ନୂଆଦିଲ୍ଲୀ, ୦୮/୦୬: ଦିଲ୍ଲୀ ମାଲଭୀୟ ନଗରରେ ଘଟିଥିବା ଅଗ୍ନିକାଣ୍ଡ ଘଟଣା ସମଗ୍ର ଦେଶକୁ ସ୍ତବ୍ଧ କରିଦେଇଛି । ଏହି ଭୟଙ୍କର ଦୁର୍ଘଟଣାରେ ୨୧ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଶତାଧିକ ଲୋକ ଆହତ ହୋଇଛନ୍ତି । ‘ଫ୍ଲୋରିସ୍ ଷ୍ଟେ ବେଡ୍ ଆଣ୍ଡ ବ୍ରେକଫାଷ୍ଟ’ରେ ଇଲେକ୍ଟ୍ରିକ୍ ଷ୍ଟୋଭ୍ ବିସ୍ଫୋରଣ ମାମଲାରେ ପୁଲିସ ରୋଷେୟା କେଶବ ନେଗୀଙ୍କୁ ବାନ୍ଧିଛି । ଗିରଫ ପରେ ଏହି ମାମଲାକୁ ନେଇ ବିବାଦ ବଢ଼ିଯାଇଛି । ଉତ୍ତରଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ତଦନ୍ତ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇଛନ୍ତି । 

ଉତ୍ତରାଖଣ୍ଡର ୬୫ ବର୍ଷୀୟ କେଶବ ନେଗୀ ଦିଲ୍ଲୀର ଦିଲଶାଦ ଗାର୍ଡେନରେ ରହୁଥିଲେ । ସେ ଅଗ୍ନିକାଣ୍ଡ ଘଟିଥିବା ହୋଟେଲରେ ରୋଷେୟା ଭାବେ କାର୍ଯ୍ୟ କରୁଥିଲେ । ପୁଲିସ ସନ୍ଦେହ କରୁଛି, ତାଙ୍କ ଅବହେଳା ଯୋଗୁ ଏହି ଅଗ୍ନିକାଣ୍ଡ ଘଟିଥାଇପାରେ । ରବିବାର ପଚରାଉଚରା ପରେ ଦିଲ୍ଲୀ ପୁଲିସ ତାଙ୍କୁ ଗିରଫ କରିଥିଲା । ପରେ କେଶବ ନେଗୀଙ୍କୁ କୋର୍ଟ ହାଜର କରାଇ ଅଧିକ ତଦନ୍ତ ପାଇଁ ଦୁଇ ଦିନିଆ ରିମାଣ୍ଡରେ ଆଣିଛି ଦିଲ୍ଲୀ ପୁଲିସ ।

ଅନ୍ୟପଟେ, କେଶବ ନେଗୀଙ୍କ ସମର୍ଥନରେ ଉତ୍ତରାଖଣ୍ଡରେ ସ୍ୱର ଉଠିଛି । ଏହି ପ୍ରସଙ୍ଗରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖାଗୁପ୍ତା ମଧ୍ୟରେ ଆଲୋଚନା ହୋଇଛି। ମୁଖ୍ୟମନ୍ତ୍ରୀ ଧାମୀ କହିଛନ୍ତି ଯେ, ଏହି ଘଟଣାର ନିରପକ୍ଷେ ତଦନ୍ତ ହେବାର ଆବଶ୍ୟକତା ଥିଲା । ସେ ଉତ୍ତରାଖଣ୍ଡର ପ୍ରବାସୀ ଶ୍ରମିକ ଓ ସେମାନଙ୍କ ପରିବାର ପ୍ରତି ସମର୍ଥନ ଜଣାଇଛନ୍ତି । କେଶବ ନେଗୀଙ୍କ କହିବା ଅନୁସାରେ, ଦୁର୍ଘଟଣା ଦିନ ରୋଷେଇ ଘରେ ଇଲେକ୍ଟ୍ରିକ୍ ଷ୍ଟୋଭ୍ ଚାଲୁ କରିବାର କିଛି ସମୟ ପରେ ଅଗ୍ନିକାଣ୍ଡ ଘଟିଥିଲା। ଉପକରଣରେ ତ୍ରୁଟି ଥିବାରୁ ଏହା ବିସ୍ଫୋରଣ ହୋଇଥିଲା । ପରେ ନିଆଁ ସମ୍ପୂର୍ଣ୍ଣ ହୋଟେଲକୁ ବ୍ୟାପୀ ଯାଇଥିଲା ।

ସେପଟେ ପୁଲିସର ଅଭିଯୋଗ ହୋଟେଲରେ ନିଆଁ ଲାଗିବା ପରେ ରୋଷେୟା ନେଗୀ ବିଦ୍ୟୁତ୍ ସଂଯୋଗ କାଟି ସେଠାରୁ ଫେରାର୍ ହୋଇଯାଇଥିଲେ । ଘଟଣା ସମୟରେ ବିଦ୍ୟୁତ୍ ସରବରାହ ବନ୍ଦ ହୋଇଯିବା ପରେ ଏହାର ପ୍ରଭାବ ହୋଟେଲର ସୁରକ୍ଷା ବ୍ୟବସ୍ଥା ଉପରେ ଗୁରୁତର ଭାବେ ପଡ଼ିଥିଲା। ସରକାରୀ ରିପୋର୍ଟ ଅନୁଯାୟୀ, ବିଦ୍ୟୁତ୍ ସରବରାହ ବନ୍ଦ ହୋଇଯିବାରୁ ଇଲେକ୍ଟ୍ରୋନିକ୍ ଏଗଜିଟ୍ ସିଷ୍ଟମ୍ କାମ କରିନଥିଲା। ଫଳରେ ଧୂଆଁ ଓ ନିଆଁ ଦ୍ରୁତ ଗତିରେ ଚାରିଆଡ଼େ ବ୍ୟାପିବା ଯାଇଥିଲା । ଲୋକମାନଙ୍କ ହୋଟେଲ ଭିତରରୁ ବାହାରକୁ ବାହାରି ପାରିନଥିଲେ । ଯାହାଫଳରେ ଗୋଟିଏ ପରେ ଗୋଟିଏ ୨୧ଜୀବନ ଚାଲିଯାଇଥିଲା । ତଦନ୍ତ ବେଳେ ରୋଷେୟାଙ୍କ ଅବହେଳା ସାମ୍ନାକୁ ଆସିଛି। ତାଙ୍କ ଅବହେଳା ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା ।

ଅଧିକ ପଢନ୍ତୁ- ଚୋର ଭାଇ, ପ୍ଲିଜ୍ ମୋଟର ଫେରାଇ QR କୋଡ୍ ଦେଇଦିଅ...’ ଚୋରି ପରେ ଚାଷୀଙ୍କ ଗୁହାରି; ଭାଇରାଲ୍ ହେଉଛି ପୋଷ୍ଟର