ନୂଆଦିଲ୍ଲୀ, ୨୧/୦୧ : ଡୋନାଲ୍ଡ ଟ୍ରମ୍ପଙ୍କ ବିମାନ ଫେଲ୍। ଆମେରିକାରୁ ଦାବୋସ୍ ଯିବା ବେଳେ ବିମାନରେ ଯାନ୍ତ୍ରିକ ତ୍ରୁଟି। ମଝି ଆକାଶରେ ଝୁଲିଲେ ଟ୍ରମ୍ପ। ଅଧା ରାସ୍ତାରୁ ଫେରିଲେ ଆମେରିକା ରାଷ୍ଟ୍ରପତି। ଅନ୍ୟ ଏକ ବିମାନ ଯୋଗେ ଭରିଲେ ଉଡାଣ।
ସୂଚନାନୁଯାୟୀ, ମଙ୍ଗଳବାର ସନ୍ଧ୍ୟାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏୟାର ଫୋର୍ସ ୱାନ ବିମାନ ସ୍ଵିଜରଲ୍ୟାଣ୍ଡ ଅଭିମୁଖେ ଉଡାଣ ଭରିଥିଲା। ପ୍ରାୟ ୧ ଘଣ୍ଟା ପରେ ଜଏଣ୍ଟ ବେସ୍ ଆଣ୍ଡ୍ରୁଜକୁ ଫେରି ଆସିଥିଲା। ବିମାନରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଅଧା ରାସ୍ତାରୁ ଟ୍ରମ୍ପଙ୍କୁ ଫେରିବାକୁ ପଡ଼ିଥିଲା। ଏୟାର ଫୋର୍ସ ୱାନ ବିମାନ ସୁରକ୍ଷିତ ଭାବେ ୱାଶିଂଟନ ଡିସିରେ ଅବତରଣ କରିଛି। ଏହାପରେ ରାଷ୍ଟ୍ରପତି ଓ ତାଙ୍କ ଟିମ୍ ଅନ୍ୟ ଏକ ବିମାନ ଯୋଗେ ଦାବୋସ୍ ଅଭିମୁଖେ ଉଡାଣ ଭରିଛନ୍ତି। ହ୍ଵାଇଟ୍ ହାଉସ୍ ପ୍ରବକ୍ତା କ୍ୟାରୋଲିନ ଲିଭିଟ ଏନେଇ ସୂଚନା ଦେଇଛନ୍ତି। ଡୋନାଲ୍ଡ ଟ୍ରମ୍ପ ୱାର୍ଲ୍ଡ ଇକୋନୋମୀ ଫୋରମରେ ଯୋଗଦେବେ। ଆମେରିକୀୟ ନୀତି ଉପରେ ସମ୍ବୋଧନ କରିବେ।
ଏୟାର ଫୋର୍ସ ୱାନର ଦୁଇଟି ଯାକ ବିମାନ ପ୍ରାୟ ଚାରି ଦଶନ୍ଧି ପୁରୁଣା। ବୋଇଂ ଏବେ ଏହାର ନୂଆ ସଂସ୍କରଣ ତିଆରି କରୁଛି। ଏହି ବିମାନ ସ୍ଵତନ୍ତ୍ର ପ୍ରଯୁକ୍ତିବିଦ୍ୟା ଦ୍ଵାରା ତିଆରି ହୋଇଛି। ଯେଉଁଥିରେ ରେଡିଏସନ୍ ସିଲ୍ଡିଂ, ଆଣ୍ଟି-ମିସାଇଲ୍ ସିଷ୍ଟମ୍ ଏବଂ ଅତ୍ୟାଧୁନିକ ଯୋଗାଯୋଗ ସୁବିଧା ରହିଛି। ଯାହା ରାଷ୍ଟ୍ରପତିଙ୍କୁ ବିଶ୍ୱର ଯେକୌଣସି କୋଣରୁ ସାମରିକ ଯୋଗାଯୋଗ କରିପାରିବ।
ବିଶ୍ୱ ଅର୍ଥନୈତିକ ଫୋରମ୍ (WEF)ର ୫୬ତମ ବାର୍ଷିକ ବୈଠକ ଜାନୁଆରୀ ୧୯ ରୁ ୨୩ ପର୍ଯ୍ୟନ୍ତ ଦାବୋସ୍ ଅନୁଷ୍ଠିତ ହେଉଛି। ଏଥିରେ ୧୩୦ ରୁ ଅଧିକ ଦେଶର ପ୍ରାୟ ୩୦୦୦ ନେତା ଅଂଶଗ୍ରହଣ କରୁଛନ୍ତି। ଭୂରାଜନୈତିକ ଉତ୍ତେଜନା, ଆର୍ଥିକ ଅନିଶ୍ଚିତତା ମଧ୍ୟରେ ଏହି ବୈଠକ ହେଉଛି।
ଏହି ଖବରଟିକୁ ପଢନ୍ତୁ- ଲୋଭ ସମ୍ଭାଳି ପାରୁନାହାଁନ୍ତି ଟ୍ରମ୍ପ... ସବୁ ହାତେଇବାକୁ ଇଚ୍ଛା, ଗ୍ରୀନ୍ଲାଣ୍ଡ ପରେ ଏବେ ଡିଏଗୋ ଗାର୍ସିଆ ଉପରେ ଆଖି