ନୂଆଦିଲ୍ଲୀ,୩୦/୪ : ଦିଲ୍ଲୀ ହାଇକୋର୍ଟରୁ କରିସ୍ମା କପୁରଙ୍କ ପିଲାମାନଙ୍କୁ ମିଳିଲା ବଡ଼ ଆଶ୍ବସ୍ତ । ଦିଲ୍ଲୀ ହାଇକୋର୍ଟ କରିଶ୍ମାଙ୍କ ପିଲାଙ୍କ ଆବେଦନ ଉପରେ ମଧ୍ୟବର୍ତ୍ତୀକାଳୀନ ସ୍ଥଗିତାଦେଶ ପ୍ରଦାନ କରିଛନ୍ତି । ହାଇକୋର୍ଟ କହିଛନ୍ତି ଯେ, ପ୍ରିୟା କପୁରଙ୍କୁ ପିଲାମାନଙ୍କ ଚିନ୍ତାର ସମାଧାନ କରିବାକୁ ପଡିବ। ତାଙ୍କୁ ବର୍ତ୍ତମାନ କୌଣସି ସମ୍ପତ୍ତି ବିକ୍ରୟ କିମ୍ବା ହସ୍ତାନ୍ତର କରିବାରୁ ନିଷେଧ କରାଯାଇଛି। ଦିଲ୍ଲୀ ହାଇକୋର୍ଟ ବଲିଉଡ୍ ଅଭିନେତ୍ରୀ କରିସ୍ମା କପୁରଙ୍କ ଦୁଇ ସନ୍ତାନଙ୍କ ଦ୍ୱାରା ଦାୟର ଏକ ମଧ୍ୟବର୍ତ୍ତୀକାଳୀନ ଆଦେଶ ଆବେଦନକୁ ମଞ୍ଜୁର କରିଛନ୍ତି । ଯାହା ଫଳରେ ସେମାନଙ୍କ ସାବତ ମା ପ୍ରିୟା କପୁରଙ୍କୁ ସଞ୍ଜୟ କପୁରଙ୍କ ଛାଡିଯାଇଥିବା ସମ୍ପତ୍ତିକୁ ଶେଷ କରିବାରୁ ବାରଣ କରାଯାଇଛି। ବିଚାରପତି ଜ୍ୟୋତି ସିଂହ କହିଛନ୍ତି ଯେ ସମ୍ପତ୍ତିଗୁଡ଼ିକୁ ଶେଷ କରାଯିବା ଉଚିତ ନୁହେଁ ବରଂ ସଂରକ୍ଷଣ କରାଯିବା ଉଚିତ।
ଦିଲ୍ଲୀ ହାଇକୋର୍ଟ ବ୍ୟାଙ୍କ ଆକାଉଣ୍ଟଗୁଡ଼ିକର ପରିଚାଳନାକୁ ସ୍ଥଗିତ ରଖିଛନ୍ତି । ହାଇକୋର୍ଟ ସଞ୍ଜୟ କପୁରଙ୍କ ବ୍ୟାଙ୍କ ଆକାଉଣ୍ଟଗୁଡ଼ିକୁ ଫ୍ରିଜ୍ କରିଛନ୍ତି । ଦିଲ୍ଲୀ ହାଇକୋର୍ଟ କହିଛନ୍ତି ଯେ, ଯଦି ବିଚାର ପର୍ଯ୍ୟାୟରେ ଇଚ୍ଛାପତ୍ର ଜାଲ୍ ବୋଲି ପ୍ରମାଣିତ ହୁଏ, ତେବେ ଏହା ସମାୟରା ଏବଂ କିୟାନଙ୍କ ପ୍ରତି ଅନ୍ୟାୟ ହେବ। କୋର୍ଟ ଏହା ମଧ୍ୟ ସ୍ୱୀକାର କରିଛନ୍ତି ଯେ କରିସ୍ମା କପୁର ଏବଂ ସଞ୍ଜୟ କପୁରଙ୍କ ମାଆ ଇଚ୍ଛାପତ୍ରର ପ୍ରାମାଣିକତା ଏବଂ ବୈଧତା ଉପରେ ପ୍ରଶ୍ନ ଉଠାଇଛନ୍ତି। ତେଣୁ, ଏହି ସନ୍ଦେହଗୁଡ଼ିକୁ ଦୂର କରିବା ଏବେ ପ୍ରିୟା କପୁରଙ୍କ ଉପରେ ନିର୍ଭର କରେ। କୋର୍ଟ ସ୍ପଷ୍ଟ କରିଛନ୍ତି ଯେ ଇଚ୍ଛାପତ୍ରର ପ୍ରାମାଣିକତା ବିଚାର ସମୟରେ ନିର୍ଣ୍ଣୟ କରାଯିବ। ସେପର୍ଯ୍ୟନ୍ତ, ସମଗ୍ର ସମ୍ପତ୍ତିକୁ ସୁରକ୍ଷିତ ରଖିବା ଅତ୍ୟନ୍ତ ଜରୁରୀ।
କୋର୍ଟ ତାଙ୍କ ନିଷ୍ପତ୍ତିରେ କହିଛନ୍ତି ଯେ ବିଚାର ସମାପ୍ତ ନ ହେବା ପର୍ଯ୍ୟନ୍ତ ଭାରତୀୟ କମ୍ପାନୀଗୁଡ଼ିକର ସେୟାର କିମ୍ବା ଅଂଶଧନରେ କୌଣସି ପରିବର୍ତ୍ତନ ହେବ ନାହିଁ। ସମ୍ପତ୍ତି ବିକ୍ରୟ, ବନ୍ଧକ କିମ୍ବା ହସ୍ତାନ୍ତର କରିବା ନିଷେଧ। ପ୍ରୋଭିଡେଣ୍ଟ ଫଣ୍ଡରୁ ଟଙ୍କା ଉଠାଇବା ଉପରେ ପ୍ରତିବନ୍ଧକ ରହିଛି । ବ୍ୟକ୍ତିଗତ ଜିନିଷପତ୍ର, କଳାକୃତି ଇତ୍ୟାଦି ବିକ୍ରୟ ଉପରେ ମଧ୍ୟ ନିଷେଧ ଅଛି । ୨ ଭାରତୀୟ ବ୍ୟାଙ୍କରେ ଥିବା ୩ଟି ଆକାଉଣ୍ଟରୁ ଟଙ୍କା ଉଠାଣ ନିଷେଧ । ବିଦେଶୀ ବ୍ୟାଙ୍କ ଆକାଉଣ୍ଟ ଏବଂ କ୍ରିପ୍ଟୋକରେନ୍ସି ପରିଚାଳନା ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଛି।
ପ୍ରକାଶ ଯେ, ସଞ୍ଜୟ କପୁରଙ୍କ ମୃତ୍ୟୁ ୧୨ ଜୁନ୍ ୨୦୨୫ରେ ହୋଇଥିଲା। ସଞ୍ଜୟ ତିନି ଥର ବିବାହ କରିଥିଲେ। ତାଙ୍କର ପ୍ରଥମ ବିବାହ ଫ୍ୟାଶନ୍ ଡିଜାଇନର୍ ନନ୍ଦିତା ମହତାନୀଙ୍କ ସହ ହୋଇଥିଲା । କିନ୍ତୁ ଏହି ବିବାହ ତିଷ୍ଠି ପାରିନଥିଲା। ୨୦୦୦ ମସିହାରେ ସେମାନଙ୍କର ଛାଡପତ୍ର ହୋଇଥିଲା। ୨୦୦୩ ମସିହାରେ ତାଙ୍କର ଦ୍ୱିତୀୟ ବିବାହ କରିସ୍ମା କପୁରଙ୍କ ସହ ହୋଇଥିଲା। ଏହି ବିବାହ ୨୦୧୬ ପର୍ଯ୍ୟନ୍ତ ଚାଲିଥିଲା। ଏହି ବିବାହରୁ ତାଙ୍କର ଦୁଇଟି ସନ୍ତାନ ଥିଲେ। ୨୦୧୭ ମସିହାରେ ତାଙ୍କର ତୃତୀୟ ବିବାହ ପ୍ରିୟା ସଚଦେବଙ୍କ ସହ ହୋଇଥିଲା। ପ୍ରିୟା ଏବଂ ସଞ୍ଜୟଙ୍କର ଗୋଟିଏ ପୁଅ ଅଛି।