ସୁନ୍ଦରଗଡ,୨୪/୧୨: ଆମରଣ ଅନଶନରେ ଜିଲ୍ଲା କାରାଗାର କଏଦୀ ।ନୂତନ ଜେଲରଙ୍କ ବଦଳି ଦାବି କରି ଆମରଣ ଅନଶନରେ ବସିଛନ୍ତି କଏଦୀ। ତେବେ ସୁନ୍ଦରଗଡ ଜିଲ୍ଲା କାରାଗାରରେ ଥିବା ବିଚାରଧିନ ଓ ସଜା ପାଇ ରହିଥିବା ୫୪୬ଜଣ କଏଦୀ ଗତ ୨୩ ତାରିଖ ସନ୍ଧ୍ୟାରୁ ଖାଇବା ବନ୍ଦ କରିଅନଶନରେ ବସିଥିବା ସୂଚନା ମିଳିଛି।

ଜିଲ୍ଲା କାରାଗାର କର୍ମଚାରୀ କଏଦୀମାନଙ୍କୁ ଅନଶନରୁ ନିବୃତ ରହି ଖାଇବାକୁ ବାଧ୍ୟ କରୁଥିବା ବେଳେ କଏଦୀ ଓ ଜେଲ କର୍ମଚାରୀଙ୍କ ମଧ୍ୟରେ ଠେଲା ପେଲା ହୋଇଥିଲା। ପରିସ୍ଥିତି ଅଣାୟତ ହେବାରୁ ସ୍ବତନ୍ତ୍ର ପୁଲିସ ଫୋର୍ସ ଜେଲକୁ ଡକାଯାଇଥିଲା। ଏହାରି ମଧ୍ୟରେ ଜିଲ୍ଲା କାରାଗାର ସାଇରନ ତିନି ଥର ବାଜି ସାରିଲାଣି।ଜେଲ ଭିତରେ ଦୁଇ ପ୍ଳାଟୁନ ପୁଲିସ ଫୋର୍ସ ସହ ଟାଉନ ସଦର ଥାନା ଅଧିକାରୀ ,ଏସଡିପିଓ, ଅତିରିକ୍ତ ଆରକ୍ଷୀ ଅଧିକାରୀ ରହିଛନ୍ତି।ଉପ ଜିଲ୍ଲାପାଳ କାରାଗାରକୁ ଆଜି ୧୧ ଟା ସମୟରେ ଆସି ଆନ୍ଦୋଳନରତ କଏଦୀମାନଙ୍କ ସହ ଆଲୋଚନା କରିଥିଲେ। ହେଲେ କଏଦୀମାନେ ଜିଲ୍ଲା ଜଜ ଆସିଲେ ଆଲୋଚନା ହେବ ବୋଲି ଜିଦ୍ ଧରି ବସିଥିବା ଜଣାପଡିଛି।