ନୂଆଦିଲ୍ଲୀ, ୧୨।୧୧: ଦିଲ୍ଲୀ ଲାଲକିଲ୍ଲା ବିସ୍ଫୋରଣ ଘଟଣା । ଘଟଣାର ତଦନ୍ତ ଜାରି ରଖିଛି ପୁଲିସ । ଏଏନଆଇର ରିପୋର୍ଟରୁ ଜଣାପଡ଼ିଛି ଯେ, ହରିୟାଣା ଫରିଦାବାଦରେ ହୁଣ୍ଡାଇ i-20 କାରକୁ ଡାକ୍ତର ଉମର ଉନ୍ ନବି ଏବଂ ତାରିକ ଅହମ୍ମଦ ମାଲିକଙ୍କୁ ବିକ୍ରି କରିଥିବା କାର୍ ଡିଲରଙ୍କୁ ଅଟକ ରଖାଯାଇଛି ।
ନଭେମ୍ବର ୧୦ରେ କ’ଣ ଘଟିଥିଲା ?
ନଭେମ୍ବର ୧୦ ତାରିଖ ସନ୍ଧ୍ୟା ପ୍ରାୟ ୭ଟାରେ ଦିଲ୍ଲୀର ଲାଲକିଲ୍ଲା ନିକଟରେ ଏକ କାର ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣରେ ଅନେକ ଯାନବାହନ ମଧ୍ୟ ଆଘାତ ପାଇଥିଲା । ବିସ୍ଫୋରଣରେ ୧୨ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୨୦ରୁ ଅଧିକ ଆହତ ହୋଇଥିଲେ । ଏହି ଘଟଣା ସାରା ଦେଶରେ ଆତଙ୍କ ସୃଷ୍ଟି କରିଥିଲା, ଯାହା ପରେ ପୁଲିସ ପକ୍ଷରୁ ଅନେକ ଚଢ଼ାଉ କରାଯାଇଥିଲା । ସାରା ଦେଶରେ ହାଇ ଆଲର୍ଟ ଜାରି କରାଯାଇଛି ଏବଂ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ପୁଲିସ ଏବଂ ଏଜେନ୍ସିଗୁଡ଼ିକ ଏପର୍ଯ୍ୟନ୍ତ ଅନେକ ସନ୍ଦିଗ୍ଧଙ୍କୁ ଅଟକ ରଖିଛନ୍ତି । ଏହି ମାମଲାରେ ୩ ଜଣ ମୁଖ୍ୟ ସନ୍ଦିଗ୍ଧ ହେଉଛନ୍ତି ଡାକ୍ତର ମୁଜାମ୍ମିଲ, ଡାକ୍ତର ଆଦିଲ ଅହମ୍ମଦ ଡାର ଏବଂ ଡାକ୍ତର ଉମର । ବିସ୍ଫୋରଣ ସମୟରେ ଡକ୍ଟର ଉମରଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି, ଅନ୍ୟପଟେ ଡାକ୍ତର ମୁଜାମ୍ମିଲ ଏବଂ ଡାକ୍ତର ଆଦିଲ ଅହମ୍ମଦ ଡାରଙ୍କୁ ଗିରଫ କରାଯାଇଛି । ମୁଜାମ୍ମିଲଙ୍କୁ ଏବେ ପଚରାଉଚରା ଜାରି ରହିଛି ।
ଅଯୋଧ୍ୟାରେ ଆତଙ୍କୀ ଷଡ଼ଯନ୍ତ୍ର ପଣ୍ଡ:
ଅଯୋଧ୍ୟାରେ ବିସ୍ଫୋରଣ ପାଇଁ କରାଯାଇଥିଲା ବଡ଼ ଷଡ଼ଯନ୍ତ୍ର । କିନ୍ତୁ ଏଭଳି ହେବା ଆଗରୁ ଦିଲ୍ଲୀରେ ଏକ ବିସ୍ଫୋରଣ ହୋଇଥିଲା ଏବଂ ଆତଙ୍କବାଦୀମାନଙ୍କୁ ଚଢ଼ାଉ କରିବା ସହିତ ଗିରଫ କରାଯାଇଥିଲା । ଲାଲକିଲ୍ଲା ବିସ୍ଫୋରଣ କରିବାର କୌଣସି ଯୋଜନା ନଥିଲା । ଏପର୍ଯ୍ୟନ୍ତ ତଦନ୍ତରୁ ଜଣାପଡ଼ୁଛି ଯେ, ବିସ୍ଫୋରକଗୁଡ଼ିକରେ ଟାଇମର୍ କିମ୍ବା ଅନ୍ୟ କୌଣସି ଉପକରଣ ବ୍ୟବହାର କରାଯାଇନଥିଲା । ବିସ୍ଫୋରଣଟି ପ୍ରି ପ୍ଲାନ୍ ନ ହୋଇ ତରବରିଆ ଭାବେ କରାଯାଇଥିବା ଅନୁମାନ କରାଯାଉଛି ।