କଟକ, ୧୨/୦୩ : ଘରୋଇ ଗ୍ୟାସ୍ ସିଲିଣ୍ଡର ଯୋଗାଣରେ କୌଣସି ପ୍ରଭାବ ପଡ଼ିବନି ବୋଲି ବ୍ୟବସାୟିକ ଗ୍ୟାସ୍ ବନ୍ଦ କରି ଦିଆଗଲା । ସାଧାରଣ ଖାଉଟିଙ୍କୁ ନିରବଚ୍ଛିନ୍ନ ଗ୍ୟାସ୍ ଯୋଗାଣ କରାଯିବ, କାହାରି କୌଣସି ସମସ୍ୟା ହେବନି ବୋଲି କୁହାଗଲା । ମଧ୍ୟପ୍ରାଚ୍ୟ ଯୁଦ୍ଧ ପରିପ୍ରେକ୍ଷୀରେ କେନ୍ଦ୍ର ସରକାର ଏଭଳି ନିଷ୍ପତ୍ତି ଗ୍ରହଣ କଲେ । କିନ୍ତୁ ଏବେ ଘରୋଇ ଗ୍ୟାସ୍ ସିଲିଣ୍ଡର ମିଳିବା ଠାରୁ ଏହାର ବୁକିଂ ଯନ୍ତ୍ରଣା ଅଧିକ କଷ୍ଟ ଦେଲାଣି । ବୁକିଂ ପାଇଁ ଦିଆଯାଇଥିବା ନମ୍ବରକୁ ଦିନ ଦିନ ଧରି କଲ୍ କଲେ ମଧ୍ୟ ବୁକିଂ ହୋଇପାରୁନି । ଧାର୍ଯ୍ୟ ଗ୍ୟାସ୍ ଏଜେନ୍ସିକୁ ବୁକିଂ ସଂକ୍ରାନ୍ତରେ ଅଭିଯୋଗ କରାଗଲେ ସେପଟୁ ଜବାବ ମିଳୁଛି କି’ ‘ନେଟ୍ୱର୍କ ବିଜି ଅଛି, କିଛି ସମୟ ଛାଡ଼ି ପୁଣି ବୁକିଂ କରନ୍ତୁ’ । ଏଭଳି ଥରେ କି ଦୁଇ ଥର ନୁହେଁ, ଦିନ ଦିନ ଧରି ବୁକିଂ ପାଇଁ ଉଦ୍ୟମ କରିବାକୁ ପଡ଼ୁଛି । ଜିଲ୍ଲା ଯୋଗାଣ ବିଭାଗ କିନ୍ତୁ ଘୋଷି ହେଉଛି କି’ ପର୍ଯ୍ୟାପ୍ତ ପରିମାଣର ଗ୍ୟାସ୍ ଅଛି ।
ସାଧାରଣରେ ଅଯଥା ଭୟ ସୃଷ୍ଟି କରାଯାଉଥିବାରୁ ଏକାବେଳକେ ଅନେକ ଲୋକ ବୁକିଂ ପାଇଁ ଉଦ୍ୟମ କରୁଛନ୍ତି । ଫଳରେ ଗ୍ୟାସ୍ ବୁକିଂରେ ସମସ୍ୟା ଉପୁଜୁଛି । ଲୋକେ ଆତଙ୍କିତ ନହୋଇ ନିର୍ଦ୍ଦିଷ୍ଟ ବ୍ୟବଧାନରେ ବୁକିଂ କଲେ ଗ୍ୟାସ୍ ବୁକିଂ ହୋଇପାରିବ । ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଘନଘଟା ମଧ୍ୟରେ ଭାରତରେ ରନ୍ଧନ ଗ୍ୟାସ୍ ସଙ୍କଟ ଆଶଙ୍କା କରି କେନ୍ଦ୍ର ସରକାର ଗତକାଲିଠାରୁ ବ୍ୟବସାୟିକ ଗ୍ୟାସ୍ ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଇଥିଲେ । ଏହାକୁ ନେଇ ମଧ୍ୟ ବ୍ୟବସାୟୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । କିନ୍ତୁ ଘରୋଇ ଗ୍ୟାସ୍ ସିଲିଣ୍ଡର ଯୋଗାଣରେ କୌଣସି ପ୍ରକାର ସମସ୍ୟା ଉପୁଜିବ ନାହିଁ ବୋଲି ସରକାରଙ୍କ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା ।
ଏହି ଖବରଟିକୁ ପଢନ୍ତୁ- ଗ୍ୟାସ ଅଭାବ: ସତ୍ୟନଗର ଶ୍ମଶାନରେ ଗ୍ୟାସ୍ ଚାଳିତ ଶବଦାହ ବନ୍ଦ
ଏହି ପରିପ୍ରେକ୍ଷୀରେ କଟକ ଜିଲ୍ଲା କଥା ଯଦି ଦେଖାଯାଏ, ଜିଲ୍ଲାରେ ମୋଟ୍ ୭ଲକ୍ଷ ୧୩ ହଜାର ୩୮୩ ଜଣ ଗ୍ୟାସ୍ ଉପଭୋକ୍ତା ଅଛନ୍ତି । ଏହି ଉପଭୋକ୍ତାଙ୍କୁ ଗ୍ୟାସ୍ ଯୋଗାଣ ପାଇଁ ୬୩ଟି ଗ୍ୟାସ୍ ଏଜେନ୍ସି ରହିଛି । ଏସବୁ ଏଜେନ୍ସି ନିକଟରେ ଗ୍ୟାସ୍ ବୁକିଂ ପାଇଁ ଖାଉଟିମାନେ ଅନ୍ଲାଇନ୍ ଜରିଆରେ ବୁକିଂ କରିଥାନ୍ତି । ସରକାରଙ୍କ କହିବା ଅନୁଯାୟୀ ଗ୍ୟାସ୍ ଥରେ ବୁକିଂ ହେଲେ ଏହାର ୨୫ ଦିନ ପରେ ଯାଇ ଦ୍ୱିତୀୟ ବୁକିଂ କରାଯାଇ ପାରିବ । କିନ୍ତୁ ଜଣେ ଜଣେ ଉପଭୋକ୍ତା ଗୋଟେ ଗ୍ୟାସ୍ ବୁକିଂର ପ୍ରାୟ ଦେଢ଼ ମାସ ପରେ ଏବେ ବୁକିଂ କଲେ ମଧ୍ୟ ସେମାନଙ୍କ ଗ୍ୟାସ୍ ବୁକିଂ ହୋଇପାରୁ ନାହିଁ । ଗ୍ୟାସ୍ ଏଜେନ୍ସିକୁ ଫୋନ୍ କଲେ ସେମାନଙ୍କଠାରୁ ଉତ୍ତର ମିଳୁଛି କି’ ନେଟ୍ୱର୍କ ସମସ୍ୟା ରହିଛି, କିଛି ସମୟ ପରେ କରନ୍ତୁ । କିନ୍ତୁ କେତେ ସମୟ ପରେ ଗ୍ୟାସ୍ ବୁକିଂ କଲେ ସମସ୍ୟାର ସମାଧାନ ହେବ ତାହାର କୌଣସି ଉତ୍ତର ମିଳୁନାହିଁ । ଏବେ ଜିଲ୍ଲାର ପ୍ରାୟ ଖାଉଟିଙ୍କ ନିକଟରୁ ଏହି ଅଭିଯୋଗ ଶୁଣିବାକୁ ମିଳୁଛି । ଲୋକେ ଦୀର୍ଘ ବର୍ଷ ଧରି ମୁହଁ ମାଡ଼ି ପଡ଼ିଥିବା ତଥା କଳଙ୍କି ଲାଗି ଯାଇଥିବା ଷ୍ଟୋଭ୍କୁ ପୁଣି ସଜାଡ଼ିବା ଆରମ୍ଭ କଲେଣି । ପ୍ରାୟ ସମ୍ପୂର୍ଣ୍ଣ ଅଲୋଡ଼ା ପଡ଼ିଯାଇଥିବା କିରାସିନିର ପୁଣି ଚାହିଦା ବଢ଼ିଲାଣି । ଲୋକଙ୍କ ଚାହିଦାକୁ ଦେଖି ଯଦି ଆବଶ୍ୟକ ପଡ଼େ କିରାସିନି ପୁଣି ମଗାଯିବ ବୋଲି ଯୋଗାଣ ଅଧିକାରୀ କହିଛନ୍ତି ।