ନୂଆଦିଲ୍ଲୀ : ମଣିଷର ମୃତ୍ୟୁ କେବେ ହେବ ? ଏହା ଏମିତି ଏକ ରହସ୍ୟପୂର୍ଣ୍ଣ ପ୍ରଶ୍ନ, ଯାହାର ଉତ୍ତର ଆଜି ପର୍ଯ୍ୟନ୍ତ କେହି ଦେଇ ପାରି ନାହାନ୍ତି। କିନ୍ତୁ ଏବେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ଦୁନିଆରେ ଏକ ବଡ଼ ଚମତ୍କାର ଘଟିଛି। ବୈଜ୍ଞାନିକମାନେ ଏଭଳି ଏକ ଟୁଲ୍ ବିକଶିତ କରିଛନ୍ତି, ଯାହା ମଣିଷର ଶରୀରକୁ ଦେଖି କହି ଦେବ କି, ତାର ମୃତ୍ୟୁ କେବେ ହେବ।
ହାର୍ଭାର୍ଡ ମେଡିକାଲ ସ୍କୁଲ ଏବଂ ଜାପାନର ତୋହୋକୁ ୟୁନିଭର୍ସିଟିର ଗବେଷକମାନେ ଏହି ଅଦ୍ଭୁତ ଟୁଲ୍ ବିକଶିତ କରିଛନ୍ତି, ଯାହାର ସୂଚନା ପ୍ରସିଦ୍ଧ ‘ନେଚର’ ଜର୍ଣ୍ଣାଲରେ ପ୍ରକାଶ ପାଇଛି। ଏହି ନୂଆ ଟେକ୍ନୋଲୋଜିର ନାଁ ହେଉଛି 'ଟ୍ରାନ୍ସକ୍ରିପ୍ଟୋମିକ୍ କ୍ଲକ୍' (Transcriptomic Clock)। ଏହା ମଣିଷର ଜିନୋମ୍ ଆନାଲିସିସ୍ କରି ତାର ବାୟୋଲୋଜିକାଲ୍ ବୟସ ଏବଂ ଶରୀରର କ୍ଷମତା ବିଷୟରେ ସଠିକ୍ ଅନୁମାନ କରି ପାରିବ।
ଏହି ଟୁଲ୍କୁ ତିଆରି କରିବା ପାଇଁ ବୈଜ୍ଞାନିକମାନେ ମୂଷା, ମାଙ୍କଡ଼ ଏବଂ ମଣିଷ ସହିତ ୪ଟି ଭିନ୍ନ ପ୍ରଜାତିର ପ୍ରାୟ ୧୧,୦୦୦ ଜିନ୍ ଏକ୍ସପ୍ରେସନ ପ୍ରୋଫାଇଲ୍ର ଗଭୀର ଅଧ୍ୟୟନ କରିଛନ୍ତି। ଶରୀରର ୨୫ଟି ଭିନ୍ନ ଭିନ୍ନ ଟିସୁକୁ ଯାଞ୍ଚ କରାଯାଇଛି, ଯେଉଁଥିରୁ ଜଣା ପଡିଛି ଯେ, ବୟସ ବଢ଼ିବା ସହିତ ଆମ ଶରୀରର କେଉଁ କୋଷ ଗୁଡ଼ିକ ସକ୍ରିୟ କିମ୍ବା ନିଷ୍କ୍ରିୟ ହୋଇଥା’ନ୍ତି।
ଆହୁରି ମଧ୍ୟ ପଢନ୍ତୁ : Signs Before Death : ମୃତ୍ୟୁର ୭ ଦିନ ପୂର୍ବରୁ କଣ ହୋଇଥାଏ ? ଜାଣନ୍ତୁ , କଣ କୁହେ ମେଡିକାଲ୍ ସାଇନ୍ସ
ପୂର୍ବରୁ ବୈଜ୍ଞାନିକମାନେ ବୟସ ଜାଣିବା ପାଇଁ 'ଏପିଜେନେଟିକ୍ କ୍ଲକ୍' ବ୍ୟବହାର କରୁଥିଲେ, ଯାହା ଡିଏନ୍ଏରେ ହେଉଥିବା ରାସାୟନିକ ପରିବର୍ତ୍ତନ ଉପରେ ଆଧାରିତ ଥିଲା। କିନ୍ତୁ ତାହା ସେତେ ସଠିକ୍ ନଥିଲା। ଏହି ନୂଆ 'ଟ୍ରାନ୍ସକ୍ରିପ୍ଟୋମିକ୍ କ୍ଲକ୍' ଶରୀର ଭିତରେ କ୍ରିୟାଶୀଳ ଗତିବିଧିର ଏକ ସଠିକ୍ ଚିତ୍ର ପ୍ରଦାନ କରୁଛି। ଯେଉଁ କୋଷଗୁଡ଼ିକରେ ପ୍ରଦାହ (Inflammation) ଏବଂ କୋଷ ମୃତ୍ୟୁର ଜିନ୍ ଅଧିକ ସକ୍ରିୟ ଥାଏ, ସେମାନେ ଶୀଘ୍ର ବୃଦ୍ଧାବସ୍ଥା ଆଡ଼କୁ ଗତି କରିଥାନ୍ତି।
ବରିଷ୍ଠ ଲେଖକ ଭାଦିମ ଗ୍ଲାଡିଶେଭ୍ଙ୍କ ଅନୁସାରେ, ଏହି ‘ଏଜିଂ କ୍ଲକ୍ସ’ର ଆବିଷ୍କାର ଭବିଷ୍ୟତରେ ଚିକିତ୍ସା ବିଜ୍ଞାନରେ ଏକ ବଡ଼ ବିପ୍ଳବ ଆଣିବ। ଏହା ଦ୍ୱାରା ଡାକ୍ତରମାନେ ରୋଗୀର ଜୈବିକ ବୟସ ଅନୁସାରେ ତାର ବ୍ୟକ୍ତିଗତ ଚିକିତ୍ସା କରି ପାରିବେ। ସବୁଠାରୁ ବଡ଼ ଲାଭ ଆଣ୍ଟି-ଏଜିଙ୍ଗ୍ (Anti-aging)ଔଷଧର କ୍ଲିନିକାଲ୍ ଟ୍ରାଏଲ୍ରେ ହେବ, ଯେଉଁଥି ପାଇଁ ପୂର୍ବରୁ ବର୍ଷ ବର୍ଷ ଧରି ଅପେକ୍ଷା କରିବାକୁ ପଡ଼ୁଥିଲା, ତାହା ଏବେ ଖୁବ୍ କମ୍ ସମୟ ମଧ୍ୟରେ ଜଣାପଡ଼ି ଯିବ।
ତେବେ ବୈଜ୍ଞାନିକମାନେ ସ୍ପଷ୍ଟ କରିଛନ୍ତି ଯେ, ଏହା କେବଳ ପ୍ରାକୃତିକ ମୃତ୍ୟୁ କିମ୍ବା ରୋଗ ଜନିତ ମୃତ୍ୟୁର ପୂର୍ବାନୁମାନ କରି ପାରିବ, କୌଣସି ଦୁର୍ଘଟଣାର ନୁହେଁ। ବର୍ତ୍ତମାନ ଏହା ଉପରେ ଆହୁରି ଗବେଷଣା ଚାଲିଛି।
ଆହୁରି ମଧ୍ୟ ପଢନ୍ତୁ : AI RISKS : AI ଉପରୁ ନିଜର ନିୟନ୍ତ୍ରଣ ହରାଇବେ କି ମଣିଷ ମାନେ ? ଭୟଭୀତ ନିର୍ମାତାମାନେ !