ନୂଆଦିଲ୍ଲୀ,୨୨/୦୫; ଦେଶରେ ଏବେ ଖଇଫୁଟା ତାତି । ଦିନରେ ଛଟପଟ କରୁଛି ଗରମ । ରାତିରେ ଶାନ୍ତିରେ ଶୋଇ ହେଉନାହିଁ । ଜାତୀୟ ରାଜଧାନୀ ଦିଲ୍ଲୀର ତାପମାତ୍ରା ୪୫ ଡିଗ୍ରୀ ସେଲସିୟସ ରହିଛି । ଦେଶର ବିଭିନ୍ନ ଅଞ୍ଚଳରେ ପ୍ରବଳ ଗ୍ରୀଷ୍ମଲହରି ଜାରି ରହିଛି । ଭାରତୀୟ ପାଣିପାଗ ବିଭାଗ ଏକ ଗ୍ରୀଷ୍ମ ପ୍ରବାହ ସୂଚନା ଜାରି କରିଛି । ପ୍ରତିବର୍ଷ ଏପ୍ରିଲ ଓ ମେ ମାସରେ ଅତ୍ୟଧିକ ଗରମ ଅନୁଭୂତ ହେଉଥିବା ବେଳେ ଚଳିତବର୍ଷ ପୂର୍ବାପେକ୍ଷା ଅଧିକ ଉତ୍ତାପ ଦେଖାଯାଉଛି । ମେ' ମାସରେ, ଭାରତ ଏକକାଳୀନ ଦୁଇଟି ଭିନ୍ନ ଋତୁ ଅନୁଭବ କରୁଛି । ଦିଲ୍ଲୀ-ଏନସିଆର, ମଧ୍ୟପ୍ରଦେଶ, ଉତ୍ତର ପ୍ରଦେଶ, ବିହାର, ରାଜସ୍ଥାନ ଏବଂ ଛତିଶଗଡ଼ ସମେତ ଉତ୍ତର ଭାରତର ଅଧିକାଂଶ ରାଜ୍ୟରେ ଖଇଫୁଟା ତାତି ଅନୁଭୁତ ହେଉଛି । ପ୍ରବଳ ଗରମ ଲୋକଙ୍କୁ ଜଳାଉଛି । ଏହି ସମୟରେ ଜମ୍ମୁ କାଶ୍ମୀର ଏବଂ ହିମାଚଳ ପ୍ରଦେଶର ଉଚ୍ଚ ପର୍ବତମାଳାରେ ବରଫ ଆଚ୍ଛାଦିତ ହୋଇଛି । ଥଣ୍ଡା ପାଗ ରହିଛି ।
ଗୁରୁବାର ଜମ୍ମୁ ଏବଂ କାଶ୍ମୀରର ଅନେକ ଅଞ୍ଚଳରେ ତୁଷାରପାତ ହୋଇଥିଲା । ସମତଳ ଅଞ୍ଚଳରେ ଆଜି ତାରିଖ ସକାଳ ଠାରୁ ବର୍ଷା ହେଉଛି । ଫଳରେ ତାପମାତ୍ରା ହ୍ରାସ ପାଇଛି । ଉତ୍ତର କାଶ୍ମୀରର ବାନ୍ଦିପୋରା ଜିଲ୍ଲାର ଗୁରେଜ ସେକ୍ଟର, ଜୋଜିଲା ପାସ୍ ଏବଂ ସୋନମାର୍ଗରେ ତୁଷାରପାତ ହୋଇଛି। ଉପତ୍ୟକାର ଅନେକ ଉଚ୍ଚ ପର୍ବତ ମଧ୍ୟ ତୁଷାରପାତ ହୋଇଛି । ଶ୍ରୀନଗରର ଅନେକ ଅଞ୍ଚଳରେ କ୍ରମାଗତ ଭାବରେ ବର୍ଷା ହେଉଛି । ପାଣିପାଗ ବିଭାଗ ଅନୁଯାୟୀ, ଶୁକ୍ରବାର ଦିନ ଅନେକ ସ୍ଥାନରେ ହାଲୁକା ବର୍ଷା, ଘଡ଼ଘଡ଼ି, ପ୍ରବଳ ପବନ ଏବଂ କୁଆପଥର ହେବାର ସମ୍ଭାବନା ରହିଛି । ମେ ୨୫ ତାରିଖ ପର୍ଯ୍ୟନ୍ତ ସକାଳେ ପାଗ ସ୍ୱାଭାବିକ ରହିବ କନ୍ତି ଅପରାହ୍ନରେ କିଛି ଅଞ୍ଚଳରେ ହାଲୁକା ବର୍ଷା ହୋଇପାରେ ।
ପାଣିପାଗ ବିଭାଗ ଶୁକ୍ରବାର, ମେ ୨୨ ତାରିଖରେ ହିମାଚଳ ପ୍ରଦେଶର ଚମ୍ବା, କାଙ୍ଗଡ଼ା, କୁଲୁ, ମଣ୍ଡି ଏବଂ ସିମଲା ଜିଲ୍ଲାରେ ପ୍ରବଳ ଝଡ଼ବର୍ଷା, ବିଜୁଳି, ଶିଳାବୃଷ୍ଟି ଏବଂ ଘଣ୍ଟାପ୍ରତି ୪୦-୫୦ କିମି ବେଗରେ ପବନ ବହିବ । ଅରେଞ୍ଜ ଆଲର୍ଟ ମଧ୍ୟ ଜାରି ହୋଇଛି । ମେ ୨୨ ଏବଂ ୨୩ ତାରିଖରେ ଅନ୍ୟ କିଛି ଜିଲ୍ଲା ପାଇଁ ଏକ ହଳଦିଆ ଆଲର୍ଟ ଜାରି କରାଯାଇଛି । ପାଣିପାଗ ବିଭାଗ ୨୨ ରୁ ୨୬ ତାରିଖ ପର୍ଯ୍ୟନ୍ତ ଉଚ୍ଚ ସ୍ଥାନରେ ବିକ୍ଷିପ୍ତ ବର୍ଷା କିମ୍ବା ତୁଷାରପାତ ହେବାର ପୂର୍ବାନୁମାନ କରିଛି । ଉତ୍ତର ଭାରତର ପାର୍ବତ୍ୟାଞ୍ଚଳଗୁଡ଼ିକ ସୁଖଦ ଏବଂ ମନୋରମ ପାଗ ଅନୁଭବ କରୁଛନ୍ତି। କାଶ୍ମୀର ଉପତ୍ୟକା, ଉତ୍ତରାଖଣ୍ଡ ଏବଂ ହିମାଚଳର ଉଚ୍ଚ ଅଞ୍ଚଳରେ ବର୍ଷା ଏବଂ ତୁଷାରପାତ ପରିଲକ୍ଷିତ ହୋଇଛି । ହେଲେ ଦିଲ୍ଲୀ ଏନସିଆର ସମେତ ଅନେକ ରାଜ୍ୟରେ ପ୍ରବଳ ଗରମ ଅନୁଭୂତ ହୋଇଛି । ପାଣିପାଗ ବିଶେଷଜ୍ଞଙ୍କ ମତରେ, ଉତ୍ତର ଭାରତର ସମତଳ ଅଞ୍ଚଳରେ ଗରମ ଲହର ପ୍ରଭାବ ବୃଦ୍ଧି ପାଇଛି। ରାଜସ୍ଥାନରୁ ଆସୁଥିବା ଗରମ ଏବଂ ଶୁଷ୍କ ପବନ ଦିଲ୍ଲୀ-ଏନସିଆରକୁ ଜଳାଉଛି । ଏହି ସମୟରେ ଉଚ୍ଚତା ହେତୁ ହିମାଳୟ ଅଞ୍ଚଳରେ ତାପମାତ୍ରା କମ୍ ରହିଛି। ପଶ୍ଚିମୀ ବିଶୃଙ୍ଖଳା ଯୋଗୁଁ ଉଚ୍ଚତାରେ ତୁଷାରପାତ ଏବଂ ବର୍ଷା ହେଉଛି ।
ଏହା ବି ପଢନ୍ତୁ...Low Pressure Zone: ଭିଜିବ ଓଡ଼ିଶା, ତାତିରୁ ମିଳିବ ମୁକ୍ତି, ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା, ୨୮ ଓ ୨୯ରେ ହୋଇପାରେ ବର୍ଷା
ଭାରତରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ପଛରେ କାରଣ କଣ ? ଏହାର ମୁଖ୍ୟ କାରଣ ହେଉଛି ପ୍ରଶାନ୍ତ ମହାସାଗରରେ ଏଲ୍ ନିନୋ ଅବସ୍ଥାର ବିକାଶ । ଏହା ମେ ଏବଂ ଜୁଲାଇ ମଧ୍ୟରେ ଆରମ୍ଭ ହେବାର ଆକଳନ କରାଯାଇଥିଲା । ପାଣିପାଗ ବିଶେଷଜ୍ଞମାନେ ଭାରତୀୟ ଉପମହାଦେଶରେ କମ୍ ଆଦ୍ରତା ଓ ପ୍ରାକ୍ ମୌସୁମୀ ଉତ୍ତାପ ବୃଦ୍ଧିର ସୂଚନା ଦେଇଛନ୍ତି । ଭାରତରେ ଏଲ୍ ନିନୋ କଠୋର ଋତୁ ଓ ଦୁର୍ବଳ ମୌସୁମୀ ସହିତ ଜଡ଼ିତ । ଅନ୍ୟ ଏକ କାରଣ ହେଉଚି ବେସଲାଇନ୍ ତାପମାତ୍ର ବୃଦ୍ଧି । ଯାହା ୧୯୬୧ରୁ ଦେଖା ଯାଉଛି ।