ଦିଗପହଣ୍ଡି, ୦୭/୦୭: ଗଞ୍ଜାମ  ଜିଲ୍ଲା ଦିଗପହଣ୍ଡି ବ୍ଲକ୍‌ରେ ବ୍ୟାପିଲା ଝାଡ଼ାବାନ୍ତି । ଏହି ବ୍ଲକ୍‌ ଅଧୀନ ଏସ୍‌.  ଟିକରପଡ଼ା ପଞ୍ଚାୟତ ଉସ୍ତପଲ୍ଲୀ ଗାଁରେ  ଝାଡ଼ାବାନ୍ତି ଅଣାୟତ୍ତ ହୋଇପଡ଼ିଛି ।  ଏଥିରେ ଜଣଙ୍କ ମୃତ୍ୟୁ ହୋଇଛି ।  ମୃତକ ଗାଁର ଦାସ ଶବର(୬୦) ।  ଅନ୍ୟ ୯ ଜଣ ଗୁରୁତର ହୋଇଛନ୍ତି । ଆକ୍ରାନ୍ତମାନେ ବ୍ରହ୍ମପୁର ବଡ଼  ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି ।  ଝାଡ଼ାବାନ୍ତି ବ୍ୟାପିବାର କାରଣ ସମ୍ପର୍କରେ  ସ୍ପଷ୍ଟ ହୋଇନି । ପାଣି ଓ ଖାଦ୍ୟ ନମୁନା  ପରୀକ୍ଷା ପାଇଁ ପଠାଯାଇଛି । 

ଗତ ୫ ଦିନ ହେଲା ଗାଁରେ ଝାଡ଼ାବାନ୍ତିର ପ୍ରକୋପ ଦେଖାଦେଇଛି । ଗାଁରେ ଜଣକ ପରେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହେଉଛନ୍ତି । କେତେକ ଅସୁସ୍ଥଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଛି । ସେମାନଙ୍କୁ ରବିବାର  ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ  ଭର୍ତ୍ତି କରାଯାଇଥିଲା । ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ନ ଆସିବାରୁ ୯ ଜଣଙ୍କୁ  ବ୍ରହ୍ମପୁର ବଡ଼ ଡାକ୍ତରଖାନା  ସ୍ଥାନାନ୍ତର କରାଯାଇଛି । ଆକ୍ରାନ୍ତ  ଅନିତା ଶବର(୨୨), ଦମୟନ୍ତୀ ଶବର(୨୫), କାଳୁ ଶବର(୩୫),  ରାଜେଶ ଶବର(୬), ଗୌରୀ  ଶବର(୨୨), ସୁମିତ୍ରା ଶବର(୨୫),  ସାନଖେମୁଣ୍ଡି ବ୍ଲକ୍‌ ଅନ୍ତର୍ଗତ ଚୁଡ଼ଙ୍ଗପୁର  ଗାଁର ନଳିନୀ ସେଠୀ(୩୫) ଓ  ଆମ୍ବଗାଁ ଗାଁର ପାଣ ଭୂୟାଁ(୬୦)  ପ୍ରମୁଖ ଚିକିତ୍ସାଧୀନ ଅଛନ୍ତି । 

ଝାଡ଼ାବନ୍ତି ବ୍ୟାପୁଥିବା ଜାଣିବା ପରେ ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର, ବିଡିଓ ଅନାମିକା ପାଣ୍ଡେ  ଓ ତହସିଲଦାର ସନ୍ତୋଷ ସାହୁ ଉସ୍ତପଲ୍ଲୀ ଗାଁକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । ବମକେଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀକ୍ଷକ ଡାକ୍ତର ସୁଚିସ୍ମିତା  ଚୌଧୁରୀଙ୍କ ନେତୃତ୍ୱରେ ଏକ ୫ ଜଣିଆ ଡାକ୍ତରୀଦଳ ମଧ୍ୟ  ଗାଁରେ ସ୍ଥିତି ଅନୁଧ୍ୟାନ କରିଛି । ଜଙ୍ଗଲୀ ପଶୁ ମାଂସ ଖାଇ  ଏଭଳି ହୋଇଥିବା ସନ୍ଦେହ କରାଯାଉଛି । ଦୂଷିତ ପାଣି ପିଇ ରୋଗ ବ୍ୟାପିଥିବା ଆଶଙ୍କାରେ ପାଣି ଓ ଅନ୍ୟ ଖାଦ୍ୟ ନମୁନା  ସଂଗ୍ରହ ହୋଇଛି । ପରୀକ୍ଷା ନିରୀକ୍ଷା ପରେ ରୋଗର କାରଣ  ଜଣାପଡ଼ିବ ବୋଲି ସ୍ୱାସ୍ଥ୍ୟ ବିଭାଗ ଟିମ୍‌ ସୂଚନା ଦେଇଛି । ଜନସ୍ୱାସ୍ଥ୍ୟ  ବିଭାଗ ଓ ଅନ୍ୟ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ଏ ସମ୍ପର୍କରେ  ଅବଗତ କରାଯାଇଥିବା ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର  ଡାକ୍ତର କହିଛନ୍ତି ।  ବ୍ଲକ୍‌ର ଆଭ୍ୟନ୍ତରୀଣ ଅଞ୍ଚଳରେ ରହିଛି ଏହି ଗାଁ । ଏବେ  ସୁଦ୍ଧା ସରକାରଙ୍କ ଅଧିକାଂଶ ବିକାଶମୂଳକ କାର୍ଯ୍ୟ ଏଠାରେ  ଅପହଞ୍ଚ । ପିଇବା ପାଣିର ସମସ୍ୟା ଉତ୍କଟ । ଗାଁର ପରିମଳ ଅବସ୍ଥା  ବିପର୍ଯ୍ୟସ୍ତ । ଗମନାଗମନ ମାଧ୍ୟମ ଦୟନୀୟ । ଏବେ ବର୍ଷା ଲାଗି  ରହିଛି । ଡାକ୍ତରୀଦଳ ଗାଁରେ ପହଞ୍ଚି ସତର୍କତାମୂଳକ ପଦକ୍ଷେପ  ଗ୍ରହଣ କରିଛନ୍ତି । ସମସ୍ତଙ୍କୁ ଔଷଧ ବାଣ୍ଟିବା ସହ ଗାଁର ପରିମଳ  ବ୍ୟବସ୍ଥାକୁ ସଜାଡ଼ିବା ପାଇଁ ଲୋକମାନଙ୍କୁ ପରାମର୍ଶ ଦେଇଛନ୍ତି ।

ସୂଚନାଯୋଗ୍ୟ କି, ପୂର୍ବରୁ ରାଜ୍ୟର ୯ଟି ଜିଲ୍ଲାରେ ଝାଡ଼ାବାନ୍ତି  ବ୍ୟାପିଥିଲା । ସ୍ଥିତି ନିୟନ୍ତ୍ରଣ ହୋଇପଡ଼ିଥିବାବେଳେ ଏବେ  ଗଞ୍ଜାମ ଜିଲ୍ଲାରେ ବ୍ୟାପିଛି ଝାଡ଼ାବାନ୍ତି । ଏହାକୁ ନିୟନ୍ତ୍ରଣ କରିବାକୁ  ପ୍ରଶାସନ ଆଗେଇ ଆସିଛି ।