ନୂଆଦିଲ୍ଲୀ,୨୧/୦୧: କିଛି ଦିନର ନୀରବତା ପରେ ପୁଣି ମଧ୍ୟପ୍ରାଚ୍ୟରେ ଯୁଦ୍ଧ କାଉଣ୍ଟଡାଉନ୍ ଆରମ୍ଭ ହୋଇଛି । ସରକାରୀ ବିରୋଧୀ ହିଂସାରେ ଜଳୁଥିବା ଇରାନ ଏବଂ ଆମେରିକା ମଧ୍ୟରେ ଟେନସନ ବଢିଛି । ଇରାନ ଯୁଦ୍ଧ ଚେତାବନୀ ପରେ ରାଗି ଫଁ ଫଁ ଆମେରିକା ରାଷ୍ଟ୍ରପତି ଡେନାଲ୍ଡ ଟ୍ରମ୍ପ । ପୁଣି ଥରେ ଇରାନକୁ ଖୋଲା ଧମକ ଦେଇଛନ୍ତି । ଚେତାବନୀ ଦେଇ ଟ୍ରମ୍ପ କହିଛନ୍ତି, ଯଦି କିଛି ହୁଏ, ତେବେ ଆମେ ସେମାନଙ୍କୁ ବିଶ୍ୱ ମାନଚିତ୍ରରୁ ପୋଛି ଦେବୁ । ଟ୍ରମ୍ପ ପୂର୍ବରୁ ଇରାନରେ ଶାସନ ପରିବର୍ତ୍ତନ କଥା ହୋଇସାରିଛନ୍ତି ।
ଇରାନରେ ଚାଲିଥିବା ହିଂସାତ୍ମକ ପ୍ରତିବାଦ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ କଡ଼ା ବୟାନ ଦେଇଛନ୍ତି । ଟ୍ରମ୍ପ କହିଛନ୍ତି ଯେ, ଯଦି ଇରାନରେ ପରିସ୍ଥିତି ଜାରି ରହେ, ତେବେ "ସମ୍ପୂର୍ଣ୍ଣ ଦେଶ ଧ୍ୱଂସ ପାଇପାରେ।" ତାଙ୍କର ଏହି ବୟାନ ଦୁଇ ଦେଶ ମଧ୍ୟରେ ଉତ୍ତେଜନାକୁ ଆହୁରି ବୃଦ୍ଧି କରିଛି । ଏକ ସାକ୍ଷାତକାରରେ ଟ୍ରମ୍ପ କହିଥିଲେ ଯେ, ଯଦି କିଛି ହୁଏ, ତେବେ ଇରାନକୁ ଗମ୍ଭୀର ପରିଣାମ ଭୋଗିବାକୁ ପଡିବ । ମୁଁ ପୂର୍ବରୁ ଚେତାବନୀ ଦେଇସାରିଛି । ଯଦି କିଛି ହୁଏ, ତେବେ ସମଗ୍ର ଦେଶ ଧ୍ୱଂସ ହୋଇଯିବ । କିଛି ବି ଘଟେ ତେବେ ସମଗ୍ର ଦେଶକୁ ବିଶ୍ୱ ମାନଚିତ୍ରରୁ ହଟାଇ ଦେବୁ । " ଇରାନର ଅଲ୍ଆଉଟ୍ ୱାର ଧମକକୁ ନେଇ ଜବାବ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ।
ଇରାନ ଟ୍ରମ୍ପଙ୍କୁ ମଧ୍ୟ ଖୋଲା ଚେତାବନୀ ଦେଇଛି । ଇରାନର ସାମରିକ ମୁଖପାତ୍ର ଜେନେରାଲ ଆବୋଲଫଜଲ ଶେକାରଚି କହିଛନ୍ତି ଯେ, ଯଦି ସେମାନଙ୍କ ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଏ, ତେବେ ଇରାନ ପ୍ରତିଶୋଧ ନେବ । ଆମେ କେବଳ ତାଙ୍କ ହାତ କାଟିବୁ ନାହିଁ, ବରଂ ତାଙ୍କ ସମଗ୍ର ବିଶ୍ୱକୁ ଜାଳି ଦେବୁ ।
ଖାମେନେଇଙ୍କ ଉପରେ ଟ୍ରମ୍ପଙ୍କ ଟିପ୍ପଣୀ :
ଅନ୍ୟ ଏକ ସାକ୍ଷାତକାରରେ, ଟ୍ରମ୍ପ ଇରାନର ସର୍ବୋଚ୍ଚ ନେତା ଖାମେନେଇଙ୍କ ବିଷୟରେ କହିଥିଲେ ଯେ, ସେ ଜଣେ 'ରୋଗଗ୍ରସ୍ତ ବ୍ୟକ୍ତି' ଏବଂ ତାଙ୍କୁ ତାଙ୍କ ଦେଶକୁ ସଠିକ୍ ଭାବରେ ଚଳାଇବା ଏବଂ ଲୋକଙ୍କୁ ହତ୍ୟା କରିବା ବନ୍ଦ କରିବା ଉଚିତ୍ ।
ଏହା ବି ପଢନ୍ତୁ...ମଝି ଆକାଶରେ ଝୁଲିଲେ ଟ୍ରମ୍ପ, ଆମେରିକାରୁ ଦାବୋସ୍ ଯିବା ବେଳେ ବିମାନରେ ଯାନ୍ତ୍ରିକ ତ୍ରୁଟି
ଇରାନରେ ସ୍ଥିତି ସଙ୍ଗୀନ
ଇରାନରେ ଚାଲିଥିବା ପ୍ରତିବାଦରେ ବହୁ ଜୀବନ ଏବଂ ସମ୍ପତ୍ତି କ୍ଷତି ହୋଇଛି । ଆମେରିକାର ଏକ ମାନବାଧିକାର ସଂଗଠନ ଅନୁଯାୟୀ, ଅତି କମରେ ୪, ୫୧୯ ଜଣଙ୍କର ମୃତ୍ୟୁ ହୋଇଛି । ୨୬, ୩୦୦ ରୁ ଅଧିକ ଲୋକଙ୍କୁ ଗିରଫ କରାଯାଇଛି । ଡିସେମ୍ବର ଶେଷ ସପ୍ତାହରେ ଇରାନରେ ପ୍ରତିବାଦ ଆରମ୍ଭ ହୋଇଥିଲା । ବୃଦ୍ଧି ପାଉଥିବା ମୁଦ୍ରାସ୍ଫୀତି ଏବଂ ଇରାନୀ ମୁଦ୍ରାର ହ୍ରାସ ପାଉଥିବାରୁ ଏହାର କାରଣ ଦର୍ଶାଯାଉଛି । ହଜାର ହଜାର ଲୋକ ସରକାରଙ୍କ ବିରୋଧରେ ପ୍ରତିବାଦ କରିବା ଏବଂ ପରିବର୍ତ୍ତନ ଦାବି କରିବା ପାଇଁ ରାସ୍ତାକୁ ଓହ୍ଲାଇଛନ୍ତି । ଏହି ପ୍ରତିବାଦ ପାଇଁ ଇରାନ ସରକାର ଆମେରିକା ଏବଂ ଇସ୍ରାଏଲକୁ ଦାୟୀ କରିଛନ୍ତି ।