ଭୁବନେଶ୍ୱର, ୧୬/୦୫ : ଡିପ୍ଲୋମା ଇନ୍ ଏଲିମେଣ୍ଟାରୀ ଏଜୁକେସନ (ଡିଇଆଇଇଡି) ତଥା ସିଟି ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆସନ୍ତା ଜୁନ୍ ୧୮ ତାରିଖ ଯାଏ ଆବେଦନ ପତ୍ର ଗ୍ରହଣ କରାଯିବ । ନାମଲେଖାକୁ ମାତ୍ର ୪ ଦିନ ବାକି ଥିବା ବେଳେ ସିଟ୍ର ୧୨ ଗୁଣା ଛାତ୍ରଛାତ୍ରୀ ଆବେଦନ କରିଛନ୍ତି। ଏପରିକି ଆବେଦନକାରୀଙ୍କ ମଧ୍ୟରୁ ଛାତ୍ରୀଙ୍କ ଅପେକ୍ଷା ୩ ଗୁଣା ଛାତ୍ର ଆବେଦନ କରିଛନ୍ତି । ବିଏଡ୍ ନାମଲେଖା ପାଇଁ ଯେପରି ସିଟ୍ଠୁ ୧୪ ଗୁଣା ଆବେଦନ ହେଉଛି, ସେହିପରି ସିଟିରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳୁଛି ।
ସାମ୍ସର ତଥ୍ୟ କହୁଛି, ସାରା ରାଜ୍ୟରେ ସିଟି ନାମଲେଖା ପାଇଁ ୬୮ଟି ଶିକ୍ଷାନୁଷ୍ଠାନରେ ୬ ହଜାର ୫୫୦ ସିଟ୍ ରହିଛି । ଏଥିପାଇଁ ଏଯାଏ ୭୮ ହଜାର ୯୫୨ ଛାତ୍ରଛାତ୍ରୀ ଆବଦନ କରିଛନ୍ତି । ଏଥିରୁ ୬୦ ହଜାର ୭୦୦ ଛାତ୍ର ଥିବା ବେଳେ ୧୮ ହଜାର ୨୫୨ ଜଣ ଛାତ୍ରୀ ଆବେଦନ କରିଛନ୍ତି । ଯୁକ୍ତ ଦୁଇ ପରେ ଛାତ୍ରଛାତ୍ରୀମାନେ ଯୁକ୍ତ ତିନି ତଥା ସାଧାରଣ ଗ୍ରାଜୁଏସନ୍ ପାଇଁ ଏତେ ମାତ୍ରେ ଇଚ୍ଛୁକ ହେଉନାହାନ୍ତି । ରାଜ୍ୟରେ ଯୁକ୍ତ ତିନି ପାଇଁ ମୋଟ ୨ ଲକ୍ଷ ୭୭ ହଜାର ୧୩୧ଟି ସିଟ୍ ରହିଛି । ଏଥିପାଇଁ ଆବେଦନ ୨ ଲକ୍ଷ ବି ଛୁଇଁ ନଥିବାରୁ ବାଧ୍ୟ ହୋଇ ଉଚ୍ଚଶିକ୍ଷା ବିଭାଗ ଆବେଦନ ଅବଧି ବୃଦ୍ଧି କଲା । ଅବଧି ବୃଦ୍ଧି ପରେ ଏଯାଏ ୨ଲକ୍ଷ ୩୦ ହଜାର ୪୨୦ଜଣ ଆବେଦନ କରିଛନ୍ତି । ମାତ୍ର ବିଏଡ୍ କିମ୍ବା ସିଟି ନାମଲେଖାରେ ଗୋଟିଏ ବି ସିଟ୍ ଖାଲି ରହୁନି । ଏଥିରୁ ଜଣା ପଡ଼ୁଛି ଆଜିକାଲି ଛାତ୍ରଛାତ୍ରୀମାନେ ନିଯୁକ୍ତିର ସୁଯୋଗ ଥିବା ପାଠ୍ୟକ୍ରମ ପ୍ରତି ଅଧିକ ଆଗ୍ରହ ପ୍ରକାଶ କରୁଛନ୍ତି । ତେଣୁ ଶିକ୍ଷକ ଶିକ୍ଷାରେ ସିଟ୍ ବୃଦ୍ଧି କରିବାକୁ ମଧ୍ୟ ଅଭିଭାବକ, ଛାତ୍ରଛାତ୍ରୀମାନେ ଦାବି କରୁଛନ୍ତି । ସୂଚନାଯୋଗ୍ୟ, ବିଏଡ୍, ଏମ୍ଏଡ୍ରେ ୨୮୦୦ ସିଟ୍ ଥିବା ବେଳେ ଏଥିପାଇଁ ଲକ୍ଷେ ୧୩ ହଜାର ପିଲା ଆବେଦନ କରି ପ୍ରବେଶିକା ପରୀକ୍ଷା ଦେଇଛନ୍ତି।
ଆହୁରି ପଢନ୍ତୁ- Heatwave: ତାତି ଖସିଛି ହେଲେ ନୟାନ୍ତ କରୁଛି ଗରମ-ଗୁଳୁଗୁଳି, ୧୮ରେ ଖୋଲିବ ସ୍କୁଲ, ପିଲା ପଢ଼ିବେ କେମିତି ?
ଓଡ଼ିଶା ମାନଚିତ୍ରରୁ ହଜିଯିବ ସୀମାନ୍ତ ଗାଁ ଦୋରାଗୁଡ଼ା!ଅବହେଳିତ ଓ ମୌଳିକ ସୁବିଧାରୁ ବଞ୍ଚିତ ଲୋକେ ଏବେ ଆନ୍ଧ୍ର ମୁହାଁ