ନୂଆଦିଲ୍ଲୀ, ୨୨।୪: ଆମେରିକା ଏବଂ ଇରାନ ମଧ୍ୟରେ ଜାରି ରହିଥିବା ମୁହାଁମୁହିଁ ପରିସ୍ଥିତି ଏବେ ଏକ ଜଟିଳ ପରିସ୍ଥିତିରେ ପହଞ୍ଚିଛି । ଗତକାଲି ଅର୍ଥାତ୍ ୨୧ ଏପ୍ରିଲରେ ଦୁଇ ଦେଶ ମଧ୍ୟରେ ହୋଇଥିବା ଅସ୍ଥାୟୀ ଯୁଦ୍ଧବିରତିର ଅବଧି ଶେଷ ହେଉଥିବା ବେଳେ, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହାକୁ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି । କିନ୍ତୁ ଏହି ଘୋଷଣା ସହିତ ସେ ଇରାନ ପାଇଁ ଏକ ବଡ଼ ଚେତାବନୀ ମଧ୍ୟ ଜାରି କରିଛନ୍ତି । ରଣନୈତିକ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ 'ଷ୍ଟ୍ରେଟ୍ ଅଫ୍ ହୋର୍ମୁଜ' ଉପରେ ଆମେରିକାର ଘେରାବନ୍ଦୀ ପୂର୍ବଭଳି ଜାରି ରହିବ ବୋଲି ଟ୍ରମ୍ପ ସ୍ପଷ୍ଟ କରିଦେଇଛନ୍ତି ।
ଏହା ବି ପଢ଼ନ୍ତୁ... ଟ୍ରମ୍ପଙ୍କ ନିଷ୍ପତ୍ତିରେ ନିଆଁ ବାଣ ଇରାନ୍: ହୋର୍ମୁଜରେ IRGCର ତାଣ୍ଡବ, ଗୁଳିମାଡ଼ରେ ଜାହାଜର କଣ୍ଟ୍ରୋଲ ରୁମ୍ ଛାରଖାର !
ଇରାନକୁ ଦୈନିକ ୫୦୦ ମିଲିୟନ ଡଲାରର ଝଟକା:
ନିଜର ସୋସିଆଲ ମିଡିଆ ପ୍ଲାଟଫର୍ମ 'ଟ୍ରୁଥ୍ ସୋସିଆଲ'ରେ ଏକ ପୋଷ୍ଟ କରି ଟ୍ରମ୍ପ ଇରାନର ଆର୍ଥିକ ଅବସ୍ଥାକୁ ନେଇ ବଡ଼ ଦାବି କରିଛନ୍ତି । ତାଙ୍କ କହିବା ଅନୁଯାୟୀ, ହୋର୍ମୁଜ ଜଳପଥ ବନ୍ଦ ରହିବା କାରଣରୁ ଇରାନକୁ ପ୍ରତିଦିନ ପ୍ରାୟ ୫୦୦ ମିଲିୟନ ଡଲାରର ତୈଳ ଆୟ ହରାଇବାକୁ ପଡ଼ୁଛି । ଇରାନ ଏହି ଗୁରୁତ୍ୱପୂର୍ଣ୍ଣ ଜଳପଥକୁ ତୁରନ୍ତ ଖୋଲିବାକୁ ଚାହୁଁଛି, କାରଣ ଏହା ବନ୍ଦ ରହିଲେ ତେହେରାନର ଅର୍ଥନୀତି ସମ୍ପୂର୍ଣ୍ଣ ଧୂଳିସାତ ହୋଇଯିବ । ଟ୍ରମ୍ପ ଦାବି କରିଛନ୍ତି ଯେ, ଆମେରିକୀୟ ନୌସେନା ଏହି ଅଞ୍ଚଳକୁ ସମ୍ପୂର୍ଣ୍ଣ ବ୍ଲକ୍ କରି ରଖିଥିବା ବେଳେ ଇରାନ କେବଳ ନିଜର ସମ୍ମାନ ବଞ୍ଚାଇବା ପାଇଁ ବାହାରେ ଓଲଟା ବୟାନବାଜି କରୁଛି ।
ପାକିସ୍ତାନର ଅନୁରୋଧ ଓ ଟ୍ରମ୍ପଙ୍କ ସର୍ତ୍ତ:
ସୂଚନାଯୋଗ୍ୟ ଯେ, ଏହି ଯୁଦ୍ଧବିରତି ଅବଧି ବଢ଼ାଇବା ପଛରେ ପାକିସ୍ତାନର ଏକ ବଡ଼ ଭୂମିକା ରହିଛି । ପାକିସ୍ତାନ ସେନା ମୁଖ୍ୟ ଜେନେରାଲ ଆସିମ ମୁନିର ଏବଂ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫଙ୍କ ବିଶେଷ ଅନୁରୋଧ କ୍ରମେ ଟ୍ରମ୍ପ ଏହି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି । ତେବେ ଟ୍ରମ୍ପ ଏହା ମଧ୍ୟ କହିଛନ୍ତି ଯେ, ଯେପର୍ଯ୍ୟନ୍ତ ଇରାନ ନେତୃତ୍ୱ କୌଣସି ଯୁଗ୍ମ ଏବଂ ଗ୍ରହଣୀୟ ପ୍ରସ୍ତାବ ନ ଦେଇଛନ୍ତି, ସେପର୍ଯ୍ୟନ୍ତ ଏହି ନାକାବନ୍ଦୀ ହଟିବ ନାହିଁ ।
କାହିଁକି ଗୁରୁତ୍ୱପୂର୍ଣ୍ଣ 'ହୋର୍ମୁଜ ଜଳପଥ' ?
ହୋର୍ମୁଜ ହେଉଛି ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ତୈଳ ପରିବହନ ମାର୍ଗ। ବିଶ୍ୱର ପ୍ରାୟ ୨୦ ପ୍ରତିଶତ ତୈଳ ଏହି ରାସ୍ତା ଦେଇ ଯାତାୟାତ କରିଥାଏ ।ଆମେରିକା ଚାହୁଁଛି ଏହି ରାସ୍ତାକୁ ବନ୍ଦ ରଖି ଇରାନ ଉପରେ ଏତେ ଚାପ ପକାଇବାକୁ, ଯେପରି ସେମାନେ ଆମେରିକାର ସର୍ତ୍ତ ମାନିବାକୁ ବାଧ୍ୟ ହେବେ । ଟ୍ରମ୍ପ ସ୍ପଷ୍ଟ କରିଛନ୍ତି ଯେ, ଆମେରିକୀୟ ସେନା ଯେକୌଣସି ପରିସ୍ଥିତି ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ଯଦି ନାକାବନ୍ଦୀ ହଟାଇ ଦିଆଯାଏ, ତେବେ ଇରାନ ସହ କୌଣସି ବୁଝାମଣା ହୋଇପାରିବ ନାହିଁ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ବର୍ତ୍ତମାନ ସମଗ୍ର ବିଶ୍ୱର ନଜର ଇରାନ ଉପରେ ରହିଛି । ଦୈନିକ ୫୦୦ ମିଲିୟନ ଡଲାରର ଏହି ବିରାଟ କ୍ଷତିକୁ ଇରାନ କେତେ ଦିନ ସହିପାରିବ ଏବଂ ଆଗାମୀ ଦିନରେ କି ପ୍ରସ୍ତାବ ନେଇ ଆମେରିକା ପାଖକୁ ଆସିବ, ତାହା ଦେଖିବାକୁ ବାକି ରହିଲା ।