ନୂଆଦିଲ୍ଲୀ : କୁହାଯାଏ ଯଦି ମନ ଦୃଢ ଥିବ ତ, ଭାଗ୍ୟ ରେଖା ରାସ୍ତା ବଦଳାଇ ଦେଇ ଥାଏ। ହରିଆଣାର ଏକ ଛୋଟିଆ ଗାଁ ନିମ୍ୱିରେ ରହୁଥିବା ଦିବ୍ୟା ତନୱରଙ୍କ କାହାଣୀ ଏହି କଥାର ଜୀବନ୍ତ ଉଦାହରଣ। ଦିବ୍ୟାଙ୍କ ଏହି ଯାତ୍ରା କେବଳ ୟୁପିଏସସି ପରୀକ୍ଷାକୁ ପାସ୍ କରିବାର କାହାଣୀ ନୁହେଁ, ବରଂ ଏହା ଜଣେ ମାଆଙ୍କ ଅତୁଟ ବିଶ୍ୱାସ ଓ କେବେ ବିଫଳତାକୁ ସ୍ୱୀକାର କରିନଥିବା ତାଙ୍କ ଝିଅର ସକଳ୍ପର ଗାଥା । ଆଜି ସାରା ଦେଶରେ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ପାଇଁ ଦିବ୍ୟା ତନୱର ଏକ ରୋଲ୍ ମଡେଲ ।
ଦିଦ୍ୟାଙ୍କ ପ୍ରାରମ୍ଭିକ ଜୀବନ ଖୁବ୍ କଠିନ ଥିଲା। ୨୦୧୧ ମସିହାରେ ଯେତେବେଳେ ତାଙ୍କୁ ୮-୯ ବର୍ଷ ବୟସ ହୋଇଥିଲା, ତାଙ୍କ ପିତାଙ୍କ ଦେହାନ୍ତ ହୋଇଥିଲା। ପିତାଙ୍କ ମୃତ୍ୟୁ ପରେ ପୂରା ପରିବାର ଉପରେ ଦୁଃଖର ପାହାଡ଼ ଭାଙ୍ଗି ପଡ଼ିଲା। ଘରେ ଦିବ୍ୟା ଓ ତାଙ୍କର ତିନି ଭାଇ-ଭଉଣୀଙ୍କ ଦାୟିତ୍ୱର ବୋଝ ମାଆ ବବିତା ତନୱର ଉପରେ ରହିଲା। ଏମିତି ମୁସ୍କିଲ ପରିସ୍ଥିତିରେ ପିତାଙ୍କ ପାଠପଢାରେ ଡ଼ୋରି ଲାଗି ଯାଏ। କିନ୍ତୁ ମାଆ ସାହାସ ହରାଇ ନଥିଲେ। ସେ ନିଜ ପିଲାଙ୍କୁ ପାଠପଢାଇ ମଣିଷ କରିବାକୁ ଦିନରାତି ପରିଶ୍ରମ କଲେ,କ୍ଷେତ୍ରରେ ମୂଲ ଲାଗିଲେ ଏବଂ ରାତିରେ କପଡ଼ା ସିଲେଇର କାମ ମଧ୍ୟ କଲେ ,ଯାହାକି ପିଲାଙ୍କ ପଢା ପାଇଁ ଟଙ୍କା ଯୋଗାଡ଼ କରି ପାରିବେ।
ଦିବ୍ୟା ପାଠପଢାରେ ପିଲାଦିନୁ ହିଁ ଖୁବ୍ ପ୍ରଖର ଥିଲେ। ତାଙ୍କର ପ୍ରାରମ୍ଭିକ ପାଠପଢା ଗାଁରେ ହିଁ ସରକାରୀ ସ୍କୁଲରୁ ହୋଇଥିଲା , ଯାହାପରେ ତାଙ୍କର ଚୟନ ଜବାହର ନବୋଦୟ ବିଦ୍ୟାଳୟ ପାଇଁ ହୋଇ ଗଲା। ଏହାପରେ ସେ ସରକାରୀ ମହିଳା କଲେଜର ବିଏସସିର ଡିଗ୍ରୀ ହାସଲ କଲେ। ସ୍କୁଲ ଦିନରେ ଯେବେ ଦିବ୍ୟା ନିଜ ସ୍କୁଲର ଏକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆସିଲେ ଜଣେ ଏସଡିଏମ ଅଧିକାରୀଙ୍କୁ ଦେଖିଲେ , ତାପରେ ତାଙ୍କ ମନରେ ମଧ୍ୟ ଦେଶ ସେବା କରିବା ଓ ସମାଜରେ ସମ୍ମାନ ପାଇବାର ଇଚ୍ଛା ଜାଗ୍ରତ ହେଲା। ସେହି ଦିନ ସେ ସ୍ଥିର କରି ନେଲେ ଯେ,ସେ ବି ଦିନେ ବଡ଼ ପ୍ରଶାସନିକ ଅଧିକାରୀ ହେବେ। ନିଜ ପଢା ଖର୍ଚ୍ଚ ବାହାର କରିବାପାଇଁ ଦିବ୍ୟା ପିଲାଙ୍କୁ ଟ୍ୟୁସନ ମଧ୍ୟ କରୁଥିଲେ , ଯାହାକି ତାଙ୍କ ମାଆଙ୍କ ଉପରେ ଆର୍ଥିକ ବୋଝ କିଛି କମ ହୋଇ ପାରିବ।
ଆଜିକାଲି ଯେଉଁଠି ଲୋକେ ସିଭିଲ ସେବା ପରୀକ୍ଷାର ପ୍ରସ୍ତୁତି ପାଇଁ ଲକ୍ଷ ଲକ୍ଷ ଟଙ୍କାର ମହଙ୍ଗା କୋଚିଂ , ହାଇ-ସ୍ପିଡ୍ ଇଣ୍ଟରନେଟ୍ ଓ ବଡ଼ ବଡ଼ ଗ୍ୟାଜେଟକୁ ଆବଶ୍ୟକୀୟ ଜିନିଷ ଭାବନ୍ତି , ସେଠାରେ ଦିବ୍ୟା ଏହାର ପୂରା ଓଲଟା ରାସ୍ତା ବାଛି ଥିଲେ। ଘରେ ସ୍ଥାନ ବହୁତ କମ୍ ଥିଲା, ସମ୍ବଳ ସୀମିତ ଥିଲା, ଦିବ୍ୟା ଏକ ଛୋଟ କୋଠରୀରେ ବସି ଦିନକୁ ୧୦ ଘଣ୍ଟା କଠିନ ପରିଶ୍ରମ କରୁଥିଲେ । କୌଣସି କୋଚିଂ ବିନା, ସେ ସେଲଫ୍ ଷ୍ଟଡି ଓ ମାଗଣା ଅନଲାଇନ୍ ଷ୍ଟିଡି ମ୍ୟାଟେରିଆଲ ଦ୍ୱାରା ପ୍ରସ୍ତୁତି ଆରମ୍ଭ କଲେ । ଦିବ୍ୟା ତାଙ୍କର ଏହି ପୂରା ଅଧ୍ୟୟନ ହିନ୍ଦୀ ମାଧ୍ୟମରେ କରିଥିଲେ ଏବଂ ନିଜର ପ୍ରସ୍ତୁତିକୁ ମଜବୁତ କରିବା ପାଇଁ NCERT ବହି ଉପରେ ନିର୍ଭର କରିଥିଲେ।
୨୦୨୧ ମସିହାରେ ଦିବ୍ୟାଙ୍କ କଠିନ ପରିଶ୍ରମ ଫଳପ୍ରଦ ହୋଇଥିଲା , ଯେତେବେଳେ ସେ ୨୧ ବର୍ଷ ବୟସରେ ପ୍ରଥମ ପ୍ରୟାସରେ UPSC ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ । ସେ ସର୍ବଭାରତୀୟ ସ୍ତରରେ ୪୩୮ ସ୍ଥାନ ହାସଲ କରି ଦେଶର ସବୁଠାରୁ କମ୍ ବୟସ୍କ ମହିଳା IPS ଅଧିକାରୀଙ୍କ ମଧ୍ୟରୁ ଜଣେ ହୋଇଥିଲେ । ତାଙ୍କୁ ମଣିପୁର କ୍ୟାଡରରେ ନିଯୁକ୍ତି ଦିଆଯାଇଥିଲା ଏବଂ ସେ ତାଲିମ ଆରମ୍ଭ କରିଥିଲେ, କିନ୍ତୁ ତାଙ୍କର ଶେଷ ଲକ୍ଷ୍ୟ ଥିଲା IAS ଅଧିକାରୀ ହେବା।
ସେ ତାଙ୍କ ଡ୍ୟୁଟି ଏବଂ ଦାୟିତ୍ୱର ସହ ନିରନ୍ତର ପଢା ଜାରି ରଖିଲେ। ତାଙ୍କର ଏହି ପ୍ରୟାସ ପରବର୍ତ୍ତୀ ବର୍ଷ ସଫଳ ହୋଇଥିଲା । ଯେତେବେଳେ ସେ ତାଙ୍କର UPSC ୨୦୨୨ ର ପରୀକ୍ଷା ଫଳାଫଳରେ ଉଲ୍ଲେଖନୀୟ ଉନ୍ନତି ଆଣି, ଅଲ୍ ଇଣ୍ଡିଆ ୧୦୫ ତମ ସ୍ଥାନ ହାସଲ କରିଥିଲେ, ମାତ୍ର ୨୨ ବର୍ଷ ବୟସରେ IAS ଅଫିସର ହେବାର ସ୍ୱପ୍ନ ପୂରଣ କରିଥିଲେ ।
ଦିବ୍ୟାଙ୍କ ଅଭୂତପୂର୍ବ ସଫଳତା ପ୍ରମାଣିତ କରେ ଯେ ,ପରିସ୍ଥିତି ଯେତେ ପ୍ରତିକୂଳ ପରିସ୍ଥିତି ହେଉ, କଠିନ ପରିଶ୍ରମ ଏବଂ ସଚ୍ଚୋଟତା ନିଶ୍ଚିତ ଭାବରେ ସଫଳତା ଆଣିଥାଏ।
ଆହୁରି ମଧ୍ୟ ପଢନ୍ତୁ : ମଣିଷର ମୃତ୍ୟୁ ସମୟ କହିବ ଏହି ନୂଆ ଟୁଲ୍ ! ବୈଜ୍ଞାନିକଙ୍କ ଆଶ୍ଚର୍ଯ୍ୟକର ଆବିଷ୍କାର