ଭୁବନେଶ୍ବର, ୦୫/୦୬: ନାମାଙ୍କନ ଦାଖଲ କଲେ ଦେବାଶିଷ ସାମନ୍ତରାୟ । ବିଜେପି ପକ୍ଷରୁ ରାଜ୍ୟସଭା ପ୍ରାର୍ଥୀ ଭାବେ ନୋମିନେସନ ଭରିଲେ ଦେବାଶିଷ । ଶୋଭାଯାତ୍ରାରେ ଆସି ବିଧାନସଭା ରିଟର୍ଣ୍ଣଂ ଅଫିସରଙ୍କ ନିକଟରେ ନାମାଙ୍କନ ଫର୍ମ ଦାଖଲ କରିଛନ୍ତି । ନାମାଙ୍କନ ବେଳେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ଉପ-ମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ, ରାଜସ୍ବମନ୍ତ୍ରୀ ସୁରେଶ ପୂଜାରୀଙ୍କ ସମେତ ପାର୍ଟିର ବହୁ ନେତା ଉପସ୍ଥିତ ଥିଲେ ।
ନାମାଙ୍କନ ଦାଖଲ ପରେ ବିଜୁ ଜନତା ଦଳକୁ ନେଇ ବିସ୍ଫୋରକ ବୟାନ ଦେଇଛନ୍ତି ଦେବାଶିଷ । ସେ କହିଛନ୍ତି, ବିଜେଡିର ଭାଡ଼ି ଖାଲି ହେଉଛି । ଆଗାମୀ ଦିନରେ ଦେଖନ୍ତୁ କ’ଣ ହେଉଛି । ଆହୁରି ଆନେକ ନେତା ବିଜେଡି ଛାଡ଼ି ବିଜେପିରେ ସାମିଲ ହେବେ । ଏଠାରେ ଅଧିକ ସୁଯୋଗ ରହିଛି । ଲୋକଙ୍କ ସେବା କରିବା ପାଇଁ ମୌକା ରହିଛି । ଡବଲ ଇଞ୍ଜିନ ସରକାର ଥିବାରୁ ଏଠାରେ ଅଧିକ କାମ କରିପାରିବି ବୋଲି ଦେବାଶିଷ ସାମନ୍ତରାୟ କହିଛନ୍ତି । ସେପଟେ ରାଜସ୍ବ ମନ୍ତ୍ରୀ ମଧ୍ୟ ବିଜେଡିକୁ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି, ବିଜୁ ଜନତା ଦଳ ଏବେ ବିଲୟ ମୁହାଁ । ରାଜ୍ୟରେ ପୂର୍ବରୁ ମଧ୍ୟ ଅନେକ ଦଳ ଜନ୍ମ ନେଇ ସମାପ୍ତ ହୋଇଛନ୍ତି। ଯେଉଁଭଳି ନେତା ମାନେ ବିଜେଡି ଛାଡୁଛନ୍ତି ଏହା ଏବେ ବିଲୟ ମୁହାଁ। ଗୋଟିଏ ପରେ ଗୋଟିଏ ୱିକେଟର ପତନ ଘଟୁଛି, ଖୁବ୍ ଶୀଘ୍ର ଦଳ ସମ୍ପୂର୍ଣ୍ଣ ଭାବେ ଅଲଆଉଟ ହୋଇଯିବ । ବିନା ବିଚାରଧାରାରେ କ୍ଷମତା ସର୍ବସ୍ବ ଦଳ କେବେ ଦୀର୍ଘାୟୁ ହୋଇନାହିଁ’ ବୋଲି ସୁରେଶ ପୂଜାରୀ କହିଛନ୍ତି ।
ସୂଚନା ଆନୁଯାୟୀ, ଆସନ୍ତା ଜୁନ ୧୮ ତାରିଖରେ ରାଜ୍ୟସଭା ଉପନିର୍ବାଚନ । ଜୁନ ୮ ତାରିଖରେ ନାମାଙ୍କନ ପତ୍ର ଦାଖଲ ଶେଷ ତାରିଖ । ତେଣୁ ଏହା ପୂର୍ବରୁ ଦେବାଶିଷ ସାମନ୍ତରାୟ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ନୋମିନେସ ଭରିଛନ୍ତି । ମେ’ ୨୫ ତାରିଖରେ ବିଜେଡିରୁ ଇସ୍ତଫା ଦେଇଥିଲେ ଦେବାଶିଷ। ସେ ତାଙ୍କର ଇସ୍ତଫା ପତ୍ର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପଠାଇଥିଲେ । ଏହା ପରେ ରାଜ୍ୟସଭା ପଦ ମଧ୍ୟ ଛାଡ଼ିଥିଲେ । ଏହାର ଗୋଟିଏ ଦିନ ପରେ ଅର୍ଥାତ୍ ମେ’ ୨୬ ତାରିଖରେ ଭାରତୀୟ ଜନତା ପାର୍ଟିରେ ସାମିଲ୍ ହୋଇଥିଲେ । ଦିଲ୍ଲୀ ମୁଖ୍ୟାଳୟରେ ପହଞ୍ଚି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ସାମ୍ନାରେ ପଦ୍ମ ଦଳରେ ମିଶିଥିଲେ । ସେହି ସମୟରେ ଦେବାଶିଷ କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡ଼ିଶା ବିକାଶ ଭିଜନ ତାଙ୍କୁ ବେଶ୍ ପ୍ରଭାବିତ କରିଛି । ତେଣୁ ବିଜେଡି ଛାଡ଼ି ବିଜେପିରେ ସାମିଲ୍ ହୋଇଛନ୍ତି ।
ଅଧିକ ପଢନ୍ତୁ-Balianta Murder case : ଭାଇରାଲ୍ ଅଡିଓରୁ ସାଙ୍ଘାତିକ୍ ସତ, ସୌମ୍ୟ ହତ୍ୟା ପଛରେ ପୁରୁଣା ବିବାଦ ! ଓମ୍ ଉପରେ ବଢିଲା ସନ୍ଦେହ