କଟକ, ୨୩/୦୭: ଶ୍ରାବଣ ମାସ ଚାଲିଛି । ଅନେକ କାଉଡ଼ିଆ ଜଳାଭିଷେକ ପାଇଁ ପାଣି ଭାର ନେଇ ଯାଉଛନ୍ତି । ଏଣୁ ମାସ ବ୍ୟାପୀ ନିରାମିଷ ଆହାର ଗ୍ରହଣ କରୁଛନ୍ତି । କେତେକ ଶ୍ରଦ୍ଧାଳୁ ଖାଦ୍ୟରେ ପିଆଜ ଓ ରସୁଣକୁ ବାଦ୍‌ ମଧ୍ୟ ଦେଉଛନ୍ତି । ତେଣୁ ଆମିଷ ବଜାର ପୁରା ମାନ୍ଦା ପଡ଼ିଛି । ପୂର୍ବପରି ସହରକୁ ଯେତିକି ମାଛ ଗାଡ଼ି ଆସିବା କଥା ସେତେ ମାତ୍ରାରେ ଆସୁନାହିଁ । କିନ୍ତୁ ମାଛର ଦର ସମାନ ରହିଛି । ବଡ଼ ମାଛ କିଲୋ ପିଛା ୨ଶହ ଟଙ୍କାରେ ବିକ୍ରି ହେଉଛି । କିନ୍ତୁ ମଟନ ଓ କୁକୁଡ଼ା ମାଂସ ମୂଲ୍ୟ କମିଛି । 

ମାଂସ କିଲୋ ପିଛା ଶହେ ଟଙ୍କା ଓ କୁକୁଡ଼ା ମାଂସ ୫୦ ଟଙ୍କା କମିଥିବା ବ୍ୟବସାୟୀମାନେ କହିଛନ୍ତି । ଅର୍ଥାତ୍‌ ଛେଳି ମାଂସ କିଲୋ ୭ ଶହ ଓ କୁକୁଡ଼ା ମାଂସ ଦେଢ଼ଶହ ଟଙ୍କା ରହିଛି । ଏହାସତ୍ତେ୍ୱ ଆମିଷ ବାରରେ ଆମିଷ ବଜାର ଭିଡ଼ କମିଛି । ବେପାର ଭଲ ହେଉ ନ ଥିବା କିଛି ବ୍ୟବସାୟୀ କହିଛନ୍ତି । କୁକୁଡ଼ା ମାଂସ ବ୍ୟବସାୟୀ ଆବିଦ୍‌ ଖାନ୍‌ କହିଛନ୍ତି, ପ୍ରତି ଆମିଷ ବାରରେ ତାଙ୍କ ଦୋକାନକୁ ୨ଟି ଗାଡ଼ିରେ ୩୦ କ୍ୱିଣ୍ଟାଲ୍‌ କୁକୁଡ଼ା ଆସେ । ପ୍ରାୟ ୨୦ କ୍ୱିଣ୍ଟାଲ୍‌ ଚିକେନ୍‌ ବିକ୍ରି ହୁଏ । ଏବେ ଏହି ପରିମାଣ ଖସି ମାତ୍ର ୬ କ୍ୱିଣ୍ଟାଲ୍‌ ମାଂସ ବିକ୍ରି ହେଉଛି । ପୂର୍ବରୁ ଚିକେନ୍‌ କିଲୋ ପ୍ରତି ୨୦୦ ଟଙ୍କା ଥିବା ବେଳେ ଏବେ ୧୫୦ ଟଙ୍କା ରହିଛି । ଚିକେନ୍‌ର ରେଟ୍‌ କମିଛି ସତ ହେଲେ ପୂର୍ବପରି ବେପାର ହେଉନାହିଁ । 

ପ୍ରତି ବୁଧବାର, ଶୁକ୍ରବାର ଓ ରବିବାର ଦୋକାନ ଆଗରେ ଗ୍ରାହକମାନଙ୍କର ଭିଡ଼ ଜମୁଥିଲା । ଏବେ ବେପାର ପୂରା ମାନ୍ଦା ଥିବା ସେ ସ୍ୱୀକାର କରିଛନ୍ତି । ସେହିପରି ଛେଳି ମାଂସ ବ୍ୟବସାୟୀ ସେକ୍‌ ଆକିମ୍‌ଙ୍କ କହିବା କଥା ଆମିଷ ବାରରେ ସେ ପୂର୍ବରୁ ଏକ କ୍ୱିଣ୍ଟାଲ୍‌ରୁ ଅଧିକ ମଟନ୍‌ ବିକ୍ରି କରୁଥିଲେ । କିନ୍ତୁ ଏବେ ତିନୋଟି ବାରକୁ ମିଶେଇ ୨୦ରୁ ୩୦ କିଲୋ ମଟନ୍‌ ବିକ୍ରି କରିବା କଷ୍ଟକର ହୋଇପଡ଼ୁଛି । ପୂର୍ବରୁ ମଟନ୍‌ କିଲୋ ପିଛା ୮୦୦ ଟଙ୍କା ଥିବା ବେଳେ ଶ୍ରାବଣ ମାସ ପାଇଁ ଏହା ୭୦୦ ଟଙ୍କାକୁ ଖସି ଆସିଛି । ଏହାସତ୍ତେ୍ୱ ଗ୍ରାହକଙ୍କ ସଂଖ୍ୟା କମିଛି । ସେହିପରି ପ୍ରତ୍ୟେକ ଦିନ ସହରକୁ ଆନ୍ଧ୍ରପ୍ରଦେଶ, ଭୁବନେଶ୍ୱର କୌଶଲ୍ୟାଗଙ୍ଗ ଓ ବାଲୁଗାଁରୁ ୧୫ଟି ବଡ଼ ଟ୍ରକ୍‌ରେ ପ୍ରାୟ ଦେଢ଼ ଶହ ଟନ୍‌ ବିଭିନ୍ନ ପ୍ରକାରର ମାଛ ଆସେ । କିନ୍ତୁ ଏବେ ମାତ୍ର ୮ଟି ଗାଡ଼ିରେ ପାଖାପାଖି ୬୦ରୁ ୭୦ ଟନ୍‌ର ମାଛ ଆସୁଛି । ଏରସମା, ପାରଦୀପ ଓ ବାଲେଶ୍ୱରରୁ ୪ଟି ବଡ଼ ପିକ୍‌ଅପ୍‌ ଭ୍ୟାନ୍‌ରେ ୨ ଟନ୍‌ରୁ ଅଧିକ ଚିଙ୍ଗୁଡ଼ି କଟକକୁ ବିକ୍ରି ହେବାକୁ ଆସେ । ଏବେ ମାତ୍ର ୧ ଟନ୍‌ ଚିଙ୍ଗୁଡ଼ି ଆସୁଛି ବୋଲି ମାଛ ବ୍ୟବସାୟୀମାନେ କହିଛନ୍ତି ।