ଲଗାତାର ଲାପଟପ୍ ଚଳାଇବା ଯୋଗୁ ହାତ ଯନ୍ତ୍ରଣା ଆରମ୍ଭ ହୋଇ କିଛି ଲୋକଙ୍କ କ୍ଷେତ୍ରରେ ଏହା କ୍ରମଶଃ ସ୍ଥାୟୀ ଭାବେ ରହିଯାଏ । ଏହାକୁ କମ୍ କରିବା ପାଇଁ ଉପଯୁକ୍ତ ପୋଶ୍ଚର, ସମୟ ବ୍ୟବଧାନରେ ବ୍ରେକ୍ ଓ ବ୍ୟାୟାମ କରିବା ଆବଶ୍ୟକ । ଆଜିକାଲି ଯୁଗ ଡିଜିଟାଲ୍ ହୋଇପଡିଛି, ଯେଉଁଠାରେ ଲାପଟପ୍ ବା କମ୍ପ୍ୟୁଟର ଜୀବନର ଅଭିନ୍ନ ଅଙ୍ଗ ହୋଇପଡିଛି । ଅଫିସ୍ କାମ, ଅନ୍ଲାଇନ୍ କ୍ଲାସ୍ ଓ ପଢିବା ପାଇଁ ଲୋକମାନେ ଘଣ୍ଟା ଘଣ୍ଟା ସ୍କ୍ରିନ୍ ଆଗରେ ବସିବାକୁ ବାଧ୍ୟ ହେଉଛନ୍ତି । ଫଳରେ ହାତରେ ଯନ୍ତ୍ରଣା, ପବନ ଅଟକିବା ବା ଦୁର୍ବଳ ଲାଗିବା ପରି ସମସ୍ୟା ବଢିଥାଏ । ଲଗାତାର ଟାଇପିଂ କରିବା ସହ ମାଉସ୍ ଚଳାଇବା ଦ୍ୱାରା ମାଂସପେଶୀ ଉପରେ ଚାପ ପଡିଥାଏ । ଫଳରେ ହାତରେ ନିଷ୍କ୍ରିୟ ହେବା ସହ ଜ୍ୱଳନ ଓ ପବନ ଅଟକିବା ପରି ଅନୁଭବ ହୋଇଥାଏ । ଯଦି ଏପରି ସମସ୍ୟା ହେଉଥାଏ, ତେବେ ଆରମ୍ଭରୁ ଧ୍ୟାନ ଦିଆ ନଗଲେ ଏହା କ୍ରମଶଃ ସ୍ଥାୟୀ ରୂପେ ରହିଯାଇଥାଏ । ଶେଷରେ କାର୍ପଲ୍ ଟର୍ଣ୍ଣଲ୍ ସିଣ୍ଡ୍ରୋମ୍ ପରି ସମସ୍ୟା ସୃଷ୍ଟି କରିଥାଏ । ବରଂ ଏଭଳି ସମସ୍ୟା ଆରମ୍ଭରୁ ଡେରି ନ କରି ହାଲ୍କା ବ୍ୟାୟାମ କରିବା ଦ୍ୱାରା ହାତର ମାଂସପେଶୀକୁ ମଜଭୁତ କରିବା ସହ ଯନ୍ତ୍ରଣାକୁ ନିୟନ୍ତ୍ରଣ କରିପାରିବେ ।
କାହିଁକି ହୁଏ ହାତ ଯନ୍ତ୍ରଣା?
ଦୀର୍ଘ ସମୟ ଟାଇପିଂ କରିବା ଦ୍ୱାରା ମାଂସପେଶୀ ଉପରେ ଅଧିକ ଚାପ ପଡିଥାଏ । ଏହାଦ୍ୱାରା ହାତରେ ଯନ୍ତ୍ରଣା ହୋଇଥାଏ । ହାତ ଓ ମଣିବନ୍ଧର ଭୁଲ୍ ସ୍ଥିତି ଯୋଗୁ ମଧ୍ୟ ସ୍ନାୟୁ ଉପରେ ପ୍ରଭାବ ପଡିଥାଏ । ଫଳରେ ସ୍ନାୟୁ ଯନ୍ତ୍ରଣା ହୋଇଥାଏ । ଅଧିକ ସମୟ କାମ କରିବା ଦ୍ୱାରା ହାତକୁ ରକ୍ତ ସଞ୍ଚାଳନ କରିବା ଯୋଗୁ ମଧ୍ୟ ଯନ୍ତ୍ରଣା ଅନୁଭବ ହୋଇଥାଏ । ଲଗାତାର ଗୋଟିଏ ଶୈଳୀରେ ବସି ରହିବା ଅଭ୍ୟାସ ମାଂସପେଶୀକୁ ଶକ୍ତ କରିଦେଇଥାଏ । ଅଧିକ ସମୟ ଟାଇପିଂ କରିବା ଦ୍ୱାରା ଆଙ୍ଗୁଠି ଓ ମଣିବନ୍ଧରେ କାର୍ପଲ୍ ଟନଲ୍ ସିଣ୍ଡ୍ରୋମ୍ ସମସ୍ୟା ଦେଖା ଦେଇଥାଏ । ଫଳରେ ଆଙ୍ଗୁଳି ଓ ମଣିବନ୍ଧରେ ଝିମ୍ଝିମ୍ ହେବା ସହ ନିସ୍ତେଜ ଅନୁଭବ ହୋଇଥାଏ ।
ଟେବଲ ପ୍ରେସ୍ ବ୍ୟାୟାମ
ଟେବଲ୍ ଉପରେ ହାତକୁ ସିଧା ରଖନ୍ତୁ । ହାତକୁ ହାଲ୍କା ଭାବେ ୫ରୁ ୧୦ ସେକେଣ୍ଡ ଯାଏ ଚାପ ଦିଅନ୍ତୁ । ଏବେ ଧୀରେ ଧୀରେ ଛାଡନ୍ତୁ । ଏହକୁ ୧୦ରୁ ୧୫ ଥର ଯାଏ ଦେହରାନ୍ତୁ । ଏହି ବ୍ୟାୟାମ କରିବା ଦ୍ୱାରା ମଣିବନ୍ଧ ଓ ହାତର ମାଂସପେଶୀ ମଜଭୁତ ହୋଇଥାଏ । ହାତ ଆଙ୍ଗୁଳିର ଯନ୍ତ୍ରଣା କମିବା ସହ ହାତର ଶକ୍ତି ବଢିଥାଏ ।
ରିଷ୍ଟ ରୋଟେସନ୍ ବ୍ୟାୟାମ
ହାତକୁ ସାମ୍ନାକୁ ପ୍ରସାରିତ କରିବା ସହ ଘଣ୍ଟାକଣ୍ଟା ଦିଗରେ ଘୁରାନ୍ତୁ । ଘଣ୍ଟାକଣ୍ଟା ଦିଗରେ ୧୦ ଥର ଘୁରାଇବା ପରେ ଠିକ୍ ବିପରୀତ ଦିଗରେ ୧୦ ଥର ଘୁରାନ୍ତୁ । ଏହି ବ୍ୟାୟାମକୁ ୨ରୁ୩ ମିନିଟ୍ ଯାଏ କରନ୍ତୁ । ଏହି ବ୍ୟାୟାମ ମଣିବନ୍ଧ ଯନ୍ତ୍ରଣାକୁ କମ୍ କରିଥାଏ । ମାଂସପେଶୀକୁ ମଧ୍ୟ ମଜଭୁତ କରିଥାଏ । ଏହା କର୍ପଲ ଟନଲ୍ ସିଣ୍ଡ୍ରୋମକୁ ମଧ୍ୟ କମ୍ କରିଥାଏ ।
କ୍ଲଚ୍ ଆଣ୍ଡ୍ ରିଲିଜ୍ ବ୍ୟାୟାମ
ହାତର ମୁଠାକୁ ଜୋର୍ରେ ଚାପି ବନ୍ଦ କରନ୍ତୁ । ଏହାକୁ ୫ ସେକେଣ୍ଡ୍ ଯାଏ ରଖନ୍ତୁ । ଧୀରେ ଧୀରେ ମୁଠା ଖୋଲିବା ସହ ଆଙ୍ଗୁଳିକୁ ପ୍ରସାରିତ କରନ୍ତୁ । ଏହି ପ୍ରକ୍ରିୟାକୁ ୧୦ରୁ ୧୫ ଥର କରନ୍ତୁ । ଏପରି କରିବା ଦ୍ୱାରା କର୍ପଲ ଟନଲ୍ ସିଣ୍ଡ୍ରୋମ୍ ସମସ୍ୟା ଦୂର ହୋଇଥାଏ ।