ନୂଆଦିଲ୍ଲୀ: ଦୀର୍ଘ ୨୭ ବର୍ଷର ବ୍ୟବଧାନ ପରେ ରାଜଧାନୀ ଦିଲ୍ଲୀକୁ ଦଖଲ କରିଛି ବିଜେପି। ଆମ୍ ଆଦମ୍ ପାର୍ଟି(ଆପ୍)ର ଦଶନ୍ଧି କାଳର ଶାସନରେ ଲାଗିଛି ବ୍ରେକ। ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆସନ ସଂଖ୍ୟା ୭୦ ଥିବା ବେଳେ ସେଥିରୁ ୪୮ ଆସନକୁ ଅକ୍ତିଆର କରିଛି ବିଜେପି। ବଜେପିର ଦିଲ୍ଲୀ ଦଖଲ ପରେ କିଏ ହେବ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ, ତାକୁ ନେଇ କଳ୍ପନା ଜଳ୍ପନା ଲାଗି ରହିଛି। ତେବେ ବିଜେପି ଦିଲ୍ଲୀରେ ଜଣେ ମହିଳା ପାର୍ଥୀଙ୍କୁ ମୁଖ୍ୟମନ୍ତ୍ରୀ କରିବ ବୋଲି ସୂଚନା ମିଳିଛି।
ଦିଲ୍ଲୀର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ନବନିର୍ବାଚିତ ବିଧାୟକ ମାନଙ୍କ ମଧ୍ୟରୁ ଜଣେ ହେବେ। ଖାସ୍ କରି ଜଣେ ମହିଳା ବିଧାୟକ ପାର୍ଥୀଙ୍କୁ ଦଳ ମୁଖ୍ୟମନ୍ତ୍ରୀ ପଦରେ ବସାଇବ ବୋଲି ସୂଚନା ରହିଛି।
ଏହାସହ ବିଜେପି, ଅଣପ୍ରତିନିଧି ପୃଷ୍ଠଭୂମିରୁ ଆସିଥିବା ଜଣେ ଉପମୁଖ୍ୟମନ୍ତ୍ରୀଙ୍କୁ ନିଯୁକ୍ତି ଦେବା ବିଷୟରେ ମଧ୍ୟ ବିଚାର କରୁଛି। ନୂତନ ମନ୍ତ୍ରିମଣ୍ଡଳରେ ମହିଳା ଏବଂ ପଛୁଆ ବର୍ଗଙ୍କ ପ୍ରତିନିଧିତ୍ୱ ଅଧିକ ରହିବ ବୋଲି ଆଶା କରାଯାଉଛି।
ବିଜେପି ପକ୍ଷରୁ ଲଢିଥିବା ୪ ଜଣ ମହିଳା ପାର୍ଥୀ ଦିଲ୍ଲୀ ଆସନକୁ ଜିତିବାରେ ପ୍ରମୁଖ ଭୁମିକା ଗ୍ରହଣ କରିଛନ୍ତି। ଶାଲିମାର ବାଗ ଅଞ୍ଚଳରେ ବିଜେପି ପାଇଁ ଲଢୁଥିବା ରେଖାଗୁପ୍ତାଙ୍କୁ ମୋଟ ୬୮,୨୦୦ ଖଣ୍ଡ ଭୋଟ ମିଳିଥିବା ବେଳେ ସେ ଆପ୍ ପାର୍ଥୀ ବନ୍ଦନା କୁମାରୀଙ୍କୁ ୨୯,୫୯୫ ଖଣ୍ଡ ଭୋଟରେ ହରାଇଛନ୍ତି।
ସେହିପରି ଗ୍ରେଟର କୈଳାସରୁ ବିଜେପି ପକ୍ଷରୁ ଲଢୁଥିବା ଶିଖା ରୟ ମୋଟ ୪୯,୫୯୪ ଭୋଟ ହାତେଇଥିବା ବେଳେ ସେ ଆପ୍ ଦଳର ହେବିୱେଟ ନେତା ସୌରଭ ଭରଦ୍ୱଜଙ୍କୁ ୩,୧୮୮ ଖଣ୍ଡ ଭୋଟରେ ହରାଇଛନ୍ତି। ଅନ୍ୟପଟେ ୱାଜିରପୁରରୁ ଲଢୁଥିବା ପୁନମ ଶର୍ମା ୫୪,୭୨୧ ଖଣ୍ଡ ଭୋଟ ହାତେଇଥିବା ବେଳେ ସେ ଆପ୍ ର ରାଜେଶ ଗୁପ୍ତାଙ୍କୁ ୧୧,୪୨୫ ଖଣ୍ଡ ଭୋଟରେ ହରାଇଥିବା ନେଇ ସୂଚନା ମିଳିଛି। ସେହିପରି ନଜାଫଗଡରୁ ବିଜେପି ପକ୍ଷରୁ ଲଢୁଥିବା ନିଲମ ପେହେଲୱାନ ମୋଟ ୧,୦୧,୭୦୮ ଖଣ୍ଡ ଭୋଟ ହାତେଇଥିବା ବେଳେ ଆପର ତରୁଣ କୁମାରଙ୍କୁ ୨୯,୦୦୯ ଖଣ୍ଡ ଭୋଟ ବ୍ୟବଧାନରେ ହରେଇଛନ୍ତି।
ଦେଖିବାକୁ ଗଲେ ନୂଆଦିଲ୍ଲୀ ଆସନରୁ ଲଢୁଥିବା ପରବେଶ ବର୍ମାଙ୍କ ବିଜୟ ବିଜେପିର ଖୁସିକୁ ଦ୍ୱିଗୁଣିତ କରିଦେଇଥିଲା। କାରଣ ଏହି ଆସନରେ ସେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପରାସ୍ତ କରିଛନ୍ତି। କେଜ୍ରିୱାଲ ୨୦୧୩ ମସିହାରୁ ଏହି ଆସନରୁ ବିଜୟୀ ହୋଇ ଆସୁଥିଲେ। ପରବେଶ ବର୍ମାଙ୍କ ଏହି ବିଜୟ ଦିଲ୍ଲୀରେ ଆପ୍ ଶାସନର ପ୍ରତୀକାତ୍ମକ ଅନ୍ତ ଘଟାଇଥିଲା।