ବେତନଟୀ, ୮।୨: ବେତନଟୀ ଉପକଣ୍ଠ ସଠିଲୋ ପଞ୍ଚାୟତ ଅଧୀନ ପୁରୁଣାପାଣିଠାରେ ଥିବା ଏକ ପୋଖରୀରୁ ବିଭତ୍ସ ଭାବରେ ହତ୍ୟାକରି ଅଖାଭିତରେ ପୁରାଇ ଫିଙ୍ଗିଦେଇଥିବା ଜନୈକା ଅପରିଚିତା ବୃଦ୍ଧାଙ୍କ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କଲା ବେତନଟୀ ପୁଲିସ l ସୂଚନା ମୁତାବକ ପୋଖରୀ ଭିତରେ ଏକ ଅଖା ଭାସୁଥିବାର ଦେଖି କିଛି ଲୋକେ ଉତ୍ସୁକତାର ସହିତ ଅଖା ଖୋଲିବାପରେ ମୃତଦେହ ଦେଖି ପୁଲିସକୁ ଖବର ଦେଇଥିଲେ l ଖବରପାଇ ବେତନଟୀ ଥାନା ଆଇଆଇସି ସସ୍ମିତା ମହାନ୍ତ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ ବାହିନୀ ସହାୟତାରେ ପାଣିରୁ ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛନ୍ତି l ପ୍ରାଥମିକ ତଦନ୍ତରୁ ଏହା ଏକ ସୁପରିକଳ୍ପିତ ଏବଂ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ଜଣାପଡ଼ିଛି l
ଏହା ବି ପଢ଼ନ୍ତୁ... ବିକ୍ରମ ପଣ୍ଡା ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି: କହିଲେ,'ମୁଁ ନିର୍ଦ୍ଦୋଶ, ମୋତେ ରାଜନୈତିକ ଉଦ୍ଦେଶ୍ୟ ରଖି ଫସାଯାଇଛି'
ବୃଦ୍ଧାଙ୍କ ବେକ ଏବଂ ଛାତିକୁ ଧାରୁଆ ଅସ୍ତ୍ରରେ ଅତ୍ୟନ୍ତ ବିଭତ୍ସ ଭାବରେ ହତ୍ୟା କରାଯାଇ ଥିବାର ଦେଖିବାକୁ ମିଳିଛି l ହତ୍ୟାକାଣ୍ଡ ଲୁଚାଇବାକୁ ଅଖାଭିତରେ ପୁରାଇ ଜଳାଶୟ ଭିତରେ ଫିଙ୍ଗିଦେଇ ହତ୍ୟାକାରୀ ଚମ୍ପଟ ମାରିଛନ୍ତି l ତେବେ ବୃଦ୍ଧାଙ୍କର ପରିଚୟ ମିଳିପାରିନଥିବା ବେଳେ ସେ ଆଖପାଖ ଗ୍ରାମର ହୋଇନଥିବା ପୁଲିସ ଅନୁମାନ କରୁଛି l ଅନ୍ୟତ୍ର ହତ୍ୟା କରିବା ପରେ ଅଖା ଭିତରେ ମୃତଦେହକୁ ପୁରାଇ ଆଣି ପୋଖରୀରେ ଫିଙ୍ଗିଦେଇଥିବା ନେଇ ଅନୁମାନ କରାଯାଉଛି l ଏହି ହତ୍ୟାକାଣ୍ଡରେ ଏକାଧିକ ସନ୍ଦିଗ୍ଧ ଜଡିତ ଥିବାର ଅନୁମାନ କରାଯାଉଥିବା ବେଳେ ବେତନଟୀ ପୁଲିସ ଅଧିକ ତଦନ୍ତ ଆରମ୍ଭ କରିଛି l