ନୂଆଦିଲ୍ଲୀ,୦୩/୦୧:୨୦୨୪ରେ ବିଶ୍ୱର ଶ୍ରେଷ୍ଠ ୨୦ ଅରବପତିଙ୍କ ମଧ୍ୟରୁ ୧୬ ଜଣଙ୍କ ନେଟ୍‌ ସମ୍ପତ୍ତିରେ ବୃଦ୍ଧି ଦେଖିବାକୁ ମିଳିଛି । ଅନ୍ୟପକ୍ଷରେ, ୪ ଜଣଙ୍କୁ କ୍ଷତି ସହିବାକୁ ପଡ଼ିଛି । ଗତବର୍ଷ ସମ୍ପତ୍ତି ହରାଇଥିବା ଅରବପତିଙ୍କ ମଧ୍ୟରେ ଭାରତର ମୁକେଶ ଅମ୍ବାନି ଏବଂ ଗୌତମ ଆଦାନି ବି ରହିଛନ୍ତି । ମୁକେଶ ଅମ୍ବାନିଙ୍କ କମ୍ପାନି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ୧୦ ବର୍ଷରେ ପ୍ରଥମ ଥର ପାଇଁ ନେଗେଟିଭ୍‌ ରିଟର୍ଣ୍ଣ ଦେଇଛି । ଏହାଦ୍ୱାରା ଅମ୍ବାନିଙ୍କ ନେଟ୍‌ ସମ୍ପତ୍ତି ୫୭୪ କୋଟି ଡଲାର ହ୍ରାସ ପାଇଛି ଏବଂ ସେ ବିଶ୍ୱ ଧନୀ ତାଲିକାରେ ୧୭ ତମ ସ୍ଥାନକୁ ଖସିଯାଇଛନ୍ତି ।

ଅନ୍ୟପକ୍ଷରେ, ଗୌତମ ଆଦାନି ଗତବର୍ଷ ୫୬୦ କୋଟି ଡଲାର ହରାଇଛନ୍ତି । ଧନୀ ତାଲିକାରେ ସେ ୧୯ ତମ ସ୍ଥାନକୁ ଖସିଯାଇଛନ୍ତି । ୨୦୨୪ରେ ସବୁଠାରୁ ଅଧିକ ଆୟ କରିଥିବା ଅରବପତି ରହିଛନ୍ତି ଟେସ୍‌ଲା ଏବଂ ସ୍ପେସ୍‌ଏକ୍ସ ମୁଖ୍ୟ ଏଲନ୍‌ ମସ୍କ । ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ମସ୍କ ଗତବର୍ଷ ନିଜ ନେଟ୍‌ ସମ୍ପତ୍ତିରେ ୨୦୩୦୦ କୋଟି ଡଲାର ଯୋଡ଼ିଛନ୍ତି, ଯାହାକି ଉଭୟ ଅମ୍ବାନି ଏବଂ ଆଦାନିଙ୍କ ମିଳିତ ନେଟ୍‌ ସମ୍ପତ୍ତିଠାରୁ ଅଧିକ । 

ବ୍ଲୁମ୍‌ବର୍ଗ ଅରବପତି ତାଲିକା ଅନୁସାରେ, ଅମ୍ବାନିଙ୍କ ନେଟ୍‌ ସମ୍ପତ୍ତି ୯୦୬୦ କୋଟି ଡଲାର । ଅନ୍ୟପକ୍ଷରେ, ଆଦାନିଙ୍କ ସମ୍ପତ୍ତି ପରିମାଣ ରହିଛି ୭୮୭୦ କୋଟି ଡଲାର । ଏଲନ୍‌ ମସ୍କଙ୍କ ନେଟ୍‌ ସମ୍ପତ୍ତି ପରିମାଣ ରହିଛି ୪୩୨୦୦ କୋଟି ଡଲାର । ଏଥିସହିତ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ରହିଛନ୍ତି ମସ୍କ । ମସ୍କଙ୍କ ପରେ ଫେସ୍‌ବୁକ୍‌ ପ୍ରତିଷ୍ଠାତା ମାର୍କ ଜୁକ୍କରବର୍ଗ ଗତବର୍ଷ ସବୁଠାରୁ ଅଧିକ ୭୯୨୦ କୋଟି ଡଲାର ଆୟ କରିଛନ୍ତି । ଏନ୍‌ଭିଡିଆ ସିଇଓ ଜେନ୍‌ସେନ ହୁଆଙ୍ଗ୍‌ଙ୍କ ନେଟ୍‌ ସମ୍ପତ୍ତିରେ ୭୦୩୦ କୋଟି ଡଲାର ବୃଦ୍ଧି ଘଟିଥିବାବେଳେ ଲ୍ୟାରୀ ଏଲିସନ୍‌ଙ୍କ ନେଟ୍‌ ସମ୍ପତ୍ତି ବଢ଼ିଛି ୬୯୨୦ କୋଟି ଡଲାର ।