ଭୁବନେଶ୍ବର: ଦେଶର ଯୁବପିଢ଼ିଙ୍କ ପାଇଁ ବଡ଼ ଅପିଲ୍ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । କହିଲେ, ମୁଁ ବିଗତ ୪ ଦଶନ୍ଧିରୁ ଅଧିକ ସମୟ ଧରି ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ଶିକ୍ଷା ସୁଧାର ପାଇଁ ସମର୍ପିତ ରହିଆସିଛି । ମୋର ସଦାସର୍ବଦା ଏହି ବିଶ୍ୱାସ ରହିଛି ଯେ, ଗୋଟିଏ ସଶକ୍ତ, ସମାବେଶୀ ଏବଂ ଦୂରଦର୍ଶୀ ଶିକ୍ଷା ବ୍ୟବସ୍ଥା ହିଁ ଗୋଟିଏ ସଶକ୍ତ ରାଷ୍ଟ୍ରର ଆଧାରଶୀଳା ।

ମୁଁ ଦେଶର ଯୁବପିଢ଼ିଙ୍କ ଆକାଂକ୍ଷା, ଭାବନା ଏବଂ ସେମାନଙ୍କର ନ୍ୟାୟୋଚିତ ଅପେକ୍ଷାକୁ ଗଭୀର ସମ୍ମାନ କରେ । ଭାରତର ଯୁବପିଢ଼ିଙ୍କ ସ୍ୱପ୍ନକୁ ସାକାର କରିବା ଆମ ସମସ୍ତଙ୍କ ରାଜନୈତିକ ଏବଂ ସାମାଜିକ ଜୀବନର ନୈତିକ ସଂକଳ୍ପ ରହିଆସିଛି । ଆଦରଣୀୟ ପ୍ରଧାନମନ୍ତ୍ରୀ ଜୀଙ୍କ ଦୂରଦର୍ଶୀ ନେତୃତ୍ୱରେ ରାଷ୍ଟ୍ରର ସେବା କରିବାର ଯେଉଁ ସୁଯୋଗ ମୋତେ ମିଳିଛି, ସେଥିପାଇଁ ମୁଁ ପ୍ରଧାନମନ୍ତ୍ରୀ ଜୀଙ୍କୁ କୃତଜ୍ଞତା ଜଣାଉଛି ।

କିନ୍ତୁ ୩ ମଇ ୨୦୨୬ରେ ହୋଇଥିବା NEET-UG ପରୀକ୍ଷାରେ ଅନିୟମିତତା ନଜରକୁ ଆସିଥିଲା। ଭାରତ ସରକାର ତୁରନ୍ତ ଏହାକୁ ଗୁରୁତ୍ୱର ସହ ନେଇ ତଦନ୍ତ ଭାର CBIକୁ ହସ୍ତାନ୍ତର କଲେ, ପରୀକ୍ଷାକୁ ବାତିଲ କଲେ ଏବଂ ପୁନଃ ପରୀକ୍ଷାର ତାରିଖ ଘୋଷଣା କଲେ । ଏହା ସହିତ ଆସନ୍ତା ବର୍ଷ ଠାରୁ ଏହି ପରୀକ୍ଷାକୁ CBT (Computer-based-test) ମୋଡ୍ରେ କରାଇବାକୁ ନିଷ୍ପତ୍ତି ନିଆଗଲା।

ଏହି ସମୟ ମଧ୍ୟରେ ଆମର ମୁଖ୍ୟ ପ୍ରାଥମିକତା ଥିଲା ଯେ, ୨୦ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଯେପରି ସୁଚାରୁରୂପେ ଆୟୋଜିତ ହୋଇପାରିବ । ଏଥିପାଇଁ Whole of Government Approach ଅଧୀନରେ କାମ କରାଗଲା । ଏଥିରେ ଭାରତ ସରକାରଙ୍କ ସହିତ ରାଜ୍ୟ ସରକାର, ବିଶେଷକରି ଜିଲ୍ଲା ପ୍ରଶାସନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା । ଏହା ସହିତ ଛାତ୍ରଛାତ୍ରୀ, ଅଭିଭାବକ ଏବଂ ପିତାମାତାଙ୍କ ସହଯୋଗରେ ୨୧ ଜୁନ୍ ୨୦୨୬ରେ ଏହି ପରୀକ୍ଷା ସମ୍ପୂର୍ଣ୍ଣ ହେଲା।

ପ୍ରଥମ ଦିନରୁ ହିଁ, ଏହା ଉପରେ ମୁଁ ନିଜେ ଦାୟିତ୍ୱ ନେଲି ଏବଂ ଏହି ପରିସ୍ଥିତିରୁ କେବେହେଲେ ମୁହଁ ଫେରାଇ ନାହିଁ । ମୋର ଏହି ସଂକଳ୍ପ ଥିଲା ଯେ, ଆମେ କୌଣସି ବି ମେଧାବୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ପରୀକ୍ଷା ମାଫିଆଙ୍କ ଯୋଗୁଁ ନଷ୍ଟ ହେବାକୁ ଦେବୁ ନାହିଁ ଏବଂ କୌଣସି ଛାତ୍ରଛାତ୍ରୀଙ୍କ ସହ ଅନ୍ୟାୟ ହେବାକୁ ଦେବୁ ନାହିଁ ।

୧୬ ଜୁଲାଇରେ ଘୋଷିତ ନିଟ୍-ୟୁଜି ଫଳାଫଳ ସନ୍ତୋଷଜନକ ରହିଥିଲା, ଯେଉଁଥିରେ ଗରିବ ପୃଷ୍ଠଭୂମିରୁ ଆସିଥିବା ଅନେକ ମେଧାବୀ ଛାତ୍ରଛାତ୍ରୀଙ୍କୁ ମଧ୍ୟ ସଫଳତା ମିଳିଛି । କିନ୍ତୁ ଏହି ସମୟ ମଧ୍ୟରେ ମଧ୍ୟ ଅନେକ ଛାତ୍ରଛାତ୍ରୀଙ୍କୁ ବିଭ୍ରାନ୍ତ କରିବା ପାଇଁ ଦାୟିତ୍ୱପୂର୍ଣ୍ଣ ପଦବୀରେ ବସିଥିବା ବ୍ୟକ୍ତିବିଶେଷ ବାଧା ସୃଷ୍ଟି କରିବାକୁ ଚେଷ୍ଟା କଲେ, ଯାହା ଦ୍ୱାରା ମନ ଅତ୍ୟନ୍ତ ବ୍ୟଥିତ ହେଲା ।

ମୁଁ ସଦାସର୍ବଦା ଆମ ଗଣତନ୍ତ୍ରର ଶକ୍ତି ଉପରେ ଅଟଳ ବିଶ୍ୱାସ ରଖିଆସିଛି ଏବଂ ଯୁବପିଢ଼ିଙ୍କ ଆକାଂକ୍ଷା, ସ୍ୱପ୍ନ ଓ ଅପେକ୍ଷାକୁ ଗଭୀର ସମ୍ମାନ କରିଆସିଛି । ସେମାନେ କେବଳ ଭାରତର ଭବିଷ୍ୟତ ନୁହଁନ୍ତି, ବରଂ ଏକ ନୂତନ ଓ ବିକଶିତ ଭାରତର ବାହକ, ନିର୍ମାତା ଏବଂ ଭବିଷ୍ୟତର ଶିଳ୍ପକାର ମଧ୍ୟ ଅଟନ୍ତି ।

ବିଗତ ୧୦ ଦିନର ଘଟଣାକ୍ରମ ଦେଖି ମୋ ମନ ଦୁଃଖିତ ଅଛି । ଏହା ମୋ ପାଇଁ ବ୍ୟକ୍ତିଗତ ପ୍ରତିଷ୍ଠାର ବିଷୟ ନୁହେଁ । ଭାରତର ଯୁବଶକ୍ତି ହିଁ ଏହି ଦେଶର ପ୍ରକୃତ ଶକ୍ତି । ଦେଶର ଯୁବଶକ୍ତିଙ୍କୁ ଭ୍ରମର କୁଚକ୍ରରେ ଫସିବାକୁ ଦେବୁ ନାହିଁ, ଏହା ହିଁ ମୋର ସଂକଳ୍ପ ।

ଯନ୍ତର-ମନ୍ତରରେ ଏବଂ ଦେଶରେ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି, ଏହାର ଫାଇଦା ଯେପରି ରାଷ୍ଟ୍ରବିରୋଧୀ ଶକ୍ତିମାନେ ନ ଉଠାନ୍ତୁ, ଦେଶର ଏକତା ବଜାୟ ରହୁ, ଭାରତର ଜଣେ ହେଲେ ବି ବିଦ୍ୟାର୍ଥୀଙ୍କ ଭବିଷ୍ୟତ ଆଇନଗତ ଜଟିଳତା ମଧ୍ୟରେ ନ ଫସୁ, ଆମ ପିଲାମାନେ ସେମାନଙ୍କ ସମୟ ପଢ଼ାପଢ଼ିରେ ଲଗାନ୍ତୁ ଏବଂ କ୍ୟାରିୟର ଗଢ଼ିବା ଉପରେ ଫୋକସ୍ କରନ୍ତୁ, ଏହି କଥାକୁ ବିଚାର କରି ମୁଁ ମୋର ଇସ୍ତଫା ପତ୍ର ମାନ୍ୟବର ପ୍ରଧାନମନ୍ତ୍ରୀ ଜୀଙ୍କ ପାଖକୁ ପଠାଇ ଦେଇଛି ।

ମୁଁ ଆଦରଣୀୟ ପ୍ରଧାନମନ୍ତ୍ରୀ ଜୀଙ୍କ ମାର୍ଗଦର୍ଶନ, ବିଶ୍ୱାସ ଏବଂ ନିରନ୍ତର ସହଯୋଗ ପାଇଁ ହାର୍ଦ୍ଦିକ କୃତଜ୍ଞତା ପ୍ରକାଶ କରୁଛି । ଏହା ସହିତ ମନ୍ତ୍ରୀ ପରିଷଦର ମୋର ସମସ୍ତ ସମ୍ମାନିତ ସହଯୋଗୀ, ମନ୍ତ୍ରାଳୟର ଅଧିକାରୀ ଓ କର୍ମଚାରୀ ଏବଂ ସେହି ସମସ୍ତ ବ୍ୟକ୍ତିବିଶେଷଙ୍କୁ ମଧ୍ୟ କୃତଜ୍ଞତା ପ୍ରକାଶ କରୁଛି, ଯାହାଙ୍କ ସହ ମୋତେ କାର୍ଯ୍ୟ କରିବାର ସୌଭାଗ୍ୟ ମିଳିଥିଲା । ରାଷ୍ଟ୍ରସେବା ମୋ ଜୀବନର ସର୍ବୋଚ୍ଚ ପ୍ରାଥମିକତା, ମୁଁ ଏହା ପାଇଁ ସଦାସର୍ବଦା ସମର୍ପିତ ରହିବି । ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରୁ ମୁଁ ଭବିଷ୍ୟତରେ ମଧ୍ୟ ଭାରତ ମାତା, ଓଡ଼ିଶାର ଜନସାଧାରଣ ତଥା ଦେଶର ଯୁବପିଢ଼ିଙ୍କ ଆକାଂକ୍ଷା ପୂରଣ ପାଇଁ ସବୁ ସମ୍ଭବ ନିଜକୁ ସମର୍ପିତ ରଖିବି ।

ଏହାସହ ପଢ଼ନ୍ତୁ : Dharmendra Pradhan : କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା, ପ୍ରଧାନମନ୍ତ୍ରୀଙ୍କୁ ଜଣାଇଲେ କୃତଜ୍ଞତା