶନଙ୍କୁ ଜବାବ ମାଗିଛନ୍ତି । ରାହୁଲ ଗାନ୍ଧୀ କରିଥିବା ପ୍ରଶ୍ନର କାହିଁକି ଉତ୍ତର ଦେଲେ ନାହିଁ ବୋଲି ମଧ୍ୟ ସେ ନିର୍ବାଚନ ଆୟୋଗଙ୍କୁ ପ୍ରଶ୍ନ କରିଛନ୍ତି । ନିର୍ବାଚନ ପ୍ରକ୍ରିୟାରେ ସ୍ବଚ୍ଛତାକୁ ନେଇ ସାଧାରଣ ଲୋକଙ୍କ ମନରେ ଆସୁଥିବା ସନ୍ଦେହ ଦୂର କରିବା ଇସିଙ୍କ ଦାୟିତ୍ବ ଏବଂ ଏହା ଗୁରୁତ୍ବପୂର୍ଣ୍ଣ । ନିର୍ବାଚନ ଆୟୋଗ ରାହୁଲଙ୍କ ପ୍ରଶ୍ନର ଜବାବ ଦେଇ ଏଭଳି ସନ୍ଦେହକୁ ଦୂର କରିପାରିବେ ବୋଲି କହିଛନ୍ତି ଶଶି ଥରୁର ।
ଇସ୍ତଫା ଦେଲେ କର୍ଣ୍ଣାଟକର ମନ୍ତ୍ରୀ କେ.ଏନ. ରାଜନ୍ନା, ଭୋଟର ତାଲିକାକୁ ନେଇ ନିଜ ସରକାରଙ୍କ ଉପରେ ଉଠାଇଥିଲେ ପ୍ରଶ୍ନ
ଆଜି ଇଣ୍ଡି ମେଣ୍ଟର ସାଂସଦମାଦେ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳକୁ ପ୍ରତିବାଦ ଶୋଭାଯାତ୍ରାରେ ବାହାରିଥିଲେ । ହେଲେ ସେମାନଙ୍କୁ ମଝି ରାସ୍ତାରେ ଅଟକାଇଥିଲା ପୁଲିସ । ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀଙ୍କ ସମେତ ବହୁ ବିରୋଧୀ ସାଂସଦଙ୍କୁ ପୁଲିସ ଉଠାଇ ନେଇଥିଲା । ୨ ଘଣ୍ଟା ଧରି ସେମାନଙ୍କୁ ଅଟକ ରଖିବା ପରେ ଛାଡ଼ିଥିଲା ପୁଲିସ ।
ବିରୋଧୀ ସାଂସଦ ମାନେ ବିହାରରେ ସଂପନ୍ନ ହୋଇଥିବା ଭୋଟର ତାଲିକାର ସ୍ବତନ୍ତ୍ର ବ୍ୟାପକ ସଂଶୋଧନରେ ତ୍ରୁଟି ଏବଂ ଭୋଟ ଚୋରି ଅଭିଯୋଗକୁ ନେଇ ଏହି ପ୍ରତିବାଦ କରିଥିଲେ । ଶଶି ଥରୁର କହିଛନ୍ତି ଯେ, ଯେପର୍ଯ୍ୟନ୍ତ ଲୋକଙ୍କର ନିର୍ବାଚନର ନିରପେକ୍ଷତା ଉପରେ ସନ୍ଦେହ ରହିଛି, ସେପର୍ଯ୍ୟନ୍ତ ନିର୍ବାଚନ କମିଶନଙ୍କ ବିଶ୍ୱସନୀୟତା ବିପଦରେ ଅଛି । କିନ୍ତୁ ଯଦି ଏହି ସନ୍ଦେହ ଦୂର ହୁଏ, ତେବେ ନିର୍ବାଚନ କମିଶନଙ୍କ ବିଶ୍ୱସନୀୟତା ପୁନରୁଦ୍ଧାର ହେବ। ବିରୋଧୀଙ୍କ ପ୍ରଶ୍ନର ଉତ୍ତର ଦେବା ନିର୍ବାଚନ କମିଶନଙ୍କ ଲାଗି ଜରୁରି ବୋଲି ଶଶି ଥରୁର କହିଛନ୍ତି ।